ରାଜଧାନୀରେ ମାତିଛନ୍ତି ସିନ୍ଧିଚୋର : ବିଧାୟକଙ୍କ କ୍ବାର୍ଟର୍ସରୁ ଚୋରି

ଭୁବନେଶ୍ବର : ରାଜଧାନୀରେ ଚୋରି ଏବେ ଜନସାଧାରଣଙ୍କ ଚିନ୍ତା ବଢ଼ାଇ ଦେଇଛି। ସାଧାରଣ ଲୋକଙ୍କ କଥା ଦୂର ବିଧାୟକଙ୍କ କ୍ବାର୍ଟର୍ସରେ ଚୋର ପଶି ଯାଉଛନ୍ତି। ବିଧାୟକମାନେ ବି ସୁରକ୍ଷିତ ନୁହଁନ୍ତି।ଗତ ଶୁକ୍ରବାର ରାତିରେ ୟୁନିଟ୍‌-୨ ମହାତ୍ମାଗାନ୍ଧୀ ମାର୍ଗରେ କ୍ବାର୍ଟର୍ସ ନଂ-ବି-୧ରେ ରହୁଥିବା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ କ୍ବାର୍ଟର୍ସରୁ ଚୋରି ହୋଇଛି। ବିଧାୟକ ଯଦିଓ ନ ଥିଲେ ତଥାପି ହାଇ ସିକ୍ୟୁରିଟି ଅଞ୍ଚଳରେ ଥିବା ତାଙ୍କ କ୍ବାର୍ଟର୍ସରୁ କେହି ଦୁର୍ବୃତ୍ତ ଦାମୀ ସାନିଟାରୀ ଉପକରଣ ଚୋରି କରିନେଇଛନ୍ତି। ବିଧାୟକଙ୍କ ଘରୋଇ ସହାୟକ ଭାବେ କାମ କରୁଥିବା ବିପିନ ନାଏକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ଦିନ ଦୁଇଟା ବେଳେ ସେ ଉପର ମହଲାରେ ଥିବା ବେଳେ ତଳ ମହଲାରେ କିଛି ଶବ୍ଦ ଶୁଣିବାକୁ ପାଇଥିଲେ। ସନ୍ଦେହ ହେବାରୁ ତଳକୁ ଆସିବା ବେଳେ ତଳ ମହଲାର ଗାଧୁଆ ଘର କବାଟ ଭଙ୍ଗା ହୋଇଛି। ତେବେ ସେ ଭିତରକୁ ଯିବା ବେଳେ କେହି ଗାଧୁଆ ଘରେ ଲାଗିଥିବା ପାଣି ଟ୍ୟାପ୍‌ ଆଦିକୁ ଚୋରି କରି ନେଇଛି। ଏପରିକି ବେସ୍‌କୁ ଭଙ୍ଗାରୁଜା କରାଯାଇଛି।

ଏହାର ପୂର୍ବ ଦିନ ଅନ୍ୟ ଗାଧୁଆ ଘରର ଟ୍ୟାପ୍ ମଧ୍ୟ ଚୋରି ହୋଇଯାଇଥିଲା। ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହିଁ। ସେହିପରି ଗତ କିଛି ଦିନ ତଳେ ବାପୁଜୀନଗର ଅଞ୍ଚଳରେ ଦୁଇଟି ଚୋରି ଘଟଣା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ଶ୍ଲୋକ୍‌ ସେନ୍‌ଙ୍କ ବାପୁଜୀନଗର ବାସଭବନରେ ଜଣେ ଚୋର ପଶିଥିବା ବେଳେ ତାଙ୍କ କୁକୁର ଭୁକିଥିଲା। ଫଳରେ ପରିବାର ଲୋକେ ଉଠିପଡ଼ି ଚୋରକୁ କାବୁ କରି ନେଇଥିଲେ। ପିସିଆର୍‌ ଖବର ପାଇ ପହଞ୍ଚିଥିଲା। ଅନ୍ୟ ଏକ ଘଟଣାକ୍ରମରେ ବାପୁଜୀନଗର ପାଣିଟାଙ୍କି ନିକଟରେ ଭୋର୍ ସମୟରେ ସମିନା ଖାତୁନ୍‌ଙ୍କ ଦୋକାନରେ ୩ ଜଣ ଯୁବକ ପଶି ଚୋରି କରୁଥିବା ବେଳେ ତାଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ପାଟି କରିବାରୁ ୩ ଯୁବକ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ ଦୁର୍ବୃତ୍ତଙ୍କୁ ଠାବ କରିପାରିନାହିଁ।

ଖଣ୍ଡଗିରି:ଘର ତାଡ଼ି ଲୁଟିଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଖଣ୍ଡଗିରି ଥାନା ଅଞ୍ଚଳରେ ମାତିଛନ୍ତି ଲୁଟିଆ। ଘର ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅପରାଧୀମାନେ ଚୋରି କରି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନାଗହଣା। ଏଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ଅଧୀନସ୍ଥ ଜାଗମରା ସାଇ ବିହାରରେ। ଦୁର୍ବୃତ୍ତମାନେ ବିଜୟ କୁମାର ନନ୍ଦଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା, ରୂପା ଅଳଙ୍କାର ସହ ଏଲ୍‌ଇଡି ଟିଭି ଆଦି ନେଇଯାଇଛନ୍ତି। ଏନେଇ ଅଭିଯୋଗକାରୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିଜୟ ଅକ୍ଟୋବର ୨୫ ତାରିଖରେ ନିଜ ଗାଁ ଜଗତପୁରକୁ ଯାଇଥିଲେ। ଗାଁରୁ ଫେରି ଦେଖିବା ବେଳ ତାଙ୍କ ଘରର ଝରକା ତଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଷ୍ଟିଲ୍‌ ଆଲମାରି ଭାଙ୍ଗି ୧୦ ଭରି ଓଜନର ସୁନାଗହଣା, ରୁପା ଅଳଙ୍କାର,ଏଲଇଡି ଟିଭି ଓ ବହୁ ଦାମୀ ଜିିନିଷ ନେଇଯାଇଥିଲେ।। ବିଜୟଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଛି। ଅପରାଧୀଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି।

Comments are closed.