ଅସ୍ତ୍ରୋପଚାର​‌ ବେଳେ ପେଟରେ ରହିଗଲା ଗଜ୍‌ କପଡ଼ା

ଭୁବନେଶ୍ବର : ଜଣେ ଡାକ୍ତରଙ୍କ ଦାୟିତ୍ବହୀନତା ପାଇଁ ଜଣେ ମହିଳାଙ୍କୁ ୨ ମାସ ଧରି ଯନ୍ତ୍ରଣାରେ ଛଟପଟ ହେବାକୁ ପଡ଼ିଛି। ମହିଳା ଜଣଙ୍କୁ ଦୁଇଥର ଅସ୍ତ୍ରୋପଚାରର ସମ୍ମୁଖୀନ ହେବାକୁ ପଡିଛି। ଏଭଳି ଘଟଣା ଘଟିଛି ରାଜଧାନୀରେ। ମହିଳାଙ୍କ ସ୍ବାମୀ ଆନନ୍ଦ କୁମାର ଏନେଇ ଉକ୍ତ ଡାକ୍ତରଙ୍କୁ ସାକ୍ଷାତ କରିଥିଲେ ଏବଂ ବାରମ୍ବାର ଯୋଗାଯୋଗ କରିଥିଲେ। ଏପରିକି ଉକ୍ତ ହସ୍ପିଟାଲ୍‌କୁ ଯାଇଥିଲେ; ହେଲେ ତାଙ୍କ କଥାକୁ କେହି ଶୁଣି ନ ଥିଲେ। ଶେଷରେ ଏମ୍‌ସ୍‌ରେ ଅସ୍ତ୍ରୋପଚାର କରାଗଲା।

ଆନନ୍ଦଙ୍କ ଅଭିଯୋଗ ଅନୁସାରେ ସେ ନୂଆପଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ୨୦୧୯ ନଭେମ୍ବରଠାରୁ ତାଙ୍କ ଦ୍ବିତୀୟ ସନ୍ତାନ ପାଇଁ ପତ୍ନୀ ପୁଷ୍ପାଞ୍ଜଳିଙ୍କ ପାଇଁ ଜଣେ ମହିଳା ଡାକ୍ତରଙ୍କ ସହିତ ପରାମର୍ଶ କରି ଆସୁଥିଲେ। ଗତ ମେ ୧୬ରେ ପୁଷ୍ପାଞ୍ଜଳିଙ୍କର ଉକ୍ତ ହସ୍ପିଟାଲ୍‌ରେ ଅସ୍ତ୍ରୋପଚାର କରାଯାଇଥିଲା। ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଦୁଇଦିନ ପରେ ପୁଷ୍ପାଞ୍ଜଳିଙ୍କ ହସ୍ପିଟାଲ୍‌ରୁ ଘରକୁ ଫେରିଥିଲେ; ହେଲେ ତାଙ୍କର ପେଟ ଯନ୍ତ୍ରଣା ଦିନକୁ ଦିନ ବଢିବାରେ ଲାଗିଥିଲା। ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ସହିତ ଆନନ୍ଦ ଯୋଗାଯୋଗ କରି ଘଟଣା ସମ୍ପର୍କରେ କହିଥିଲେ। ଏକାଧିକ ଥର ହ୍ବାର୍ଟସ୍‌ଆପ୍‌ରେ ମେସେଜ ବି କରିଥିଲେ ଆନନ୍ଦ। ହେଲେ ସବୁ ସମୟରେ ଗୋଟିଏ ଅଶ୍ବାସନା ମିଳୁଥିଲା, ବ୍ୟସ୍ତ ହୁଅନି, ଇଣ୍ଟରନାଲ୍‌ ପ୍ରୋବ୍ଳେମ, ଭଲ ହୋଇଯିବ। ଅପେକ୍ଷା କର। ଡାକ୍ତରାଣୀ ଏମିତି ମେସେଜ ଦେଇଥିଲେ। ହେଲେ ଯନ୍ତ୍ରଣା ଅତ୍ୟଧିକ ହେବାରୁ ଆନନ୍ଦ ପତ୍ନୀଙ୍କୁ ନେଇ ଏହି କୋଭିଡ୍‌ ସମୟରେ ଜୁଲାଇ ୯ରେ ସ୍ପର୍ଶ ହସ୍ପିଟାଲ୍‌କୁ ଯାଇଥିଲେ। ସେଠାରେ ସିଟି ସ୍କାନ କରାଯିବା ବେଳେ ପୁଷ୍ପାଞ୍ଜଳିଙ୍କ ପେଟରେ କିଛି ଗଜ୍ କପଡ଼ା ଓ କିଛି ଧାତବ ଜିନିଷ ଥିବା ଅନୁମାନ କରାଯାଇଥିଲା।

ଆନନ୍ଦ ଏସବୁ କଥା ଅସ୍ତ୍ରୋପଚାର କରିଥିବା ହସ୍ପିଟାଲକୁ ଜଣାଇବାରୁ ଡାକ୍ତର ଏହାକୁ ମିଛ ବୋଲି କହିଥିଲେ। ଏହାପରେ ଆନନ୍ଦ ପତ୍ନୀଙ୍କୁ ନେଇ ଏମ୍‌ସରେ ଭର୍ତ୍ତି କରିଥିଲେ। ଗତ ୧୬ ତାରିଖରେ ଏମ୍‌ସ୍ ଅସ୍ତ୍ରୋପଚାର କରାଯାଇ ପୁଷ୍ପାଞ୍ଜଳିଙ୍କ ପେଟରୁ ଗଜ୍ କପଡା ଏବଂ କିଛି ଧାତୁ ବାହାର କରାଯାଇଥିଲା। ଏବେ ପୁଷ୍ପାଞ୍ଜଳି ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଦୀର୍ଘଦନ ଧରି ବାହ୍ୟସାମଗ୍ରୀ ଭିତରେ ରହିବା ଯୋଗୁଁ ଗର୍ଭାଶୟ ଏବଂ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଙ୍ଗ ସଂକ୍ରମିତ ହୋଇଯାଇଛି। ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଡାକ୍ତରଙ୍କ ଦାୟିତ୍ବହୀନତା ପାଇଁ ତାଙ୍କର ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ବାରମ୍ବାର ଏସମ୍ପର୍କରେ ଉକ୍ତ ହସପିଟାଲ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ଉତ୍ତର ଦେଉନାହାନ୍ତି। ଏନେଇ ଆଇନର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ଆନନ୍ଦ କୁମାର।

Comments are closed.