କରୋନା ରୋଗୀଙ୍କ ସହ ଅଣ କରୋନା ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ସି.ପି.ଆଇ.(ଏମ୍‍)ର ଦାବି

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣ ଭୟ ଯୋଗୁଁ ସମଗ୍ର ରାଜ୍ୟରେ ସାର୍ବଜନିନ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ବ୍ୟବସ୍ଥାର ଘୋର ଅଭାବ ଯୋଗୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହେଉଛି। ରାଜ୍ୟର ସରକାରୀ, ଘରୋଇ ମେଡିକାଲ କଲେଜଠାରୁ ସରକାରୀ ହସପିଟାଲ ମାନଙ୍କରେ ଆଉଟ ଡୋର ବନ୍ଦ ରହିବା ଓ ଅଣ କରୋନା ରୋଗୀମାନଙ୍କ ଚିକିତ୍ସା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ କରୋନା ଯୋଗୁ ମୃତ୍ୟୁ ସଂଖ୍ୟା ଠାରୁ ଅଣ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଅସମ୍ଭବ ନୁହେଁ ବୋଲି ସି.ପି.ଆଇ.(ଏମ୍‍) ଅଭିଯୋଗ କରିଛି  ।

ଏହା ସହିତ ଭୁବନେଶ୍ୱରସ୍ଥି ଘରୋଇ ଡାକ୍ତରଖାନା ମାନଙ୍କରେ ଗଞ୍ଜାମ ଜିଲ୍ଲାର ଅଣ କରୋନା ରୋଗୀମାନଙ୍କୁ ଭର୍ତ୍ତି କରାଯାଉ ନ ଥିବା ଘଟଣାକୁ ସି.ପି.ଆଇ.(ଏମ୍‍) ଓଡିଶା ରାଜ୍ୟ କମିଟି ତୀବ୍ର ନିନ୍ଦା କରୁଛି । ଗତ ଛ’ ମାସ ଧରି ପୀଡ଼ିତ ଥିବା ବ୍ରହ୍ମପୁରର ନରସିଂହ କୁଣ୍ଡୁ ନାମକ ଜଣେ ଅଣ କରୋନା ରୋଗୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ୱରର ତିନୋଟି ଘରୋଇ ହସପିଟାଲ ଭର୍ତ୍ତି କରିବାକୁ ହସପିଟାଲ କର୍ତ୍ତୃପକ୍ଷମାନେ ମନା କରି ଦେବାରୁ ତିନିଘଣ୍ଟା ପରେ ଆମ୍ବୁଲାନ୍ସରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଭଳି ହୃଦୟ ବିଦାରକ ଘଟଣା ଘଟିଛି ।

ଓଡିଶା ରାଜ୍ୟ ସରକାରଙ୍କ ଅନୁମୋଦନ ସାହାଯ୍ୟ ଓ ସରକାରୀ ଜମି ନେଇ ଘରୋଇ ବ୍ୟବସାୟିକ ହସପିଟାଲ ପ୍ରତିଷ୍ଠା କରିଥିବା ଏହି ସଂସ୍ଥାମାନେ ନିର୍ଦ୍ଦିଷ୍ଟ ଜିଲାର ରୋଗୀଙ୍କୁ ଭର୍ତ୍ତି କରିବାକୁ ନଦେବା ବାଛ ବିଚାରମୂଳକ ଅପରାଧିକ କାର୍ଯ୍ୟ ବୋଲି ସି.ପି.ଆଇ.(ଏମ୍‍) ପକ୍ଷରୁ ଅଭିଯୋଗ କରାଯାଇଛି । ଖବରକାଗଜ ଓ ମିଡିଆରେ ପ୍ରସାରଣ ଓ  ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ଏହି ଘରୋଇ ହସପିଟାଲମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ଦୂର୍ଭାଗ୍ୟଜନକ। ଆଜି ସି.ପି.ଆଇ.(ଏମ୍‍) ଓଡିଶା ରାଜ୍ୟ କମିଟି ପକ୍ଷରୁ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଆଉ ଏକ ପତ୍ର ମାଧ୍ୟମରେ ସବୁ ଜିଲା ଓ ରାଜ୍ୟ ରାଜଧାନୀରେ ଅଣ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ମାନଙ୍କରେ ବ୍ୟବସ୍ଥା କରିବା ସହ ଗଞ୍ଜାମ ଜିଲାର ରୋଗୀଙ୍କୁ ଭର୍ତ୍ତି କରାଇ ଦେଇ ନ ଥିବା ଘରୋଇ ହସ୍‍ପିଟାଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ଦାବି କରାଯାଇଛି ।

Comments are closed.