ଅଚିହ୍ନା ଶବର ସାଥୀ ମଧୁସ୍ମିତା; ୧୮ଶହ ଉଠାଇଲେଣି, ୨ ଶହ ସତ୍କାର କଲେଣି

ଭୁବନେଶ୍ୱର : ‘ମୁଁ ଅଚିହ୍ନା ଶବର ସାଥୀ। ଅସହାୟ ଓ ଅବହେଳିତଙ୍କ ଲାଗି ପୂର୍ଣ୍ଣ ସମର୍ପିତ। ଯାହାର କେହି ନାହାନ୍ତି ତା’ର ମୁଁ ଅଛି।’ ଏ କଥା କହିଛନ୍ତି ମଧୁସ୍ମିତା ପୃଷ୍ଟି।
ଘର ସଂସାର ଜଞ୍ଜାଳ ଭିତରେ ବି ତାଙ୍କ ଆଖି ଖୋଜେ ସେହି ଅସହାୟ ଲୋକଙ୍କୁ। ଅସୁବିଧାରେ ପଡ଼ିଥିବା ଲୋକଙ୍କ ଫୋନ୍‌ କଲ୍‌କୁ ସବୁ ବେଳେ ସେ ଅପେକ୍ଷା କରିଥାଆନ୍ତି। କଲ୍‌ ଆସିବା ମାତ୍ରେ ସେ ବାହାରି ପଡ଼ନ୍ତି। କେତେବେଳେ ସେ ରେଳଧାରଣାରେ ପଡ଼ିଥିବା ଶବ ଉଠାନ୍ତି ତ ପୁଣି କେତେବେଳେ ମୁଖାଗ୍ନି ଦିଅନ୍ତି। ମଧୁସ୍ମିତାଙ୍କ ହୃଦୟରେ ଦରଦ ଯେତିକି ମନରେ ମଧ୍ୟ ସାହସ ସେତିକି ରହିଛି।
ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ରହନ୍ତି ମଧୁସ୍ମିତା। ଶବ ସତ୍କାର ଭଳି ମହତ୍‍ କାର୍ଯ୍ୟରେ ନିଜକୁ ସେ ନିୟୋଜିତ କରିଛନ୍ତି। ଏଭଳି ଅଚିହ୍ନା ଲୋକଙ୍କ ଶବ ଦାହ କରି ସମାଜ ପାଇଁ ସେ ଉଦାହରଣ ପାଲଟିଛନ୍ତି। ଏମିତି କି ସମସ୍ତେ ଥାଇ ମଧ୍ୟ ଶେଷ ଯାତ୍ରାରେ ଶବକୁ କାନ୍ଧରେ ନେବା ପାଇଁ ଆତ୍ମୀୟଙ୍କ ପାଖରେ ସମ୍ବଳ ନଥାଏ। ଆଉ ଏଭଳି ପରିସ୍ଥିତିରେ ମଧୁସ୍ମିତା ସେମାନଙ୍କୁ ସହଯୋଗର ହାତ ବଢ଼ାନ୍ତି। ନିଜ ଆମ୍ବୁଲାନ୍ସରେ ଶବ ଆଣି ଶେଷକୃତ୍ୟ ସମ୍ପନ୍ନ କରନ୍ତି।
ନୟାଗଡ଼ ଗୁଣପୁରରେ ମଧୁସ୍ମିତାଙ୍କ ବାପଘର। ପରିବାର କହିଲେ ବାପା ମା’ ଓ ୪ ଭଉଣୀ। ବହୁ ଦୁଃଖ କଷ୍ଟରେ ବାପା ୪ଝିଅଙ୍କୁ ପାଠ ପଢ଼ାଇଥିଲେ। ପାଠ ପଢ଼ା ଶେଷ ପରେ କଲକାତାରେ ନର୍ସ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେଠାରେ ରୋଗୀଙ୍କ ସେବାରେ ହିଁ ନିଜ ଜୀବନକୁ ସମର୍ପିତ କରିଦେଇଥିଲେ। ବିବାହ ପରେ ପରିବାରର ଆର୍ଥିକ ପରିସ୍ଥିତି ଏତେ ସ୍ୱଚ୍ଛଳ ନଥିଲା। ସ୍ବାମୀ ଯାହା ରୋଜଗାର କରୁଥିଲେ ସେଥିରେ ଦୁଇ ପିଲାଙ୍କୁ ମଣିଷ କରିବାରେ ଲାଗିପଡ଼ିଲେ। ସ୍ୱାମୀଙ୍କ ଗରିବ ଲୋକଙ୍କୁ ସାହାଯ୍ୟ ମନୋବୃତ୍ତି, ଅଚିହ୍ନା ଶବ ଦାହ କରିବା ସମୟକ୍ରମେ ମଧୁସ୍ମିତାଙ୍କୁ ଅନୁପ୍ରେରିତ କରିଥିଲା। ସେ ତାଙ୍କୁ ସହଯୋଗ କରିବା ପାଇଁ ହାତ ବଢ଼ାଇଲେ।
ନିଜେ ଗାଡ଼ି ଚଳାଇ ବିଭିନ୍ନ ଜାଗାରୁ ଅଚିହ୍ନା ଶବ ଆଣି ସଂସ୍କାର କରୁଛନ୍ତିି ମଧୁସ୍ମିତା। ଦିନରେ ଯେଉଁଠି ଏଭଳି ଘଟଣା ଘଟୁଛି ସେଠାକୁ ନିଜେ ଯାଉଥିବା ବେଳେ ରାତିରେ ସ୍ୱାମୀଙ୍କୁ ସହଯୋଗ କରୁଛନ୍ତି। ଏଯାବତ ସେ ପାଖାପାଖି ୧୮ଶହରୁ ଦୁଇ ହଜାର ଶବ ଉଠାଇଥିବା ବେଳେ ୨୦୦ ପାଖାପାଖି ଶବ ସତ୍କାର କରିସାରିଲେଣି। ପୁଲିସ ପକ୍ଷରୁ ତାଙ୍କୁ କିଛି ସହାୟତା ମିଳିଥାଏ। ତେବେ କରୋନା ସମୟରେ ଟ୍ରେନ୍‌ କମ୍‌ ଚାଲୁଥିବାରୁ ଏଭଳି ଘଟଣା କମ୍‌ ରହିଛି। ତଥାପି ନିଜ ଜୀବନକୁ ବାଜି ଲଗାଇ ଏଭଳି କାର୍ଯ୍ୟ କରୁଛନ୍ତି। କରୋନା ମହାମାରୀକୁ ଖାତିର ନ କରି ସମାଜସେବା ଓ ନିଜ କର୍ତ୍ତବ୍ୟକୁ ସେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏଭଳି କାର୍ଯ୍ୟରେ ଶାନ୍ତି ମିଳୁଛି। ଯେତେଦିନ ପର୍ଯ୍ୟନ୍ତ ପାରିବି ସେପର୍ଯ୍ୟନ୍ତ ଏହି ମହତ କାର୍ଯ୍ୟ କରିବି ବୋଲି ମଧୁସ୍ମିତା କହିଛନ୍ତି।

Comments are closed.