ଖରିଫ ଧାନସଂଗ୍ରହ ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା; କ୍ଷୁଦ୍ର, ନାମମାତ୍ର ଓ ପ୍ରକୃତ ଚାଷୀଙ୍କୁ ଗୁରୁତ୍ୱ

ଭୁବନେଶ୍ବର: ରାଜ୍ୟର କୃଷକମାନେ କୋଭିଡ ସ୍ଥିତିରେ ଖରିଫ ଧାନ ଚାଷ କରି ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିଛନ୍ତି। ଅଧିକରୁ ଅଧିକ ଚାଷୀ ଯେପରି ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି କରିପାରିବେ ତା ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଉତ୍ସର୍ଗୀକୃତ ମନୋଭାବ ଏବଂ ସଂକଳ୍ପ ନେଇ ଜିଲାପାଳ ଓ ବିଭାଗୀୟ ଅଧିକାରୀମାନେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରିବା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ବୈଠକରେ ସେ ଆହ୍ୱାନ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି, କୋଭିଡ ପରିସ୍ଥିତି ସତ୍ତ୍ବେ ବିଭାଗୀୟ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ଖରିଫ ଧାନ ସଂଗ୍ରହ ନିମନ୍ତେ ୧୪.୯୭ ଲକ୍ଷ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ରାଜ୍ୟରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାବେଳେ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଓ ପ୍ରକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରି ସେମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଦିଗରେ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ଏଥି ସହିତ ଧାନସଂଗ୍ରହ କେନ୍ଦ୍ରରୁ ମିଲରଙ୍କ ଦ୍ୱାରା ସେହିଦିନ ଧାନ ଉଠାଣ ଏବଂ ଧାନ କିଣିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରାପ୍ୟ ପ୍ରଦାନ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଧାନସଂଗ୍ରହ କାର୍ଯ୍ୟରେ କେହି ଖିଲାପ କରିବା ଦୃଷ୍ଟିକୁ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଧାନସଂଗ୍ରହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ନିୟମିତ ମଣ୍ଡି ପରିଦର୍ଶନ କରିବେ। ଜିଲା ଓ ସବଡିଭିଜନସ୍ତରରେ ଟାସ୍କ ଫୋର୍ସ ଗଠନ କରି ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦେଶ ଦିଆଯାଇଛି।
ନଭେମ୍ବର ପହିଲାଠାରୁ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ଏଥି ନିମନ୍ତେ ସମସ୍ତ ପୂର୍ବପ୍ରସ୍ତୁତି ସାରିବା ପାଇଁ ବିଭାଗୀୟ ସଚିବ ବୀର ବିକ୍ରମ ଯାଦବ ବିଭାଗର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଯେଉଁସବୁ ଜିଲାରେ ଶୀଘ୍ର ଧାନ ଅମଳ ହେଉଛି ସେଠାରେ ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ଡେରିରେ ଅମଳ ହେଉଥିବା ଜିଲାରେ ଏହା ନଭେମ୍ବର ୧୬ ତାରିଖରୁ ୩୦ ତାରିଖ ମଧ୍ୟରେ ଆରମ୍ଭ କରାଯିବ। ଧାନ ଅମଳର ପ୍ରକୃତ ସ୍ଥିତାବସ୍ଥାକୁ ଅନୁଧ୍ୟାନ କରି ସଂପୃକ୍ତ ଜିଲାର ଧାନ ସଂଗ୍ରହ କମିଟି ଧାନ ସଂଗ୍ରହର ନିର୍ଦିଷ୍ଟ ତାରିଖ ସ୍ଥିର କରିବେ। ଧାନସଂଗ୍ରହ ନିମନ୍ତେ ଚାଷୀଙ୍କ ତାଲିକା ଚୂଡ଼ାନ୍ତ କରିବା ନିମନ୍ତେ ସମସ୍ତ ନୂତନ କିମ୍ବା ତଥ୍ୟ ସଂଶୋଧନ କରିଥିବା ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟ, ଅଣ ଭୂଲେଖ ଜମି ଏବଂ ଜଳସେଚିତ ଜମି ଆଦିର ତଥ୍ୟ ସମ୍ପର୍କରେ ନିର୍ଭୁଲ ଭାବରେ ଯାଞ୍ଚ କାର୍ଯ୍ୟ ସାରିବାକୁ ସେ କହିଛନ୍ତି। ସମସ୍ତ ଚାଷୀଙ୍କର ଆଧାର ସଂଯୋଗୀକରଣ ଏବଂ ଇଣ୍ଟରନେଟ ଆଦି ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ଶେଷ କରିବାକୁ ସେ ପରାମର୍ଶ ଦେଇଛନ୍ତି।

କୋଭିଡ୍-୧୯ ସ୍ଥିତିରେ ସମସ୍ତ ପ୍ରକାର ମାର୍ଗଦର୍ଶିକା ପାଳନ ସହିତ ମଣ୍ଡିଗୁଡ଼ିକର ସାନିଟାଇଜେସନ୍, ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ଆଦିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଚାଷୀଙ୍କ ଅବଗତି ନିମନ୍ତେ ଧାନସଂଗ୍ରହର ସମସ୍ତ ନିୟମାବଳୀ, ଧାନର ଏଫଏକ୍ୟୁ ମାନ, ଧାନସଂଗ୍ରହ କେନ୍ଦ୍ର ଓ ତାରିଖ ଆଦି ସମ୍ପର୍କରେ ବ୍ୟାପକ ପ୍ରଚାର ଓ ଜନସଚେତନତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ଖରିଫ ବିପଣନ ଋତୁ(୨୦୧୯-୨୦)ରେ ରେକର୍ଡ ୭୦ ଲକ୍ଷ ୫୬ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ ଚାଷୀଙ୍କୁ ୧୨ ହଜାର ୮୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଧାନସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ଦିଗରେ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ପି-ପାସ୍ ଓ ଚାଷୀଙ୍କୁ ଆଗୁଆ ଟୋକନ ପ୍ରଦାନ ଭଳି ଟେକ୍ନୋଲୋଜିର ବ୍ୟବହାର ପ୍ରତି ଚାଷୀଙ୍କର ଆଗ୍ରହ ପ୍ରକାଶ ପାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ବୈଠକରେ ସମବାୟ ସମିତି ସମୂହ ନିବନ୍ଧକ, ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ, ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦେଶକଙ୍କ ସମେତ ବିଭିନ୍ନ ଜିଲାର ଜିଲାପାଳ, ଜିଲା ଯୋଗାଣ ଅଧିକାରୀ ଏବଂ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ

Comments are closed.