ବିଧାନସଭାରେ ଉଠିଲା ଏଏନଏମ ଛଟେଇ ପ୍ରସଙ୍ଗ

ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନ କାଳରେ ସଦସ୍ୟମାନେ ବିଭିନ୍ନପ୍ରସଙ୍ଗ ଉତଥାପନ କରିଛନ୍ତି। କରୋନା ସମୟରେ ୩ ମାସ କାମ କରିବା ପରେ ଏଏନଏମମାନଙ୍କୁ ଛଟେଇ କରାଯିବା ପ୍ରସଙ୍ଗ ବିଧାନସଭାରେ ଉଠିଛି। ସେମାନଙ୍କୁ ଛଟେଇ ନ କରି ସେମାନଙ୍କୁ କମ ପାରିଶ୍ରମିକରେ କାମରେ ରଖାଯାଉ ବୋଲି ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ କୋଭିଡ ସମୟରେ ଏହି ଏଏନଏମମାନଙ୍କ ଠାରୁ କାମ ନିଆଯାଇଥିଲା। ସେମାନେ ନିଜ ଜୀବନକୁ ବାଜି ଲଗାଇ କୋଭିଡ ରୋଗୀମାନଙ୍କର ସେବା କରିଥିଲେ। ଡାକ୍ତରମାନେ ଯେତେବେଳେ ରୋଗୀମାନଙ୍କ ଠାରୁ ଦୂରରେ ରହୁଥିଲେ ସେତେବେଳେ ଏହି ଏଏନଏମମାନେ ରୋଗୀମାନଙ୍କର ସେବା କାମ କରିଥିଲେ। ଏଭଳି ପରିସ୍ଥିତିରେ ବର୍ତମାନ ସେମାନଙ୍କୁ ଛଟେଇ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ତେଣୁ ଏମାନଙ୍କୁ ଛଟେଇ ନ କରାଯାଉ ବୋଲି ବିରୋଧୀ ଦଳର ନେତା ଦାବି କରିଛନ୍ତି।

ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି ଯେ କରୋନା ଭଳି ଭୟଙ୍କର ସ୍ଥିତିରେ ସେମାନେ ନିଜ ପରିବାରଠାରୁ ଅଲଗା ରହି ରୋଗୀମାନଙ୍କର ସେବା କରୁଥିଲେ। ଏଭଳି ପରିସ୍ଥିତିରେ ସେମାନଙ୍କୁ ଛଟେଇ କରାଯିବା ଅନୁଚିତ ବୋଲି ଶ୍ରୀ ସାଲୁଜା କହିବା ସହ ତାଙ୍କ ନିମନ୍ତେ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ସେ ଦାବି କରିଛନ୍ତି

Comments are closed.