ଡକାୟତି ଯୋଜନା ବ୍ୟର୍ଥ କଲେ ବୁଲା କୁକୁର, କୁକୁର କାମୁଡିବାରୁ ଖେଳନା ବନ୍ଧୁକ ଛାଡ଼ି ଛୁ ମାରିଲେ ଲୁଟେରା

ଭୁବନେଶ୍ୱର : କୁକୁର ପାଲଟିଛି ମଣିଷର ବିଶ୍ୱାସୀ ପ୍ରାଣୀ। ଜନଜୀବନ ରକ୍ଷା କରିବାରେ ସହାୟକ ହେଉଛି। କେତେବେଳେ ଘର ଭିତରକୁ ପଶୁଥିବା ବିଷଧର ସାପ ସହ ଲଢ଼େଇ କରି ଜୀବନ ଦେଉଛି ତ ଆଉ କେତେବେଳେ ମରଣ ମୁହଁରୁ ତା’ ମାଲିକକୁ ବଞ୍ଚାଉଛି। ରାଜଧାନୀରେ ଏକ ବଡ଼ଧରଣର ଡକାୟତି ବୁଲା କୁକୁରଙ୍କ ଯୋଗୁଁ ବ୍ୟର୍ଥ ହୋଇଛି। ଖଣ୍ଡଗିରି ଥାନା ଅଧୀନ ହାଉସିଂବୋର୍ଡ କଲୋନୀରେ ଘଟିଛି ଏପରି ଘଟଣା। ବନ୍ଧୁକ ଦେଖାଇ ଉକ୍ତ ଅଞ୍ଚଳକୁ ଲୁଟ୍‍ପାଟ୍‍ କରିବାକୁ ଆସିଥିବା କିଛି ଦୁର୍ବୃତ୍ତଙ୍କ ଯୋଜନା ବ୍ୟର୍ଥ ହୋଇଛି। ସେମାନଙ୍କୁ ବୁଲା କୁକୁର ଉଚିତ୍‍ ଜବାବ ଦେଇଛନ୍ତି। କୁକୁର କାମୁଡ଼ାରେ ଦୁର୍ବୃତ୍ତ ଲହୁଲୁହାଣ ହୋଇଛନ୍ତି। ରାସ୍ତାରେ ପଡ଼ିଛି ରକ୍ତର ଛିଟା। ରାସ୍ତାସାରା ରକ୍ତ ଛିଟା ଦେଖି ମଙ୍ଗଳବାର ଉକ୍ତ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ। ଖବରପାଇ ଖଣ୍ଡଗିରି ପୁଲିସ ପହଞ୍ଚି ଘଟଣା ସ୍ଥଳରୁ ଖେଳନା ବନ୍ଧୁକ ଜବତ କରି ତଦନ୍ତ କରୁଛି।

ପୁଲିସ ସୂଚନା ଅନୁସାରେ ଦୁଇ ଲୁଟିଆ ବନ୍ଧୁକ ନେଇ ଉକ୍ତ ଅଞ୍ଚଳରୁ ଲୁଟ୍‍ପାଟ୍‍ କରିବାକୁ ସୋମବାର ରାତିରେ ଆସିଥିଲେ। ସେମାନେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଦୁର୍ବୃତ୍ତଙ୍କୁ ବୁଲା କୁକୁର ଘେରି ଯାଇଥିଲେ। ଜୀବନ ବଞ୍ଚାଇବାକୁ ଯାଇ ସେମାନେ ଗାଡ଼ି ନେଇ ପଳାଇବାକୁ ଉଦ୍ୟମ କରୁୁଥିଲେ। ତଥାପି ସେମାନଙ୍କୁ କୁକୁର ଗୋଡ଼େଇ ଗୋଡ଼େଇ କାମୁଡ଼ିଥିଲେ। ଉଭୟ ଗାଡ଼ି ଛାଡ଼ି ପଳାଇଥିଲେ। ଏହାର କିଛି ସମୟ ପରେ ଗାଡ଼ି ନେଇ ପଳାଇଥିବାବେଳେ ସେମାନଙ୍କ ପାଖରେ ଥିବା ବନ୍ଧୁକ ଖସି ପଡ଼ିଥିଲା। ଜୀବନ ବିକଳରେ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଗାଡ଼ି ନେଇ ପଳାଇଥିଲେ ମଧ୍ୟ ଖେଳନା ବନ୍ଧୁକ ଛାଡ଼ି ଦେଇଥିଲେ। ସକାଳୁ ସ୍ଥାନୀୟ ଲୋକେ ରକ୍ତ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ବନ୍ଧୁକ ଜବତ କରିବା ସହ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‍ ଯାଞ୍ଚ କରିଥିଲା। ଏହାପରେ କୁକୁର କିଭଳି ଦୁର୍ବୃତ୍ତଙ୍କୁ ମୁକାବିଲା କରୁଥିଲେ ତା’ର ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଛି। ଖଣ୍ଡଗିରି ପୁଲିସ ଖେଳନା ବନ୍ଧୁକ ଜବତ କରି ଖୋଳତାଡ଼ କରୁଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ବୁଲା କୁକୁରଙ୍କ ଏଭଳି କାର୍ଯ୍ୟ ନେଇ ନିୟମିତ ଖାଇବାକୁ ଦେବା ଲାଗି ଯୋଜନା କରିଛନ୍ତି।

Comments are closed.