ଅଣ୍ଟା ସଳଖିଥିବା ‘ଫଣି’ର ଉପୁଡ଼ା ବୃକ୍ଷରେ ବୀରତ୍ୱର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ : ‘ଆମେ ଲଢ଼ିବା, ଆମେ ଜିତିବା’

‘ସମାଜ’ କରିଥିଲା ପ୍ରଥମ ପ୍ରୟାସ

ଭୁବନେଶ୍ୱର : ଓଡ଼ିଆ ଜାତି ତା’ର ସୁଦୀର୍ଘ ଇତିହାସରେ ଅନେକ ବିପଦର ସାମ୍ନା କରିଛି। ଧୈର୍ଯ୍ୟ, ସାହସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ପୁଣି ପୂର୍ବ ଗୌରବ ଫେରି ପାଇଛି। ବାସ୍ତବରେ ସାହସ ହିଁ ଏ ଜାତିର ଶ୍ରେଷ୍ଠ ସମ୍ପଦ। ଯେପରି ପ୍ରକୃତିର ତାଣ୍ଡବରେ ବୃହତକାୟ ବରଗଛ ଉପୁଡ଼ି ପଡ଼ି କେଇଦିନ ଭିତରେ ପୁଣି ଅଣ୍ଟା ସଳଖି ନିଏ, ଶାଖା ପ୍ରଶାଖା ମେଲାଇ ସବୁଜିମା ଫେରିପାଏ, ଆମକୁ ପୁଣି ଛାଇ ଦିଏ, ପଥିକର ଥକ୍କାପଣ ହରଣ କରେ, ସେପରି ଓଡ଼ିଆଙ୍କ ଅଦ୍ୟମ ଇଚ୍ଛାଶକ୍ତି ରହିଛି। ‘ଆମେ ଲଢ଼ିବା, ଆମେ ଜିତିବା’ ବୋଲି ଫଣିରେ ଉପୁଡ଼ି ପଡ଼ିଥିବା ଏକ ବରଗଛର ଚିତ୍ର ଏବଂ ବର୍ତ୍ତମାନ ଏହାର କଅଁଳ ଛନଛନ ଛବିକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ବୀରତ୍ୱର ବାର୍ତ୍ତା ଦେଇଛନ୍ତି।


ଯେପରି ଫଣିରେ ଅଣ୍ଟା ଭାଙ୍ଗି ଯାଇଥିଲେ ମଧ୍ୟ ବରଗଛଟି ଏବେ ସବୁଜିମା ଡାଳପତ୍ର ସହ ଦଣ୍ଡାୟମାନ ହୋଇଛି, ସେପରି ଓଡ଼ିଶାବାସୀ ଯେତେ ବିପତ୍ତି ଆସିଲେ ବି ପୁଣି ନିଜ ଗୋଡ଼ରେ ଛିଡ଼ାହେବାର ସାହସ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଉକ୍ତ ଛବି ମାଧ୍ୟମରେ ଦର୍ଶାଇଛନ୍ତି। ଏବେ ବିଶ୍ୱରେ କରୋନା କାୟା ବିସ୍ତାର କରି ଚାଲିଛି। ଏଥିରୁ ଓଡ଼ିଶା ବି ବାଦ୍‍ ପଡ଼ିନି। ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀ ଏହାକୁ ଧୈର୍ଯ୍ୟର ସହ ସାମ୍ନା କରିବାକୁ ସାହସ ରଖନ୍ତୁ। ଆମେ ପୁଣି ପୂର୍ବ ସ୍ଥିତିକୁ ଫେରି ଆସିବା। ସମୃଦ୍ଧି ପଥରେ ଆଗେଇବା। ଓଡ଼ିଆ ଜାତିର ଟେକ ରଖିବା ବୋଲି ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମର ଉକ୍ତ ପୋଷ୍ଟରୁ ଜଣାପଡ଼ିଛି।

କାର୍ଗିଲ ବିଜୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହି ପୋଷ୍ଟ ରାଜ୍ୟବାସୀଙ୍କୁ ସାହସ ଓ ପ୍ରେରଣା ଯୋଗାଇଛି। ଗତ ବର୍ଷ ମେ’ ମାସରେ ଫଣି ବାତ୍ୟାରେ ଓଡ଼ିଶାର ବିଭିନ୍ନ ଜିଲା ସହ ଭୁବନେଶ୍ୱରର ୟୁନିଟ୍‍-୬ସ୍ଥିତ ଓୟୁଏଟି ପାଚେରି କଡ଼, କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ, ୟୁନିଟ୍‍-୮ ଷ୍ଟୁଆର୍ଟ ସ୍କୁଲ ପାଚେରି, ମାଷ୍ଟର କ୍ୟାଣ୍ଟିନ ନିକଟ, ଖାରବେଳ ନଗର ଅଞ୍ଚଳ, ରସୁଲଗଡ଼, ଏୟାରପୋର୍ଟ, ବିଜୁ ପଟ୍ଟନାୟକ ପାର୍କ, ଶୈଳଶ୍ରୀ ବିହାର ବୁଦ୍ଧ ପାର୍କ, ଜୟଦେବ ବିହାର ଛକରୁ ପଟିଆ ରାସ୍ତା କଡ଼ ଆଦି ଅଞ୍ଚଳରେ ହଜାର ହଜାର ଗଛ ଫଣି ବାତ୍ୟାରେ ଉପୁଡ଼ି ପଡ଼ିଥିଲା। ଦୈନିକ ‘ସମାଜ’ରେ ଏ ସମ୍ପର୍କରେ ଖବର ପ୍ରକାଶ ଓ କ୍ରମାଗତ ଅଭିଯାନ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଉପୁଡ଼ା ଗଛ ଗୁଡ଼ିକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ତତ୍ପରତା ଦେଖାଇଥିଲା।

ତତ୍କାଳୀନ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ପ୍ରଚେଷ୍ଟାରେ କେଉଁ ଗଛର ଭାଙ୍ଗି ପଡ଼ିଥିବା ଡାଳକୁ କଟାଯାଇଥିବାବେଳେ ଆଉ କାହାର ଉପୁଡ଼ା ମୂଳକୁ ମାଟି ଦେଇ ପୁନଃ ଛିଡ଼ା କରାଯାଇଥିଲା। ଏପରି ଓଡ଼ିଶା ସାରା ୨୦ ହଜାରରୁ ଊର୍ଦ୍ଧ୍ବ ବୃକ୍ଷକୁ ଉଦ୍ଧାର କରାଯାଇଥିଲା। ପ୍ରଦତ୍ତ ଛବିଟି ଥିଲା ୟୁନିଟ୍‍-୮ ଷ୍ଟୁଆର୍ଟ ସ୍କୁଲ ପାଚେରି ନିକଟସ୍ଥ ବରଗଛର ଦୃଶ୍ୟ। ତେବେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଉପୁଡ଼ି ପଡ଼ିଥିବା ବୃକ୍ଷକୁ ବଞ୍ଚାଇବା ଲାଗି ପରିବେଶବିତ୍‍ ଅଶୋକ କୁମାର ବରାଳ ଓ ତାଙ୍କ ସାଥୀ ସାମାଜିକ ଗଣମାଧ୍ୟମରେ ସାମୁହିକ ପ୍ରୟାସ ଆରମ୍ଭ କରିଥିଲେ। କିଛିମାସ ପରେ ଗଛ ଗୁଡିକରେ ସବୁଜିମା ଫେରିବା ପରେ ସେ ସବୁ ବୃକ୍ଷରେ ଫଳକ ଲଗାଇ ’ସମାଜ’ ଓ ସରକାରଙ୍କୁ ବୃକ୍ଷ ମାଧ୍ୟମରେ କୃତଜ୍ଞତା ଜଣାଇଥିଲେ। ଫଳରେ ଉପୁଡ଼ି ପଡ଼ିଥିବା ଅନେକ ବଡ଼ ବଡ଼ ଗଛ ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହୋଇପାରିଛି। ସବୁଜିମା ଶାଖା ପ୍ରଶାଖା ମେଲାଇ ଛାଇ ଦେଉଛିି। ଯାହା ରାଜଧାନୀବାସୀଙ୍କୁ ଆଶ୍ୱସ୍ତି ଆଣିବା ସହିତ ପରିବେଶକୁ ସବୁଜ, ସୁନ୍ଦର କରିପାରିଛି।

Comments are closed.