ଚାରି ଜିଲାରୁ ୫୮ ହଜାର ଦାଦନ ଶ୍ରମିକ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରୁ ଦାଦନ ଶ୍ରମିକ ହଟାଇବା ପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି କରି ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ନକ୍ସା ଚଳିତ ବର୍ଷ ଜାନୁଆରୀ ୧୫ରେ ପ୍ରସ୍ତୁତ ହୋଇ ଥିବାବେଳେ ଏହାକୁ ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ କରାଯାଇଛି। ୪ ଜିଲାରେ ସର୍ଭେ କରାଯାଇ ୫୮ ହଜାର ଦାଦନ ଶ୍ରମିକ ପରିବାର ଚିହ୍ନଟ କରାଯାଇଛି। ଏହି ପରିବାର ସଦସ୍ୟଙ୍କୁ ଅକ୍ଟୋବର ପହିଲାରୁ ମନରେଗାରେ ଶ୍ରମ ଯୋଗାଣ ଆରମ୍ଭ ହୋଇଛି। ଲୋକେ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି ସେ ସଂକ୍ରାନ୍ତରେ ସର୍ଭେରୁ ଜଣାପଡିଛି ଯେ ୬ ମାସ କାମ ନପାଇବା ଦ୍ବାରା ବାହାର ରାଜ୍ୟକୁ ଶ୍ରମ ପାଇଁ ଚାଲି ଯାଉଛନ୍ତି। ସେମାନଙ୍କୁ ୬ ମାସ ଖାଦ୍ୟ, ଶ୍ରମ ଏବଂ ଘର ନଥିବା ପରିବାରକୁ ପକ୍କାଘର ଯୋଗାଇ ଦିଆଗଲେ ସେମାନେ ଆଉ ଦାଦନ ଖଟିବାକୁ ଯିବେ ନାହିଁ ବୋଲି କହିଛନ୍ତି।
ଉପରୋକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଇ ଶ୍ରମ ଆୟୋଗ ବଲାଙ୍ଗୀର, ନୂଆପଡା, ବରଗଡ ଏବଂ କଳାହାଣ୍ଡି ଜିଲାର ୨୦ ବ୍ଲକର ୪୭୭ ପଞ୍ଚାୟତର ୩,୩୨୭ ଗାଁରୁ ୫୮ ହଜାର ଦାଦନ ଶ୍ରମିକ ପରିବାର ଚିହ୍ନଟ କରିଛି। ଟାଟା ଟ୍ରଷ୍ଟ ଏବଂ କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ମାଧ୍ୟମରେ ଏହି ସର୍ଭେ କରାଯାଇଛି। ସର୍ଭେ ତାଲିକାକୁ ଶ୍ରମ ଆୟୋଗ ପଞ୍ଚାୟତିରାଜ ଏବଂ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗକୁ ଦେଇଛି। ପଞ୍ଚାୟତିରାଜ ବିଭାଗ ମନରେଗାରେ ଚିହ୍ନଟ ପରିବାର ସଦସ୍ୟଙ୍କୁ ଶ୍ରମ ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୬ ମାସ ମାଗଣାରେ ଚାଉଳ ଯୋଗାଣ ପାଇଁ ଶ୍ରମ ଆୟୋଗ ପକ୍ଷରୁ ଉଭୟ ବିଭାଗକୁ କୁହାଯାଇଛି। ଏଥିସହିତ ଚିହ୍ନଟ ପରିବାର ମଧ୍ୟରୁ କାହାର ଘର ନଥିଲେ ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କାଘର ଯୋଗାଇ ଦେବାକୁ କୁହାଯାଇଛି। ୫୮ ହଜାର ପରିବାର ସଦସ୍ୟ ୬ ମାସ କାମ ନପାଇବା ଦ୍ବାରା ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଛତିଶଗଡ, ଗୁଜରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁ ଆଦି ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି। ଅଣପଞ୍ଜିକୃତ ଠିକାଦାର ମାଧ୍ୟମରେ ଦାଦନ ଖଟିବାକୁ ଯାଇ ବିଭିନ୍ନ ସମୟରେ ସାହୁକାରଙ୍କ ଦ୍ବାରା ଶାରୀରିକ ଏବଂ ମାନସିକସ୍ତରରେ ନିର୍ଯାତିତ ହେଉଛନ୍ତି। ପଞ୍ଚାୟତିରାଜ ବିଭାଗପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ୪ ଜିଲାର ୨୦ ବ୍ଲକରେ ଡିସେମ୍ବର ୧ ସୁଦ୍ଧା ୧,୩୪,୩୮,୨୫୦ ଶ୍ରମ ଦିବସ ସୃଷ୍ଟି ହୋଇଛି। ଦୈନିକ ୧,୨୭,୮୩୪ ବ୍ୟକ୍ତିଙ୍କୁ ଶ୍ରମ ଦିଆଯାଉଛି। ୩୩,୦୧୧ ପରିବାର ୧୦୦ ଦିନର ଶ୍ରମ ସମ୍ପୂର୍ଣ୍ଣ କଲେଣି। ବଲାଙ୍ଗୀର ଜିଲାର ୬ ବ୍ଲକରେ ୪,୩୭୩,୯୮୪ ଶ୍ରମ ଦିବସ, କଳାହାଣ୍ଡି ଜିଲାର ୫ ବ୍ଲକରେ ୧୦,୬୦୬୨୦୯ ଶ୍ରମ ଦିବସ, ନୂଆପଡା ଜିଲାର ୫ ବ୍ଲକରେ ୩,୩୨୮,୩୯୩ ଶ୍ରମ ଦିବସ ଏବଂ ବରଗଡ ଜିଲାର ୪ ବ୍ଲକରେ ୧,୬୦୪,୨୦୪ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଚିହ୍ନଟ ପରିବାରକୁ ୬ ମାସ ଚାଉଳ ଯୋଗାଣକୁ ନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କହୁଛି, ଶ୍ରମ ଆୟୋଗ ପକ୍ଷରୁ ସେମିତି କିଛି ଦାଦନ ଶ୍ରମିକ ସର୍ଭେ ତାଲିକା ଆସି ନାହିଁ। କୌଣସି ପ୍ରକାର ଶ୍ରମିକଙ୍କୁ ସ୍ବତନ୍ତ୍ର ଭାବେ ବିଭାଗ ଚାଉଳ ଦେଇପାରି ନାହିଁ। ଜାତୀୟ ଖାଦ୍ୟ ନିରାପତ୍ତା ଆଇନରେ ବିଭାଗ ମନଇଚ୍ଛା ଚାଉଳ ବଣ୍ଟନ କରିପାରିବ ନାହିଁ। ଏଯାବତ୍ ବିଭାଗ ଜାତୀୟ ଖାଦ୍ୟ ନିରାପତ୍ତାରେ ୩ କୋଟି ୨୫ ଲକ୍ଷ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ୧୦ ଲକ୍ଷ ପରିବାରଙ୍କୁ ଚାଉଳ ଯୋଗାଣ କରୁଛି। ଯେଉଁ ଶ୍ରମିକଙ୍କ ତାଲିକା କଥା କୁହାଯାଉଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ରେସନ କାର୍ଡ ପାଇଥିବେ। ଯେଉଁ ଶ୍ରମିକ କାର୍ଡ ପାଇ ନାହାନ୍ତି ସେମାନେ ଆବେଦନ କଲେ କାର୍ଡ ପାଇପାରିବେ। ଦାଦନ ଶ୍ରମିକ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ଜାନୁଆରୀ ୧୫ରେ ସ୍ବତନ୍ତ୍ର ଯୋଜନାର ଶୁଭାରମ୍ଭ କରିଥିଲେ। ଯେଉଁ ଶ୍ରମିକ ମନରେଗାରେ କାମ ପାଇବେ ସେମାନଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପାରିଶ୍ରମିକ ଦିଆଯିବ। କରୋନା ମହାମାରୀ ସମୟରେ ମନରେଗା ଶ୍ରମ ଦିବସ ୧୫୦ ଦିନରୁ ୨୦୦ ଦିନକୁ ବୃଦ୍ଧି କରାଯାଇଛି। ମଜୁରି ମଧ୍ୟ ୧୯୧ ଟଙ୍କାରୁ ୩୦୩ ଟଙ୍କାକୁ ବୃଦ୍ଧି ପାଇଛି। ବର୍ଦ୍ଧିତ ୫୦ଦିନ ଶ୍ରମ ଦିବସ ଏବଂ ମଜୁରିକୁ ରାଜ୍ୟ ସରକାର ବହନ କରୁଥିବା ଜଣାପଡିଛି।