ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ଶେଷ ଅଧିବେଶନ ମାର୍ଚ୍ଚ ୩୦ ତାରିଖରେ ବସିଥିଲା। ନିୟମ ଅନୁସାରେ ପରବର୍ତ୍ତୀ ଅଧିବେଶନ ୬ ମାସ ମଧ୍ୟରେ ବସିବା ବ୍ୟବସ୍ଥା ରହିଛି। ତେଣୁ ସେପ୍ଟେମ୍ବର ୩୦ ମଧ୍ୟରେ ବିଧାନସଭା ବସିବ। ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। କୋଭିଡ-୧୯ର ସାମାଜିକ ଦୂରତ୍ବ କଟକଣାକୁ ଗୁରୁତ୍ବ ଦେଇ ଅଧିବେଶନ ଅନୁଷ୍ଠିତ ହେବ। ବିଧାନସଭା କିମ୍ବା ଲୋକସେବା ଭବନ ପରିସରସ୍ଥିତ କନଭେନସନ ସେଣ୍ଟର ମଧ୍ୟରୁ ଯେକୌଣସି ସ୍ଥାନରେ ଅଧିବେଶନ ବସିପାରେ।
ଶ୍ରୀ ପାତ୍ର କହିଛନ୍ତି, ନିକଟରେ କର୍ଣ୍ଣାଟକ ଓ ରାଜସ୍ଥାନ ବିଧାନସଭାର ଅଧିବେଶନ ବସିଛି। କର୍ଣ୍ଣାଟକ ଓ ରାଜସ୍ଥାନ ବିଧାନସଭାର ବାଚସ୍ପତିଙ୍କ ସମେତ ଲୋକସଭା ବାଚସ୍ପତି ଏବଂ ସଚିବଙ୍କ ସହ ସେ ଆଲୋଚନା ସମୟରେ ସେମାନେ କୋଭିଡ ନିୟମାବଳୀ ପାଳନ ଓ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଇ ଗୃହ ପରିଚାଳନା କରାଯାଇପାରିବ ବୋଲି କହିଛନ୍ତି। ରାଜ୍ୟପାଳ ଓ ସରକାରଙ୍କ ସହ ପ୍ରକାରାନ୍ତରେ ଏ ସମ୍ପର୍କରେ ଆଲୋଚନା କରାଯିବ। ମୌସୁମି ଅଧିବେଶନ କେବେ ବସିବ ତାହା ସ୍ଥିର ହୋଇନାହିଁ। ତେବେ ସେପ୍ଟେମ୍ବର ୩୦ ପୂର୍ବରୁ ଅଧିବେଶନ ବସିବା ନେଇ ତାରିଖ ସ୍ଥିର ହେବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.