ରାଜଧାନୀ ରାସ୍ତାକଡ଼ରେ ଜନନୀ ଯନ୍ତ୍ରଣା, ଅଧଘଣ୍ଟା ପରେ ନିଆଗଲା ହସ୍ପିଟାଲ୍

ଭୁବନେଶ୍ବର : ଲକ୍ଡାଉନ୍ ସମୟରେ ରାସ୍ତାକଡ଼ରେ ଦୀର୍ଘ ସମୟ ଧରି ଜଣେ ଗର୍ଭବତୀ ପଡ଼ି ରହିଥିଲେ। ରାସ୍ତାରେ କାଁ ଭାଁ ଯାନବାହନ ଚଳାଚଳ କରୁଥିଲା। ୟୁନିଟ୍-୪ ବିଡିଏ ଅଫିସ୍ ନିକଟ ରାସ୍ତା କଡ଼ରେ ପଡ଼ି ମହିଳା ଜଣଙ୍କ ଛଟପଟ ହେଉଥିଲେ। ତାଙ୍କ ସହିତ ଆଉ ଜଣେ ମହିଳା ଥିଲେ। ଛୋଟ ଶିଶୁ ପୁତ୍ର ସେଠାରେ ମା’ର ଅବସ୍ଥା ଦେଖି ବିକଳ ହୋଇ ଚାହିଁ ରହିଥାଏ। ପ୍ରସବକାଳୀନ ଯନ୍ତ୍ରଣାରେ ମହିଳା ଜଣଙ୍କ ଆଉ ଚାଲି ପାରୁ ନ ଥିବାରୁ ରାସ୍ତା କଡ଼ରେ ବସି ପଡ଼ିଥାନ୍ତି। ରବିବାର ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଖୋଦ୍ ରାଜଧାନୀରେ।
ୟୁନିଟ୍-୪ ଅଞ୍ଚଳରେ ଜଣେ ଆସନ୍ନ ପ୍ରସବାଙ୍କ ଏଭଳି ଦୁର୍ଦଶା ସେହି ରାସ୍ତା ଦେଇ ଯାଉଥିବା ସ୍ବେଚ୍ଛାସେବୀ ପ୍ରତାପ ସାହୁଙ୍କ ନଜରରେ ପଡ଼ିଥିଲା। ମହିଳା ଜଣକ ପ୍ରସବକାଳୀନ ଯନ୍ତ୍ରଣାରେ ଛଟପଟ ହେଉଥିବା ଜାଣିବା ପରେ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ସ୍ଥାନାନ୍ତର ଉଦ୍ୟମ କରିଥିଲେ। ଏଭଳି ପରିସ୍ଥିତିରେ ସେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିଥିଲା। ହେଲେ ଆସନ୍ନ ପ୍ରସବାଙ୍କୁ ପୁଲିସ ଭ୍ୟାନ୍ରେ ନେବାର କୌଣସି ବନ୍ଦୋବସ୍ତ ନଥିଲା। ଖୋଜା ପଡ଼ିଥିଲା ଆମ୍ବୁଲାନ୍ସ। ଏଥିପାଇଁ ଡାଏଲ୍-୧୦୨କୁ ଯୋଗାଯୋଗ କରିଥିଲେ। ସେଠାରୁ କିଛି ଉତ୍ତର ନ ମିଳିବାରୁ ୧୦୮ ଆମ୍ବଲାନ୍ସକୁ ଯୋଗାଯୋଗ କରିଥିଲେ। ତେବେ ବାରମ୍ବାର ଯୋଗାଯୋଗ କରିବା ପରେ ପ୍ରାୟ ୨୭ ମିନିଟ୍ ପରେ ଆମ୍ବୁଲାନ୍ସ ସେଠାରେ ପହଞ୍ଚିଥିଲା। ଆମ୍ବୁଲାନ୍ସ ପହଞ୍ଚିବା ପରେ ସେଥିରେ ପ୍ରସୂତିଙ୍କୁ ନେବା ପାଇଁ ସୁବିଧା ନ ଥିଲା। ଆମ୍ବୁଲାନ୍ସକୁ ପ୍ରତାପ ସାନିଟାଇଜ୍ କରିବା ପରେ ବହୁ କଷ୍ଟରେ ତାଙ୍କୁ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିଲା।
ମହିଳା ଜଣଙ୍କ ଗତ କିଛି ବର୍ଷ ହେବ ଶିଶୁପୁତ୍ରକୁ ଧରି ୟନିଟ୍-୪ ମସ୍ଜିଦ୍ ନିକଟ ରାସ୍ତାକଡ଼ରେ ରହୁଛନ୍ତି। ବର୍ଷା ହେଲେ ନିକଟସ୍ଥ ବସ୍ଷ୍ଟପ୍ ତାଙ୍କର ଆଶ୍ରୟସ୍ଥଳ ପାଲଟିଥାଏ। ଆଖପାଖ ଲୋକଙ୍କଠାରୁ ମାଗିଯାଚି ଚଳିଯାଆନ୍ତି।