ମଞ୍ଚକୁ ଉପେକ୍ଷା, ନିରାଶ କଳାକାର ଆଠ ମାସ ହେବ ନାଟ୍ୟଧାରା ବନ୍ଦ

ପ୍ରଭାବିତ ହେଉଛନ୍ତି ୩୫୦୦ ନାଟୁଆ

ଭୁବନେଶ୍ୱର: ମୁହଁରେ ରଙ୍ଗ ମାଖି ମଞ୍ଚରେ ମନୋରଞ୍ଜନ କରୁଥିବା କଳାକାର ଆଜି ନିରାଶ। ପ୍ରାୟ ୩୫୦୦ କଳାକାର ହାତ ବାନ୍ଧି ବସିଛନ୍ତି। ନାଟୁଆଙ୍କ ବାଦ୍‌ ୪୦୦ରୁ ଅଧିକ ସାଂସ୍କୃତିକ ଅନୁଷ୍ଠାନ ରହିଛି। ଆଶା ଥିଲା ଡିସେମ୍ବରରେ ସରକାର କଳା ପରିବେଷଣ ପାଇଁ ସୁଯୋଗ ଦେବେ। ହେଲେ ଏ ଆଶା ବି ପାଣିଫୋଟକା ପରି ଉଭେଇ ଯାଇଛି। ଗୋଟିଏ ପଟେ ମୁକ୍ତାକାଶ ମଞ୍ଚ ପାଇଁ ସରକାର ଅନୁମତି ଦେଇଛନ୍ତି; କିନ୍ତୁ ପରିବେଷଣ ପାଇଁ କାହିଁକି ଅନୁମତି ଦେଉନାହାନ୍ତି ବୋଲି ଅନେକ କଳାକାର ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଆମେ କୋଭିଡ ନିୟମ ପାଳନ କରିବୁ, ଆମକୁ ଅନୁମତି ଦିଅ ବୋଲି ଅନେକ ଅନୁଷ୍ଠାନର ସଭାପତି ସରକାରଙ୍କୁ ଅନୁରୋଧ କରିଛନ୍ତି।
କୋଭିଡ ମହାମାରୀ ପ୍ରାଦୁର୍ଭାବରୁ ରକ୍ଷା ପାଇବା ପାଇଁ ଗତ ମାର୍ଚ୍ଚ ମାସଠାରୁ ପ୍ରେକ୍ଷାଳୟଗୁଡ଼ିକୁ ସରକାର ବନ୍ଦ କରିଦେଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ହେଉଥିବା ନାଟ୍ୟଦଳଙ୍କର ନିୟମିତ ନାଟ୍ୟ ପ୍ରଦର୍ଶନ ସହ ଖୋଦ୍‌ ଭୁବନେଶ୍ୱରରେ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ନାଟ୍ୟଧାରା କାର୍ଯ୍ୟକ୍ରମ ମଧ୍ୟ ବନ୍ଦ କରାଯାଇଛି। ୮ ମାସ ଧରି ମଞ୍ଚ ବନ୍ଦ ରହିବା ଯୋଗୁଁ ଏହାଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା କଳାକାର, ନିର୍ଦେଶକ, ନାଟ୍ୟକାର, ମଞ୍ଚଶିଳ୍ପୀ, ସଙ୍ଗୀତକାର, ନୃତ୍ୟଶିଳ୍ପୀ, ଆଲୋକ ସଂଯୋଜକ ଓ ପୋଷାକ ପରିପାଟି ଶିଳ୍ପୀ ଘୋର ଆର୍ଥିକ ଓ ମାନସିକ ଦୁର୍ଦିନ ଭିତରେ କାଳାତିପାତ କରୁଛନ୍ତି। ସରକାରଙ୍କ କୋଭିଡ କଟକଣା ନିୟମ ପାଳନ କରି ପ୍ରେକ୍ଷାଳୟକୁ ସାନିଟାଇଜେସନ୍‍ କରି ଓ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ନାଟକ ପ୍ରଦର୍ଶନ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଯାହାକୁ ନେଇ କଳାକାରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Comments are closed.