ନାଁକୁ ମାତ୍ର ଚାଲିଛି ବସ୍‌ ; ଘରୋଇ ବସ୍‌ ସଂଖ୍ୟା ୧୪ହଜାର, ଗଡୁଛି ୭୦୦

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲକଡାଉନ ଓ ସଟଡାଉନ ଭିତରେ ରାଜ୍ୟରେ ପରିବହନ ସେବା ପ୍ରାୟ ଦୁଇ ମାସରୁ ଅଧିକ କାଳ ଅଚଳ ହୋଇପଡ଼ିଥିଲା। ଲକଡାଉନ କୋହଳ ହେବା ପରେ ବହୁ ବିଳମ୍ବରେ ବସ ସେବା ଆରମ୍ଭ ହୋଇଥିଲେ ହେଁ ଏବେ ରାଜ୍ୟରେ ନଁାକୁ ମାତ୍ର ଚାଲିଛି ବସ୍। କେଉଁଠି ଲୋକେ ଯିବାକୁ ଚାହୁଁଥିଲେ ବସ ନାହିଁ ତ ଆ ଉ କେଉଁଠି ବସ ଥିଲେ ଯାତ୍ରୀ ନାହାନ୍ତି। ସହରାଞ୍ଚଳରୁ ଆରମ୍ଭ କରି ଅର୍ଦ୍ଧସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏବେ ବି ଯାତ୍ରୀ ପରିବହନ ସେବା ସ୍ବାଭାବିକ ସ୍ଥିତିକୁ ଆସିନାହିଁ। ନା ଘରୋଇ ନା ସରକାରୀ କୌଣସି ବସ ସେବା ସ୍ବାଭାବିକ ହୋଇପାରୁନି। କରୋନା ପରିବହନ କ୍ଷେତ୍ର ବି​‌​ଶେଷ କରି ବସ ସେବା ଉପରେ ନିର୍ଭର କରୁଥିବା ଯାତ୍ରୀ ବେଶ ହଟହଟା ହେଉଥିବାବେଳେ ଏ କ୍ଷେତ୍ରରୁ ରୋଜଗାର କରି ଚଳୁଥିବା କର୍ମଚାରୀଙ୍କ ଅବସ୍ଥା ବି ଦୁର୍ଦିନ ଭିତରକୁ ଠେଲିହୋଇଯାଇଛି। ସେମାନଙ୍କ ପାଇଁ ବିକଳ୍ପ କର୍ମସଂସ୍ଥାନ ବି ମିଳୁନାହିଁ।

ରାଜ୍ୟରେ ମୋଟ ଘରୋଇ ବସଗୁଡ଼ିକର ସଂଖ୍ୟା ପ୍ରାୟ ୧୪ହଜାର। କିନ୍ତୁ ଏଥିରୁ ରାସ୍ତାରେ ଏବେ ଗଡ଼ୁଛି ମାତ୍ର ୭୦୦ ବସ୍। ରାଜଧାନୀ ଭୁବନେଶ୍ବରରେ ସାଧାରଣ ଭାବେ ଦୈନିକ ୧୫୦୦ରୁ ୧୮୦୦ ପାଖାପାଖି ବସ ଚାଲିଥାଏ। କିନ୍ତୁ କରୋନା ମାଡ଼ରେ ଏ ସଂଖ୍ୟ​‌ା ୧୫୦ରୁ ୧୬୦ଭିତରେ ସୀମିତ ରହିଛି। ଆଉ ଶନିବାର ଏବଂ ରବିବାରେ ଏ ସଂଖ୍ୟା ୨୫ରୁ ୩୦କୁ ଖସିଯାଉଛି। ସବୁଠୁ ବଡ଼ ସମସ୍ୟା ହେଉଛି ବସରେ ଯାତ୍ରୀ ହେଉନାହାନ୍ତି। ଅଧିକାଂଶ ଲୋକେ ଦୁଇଚକିଆ, ଚାରିଚକିଆ ଉପରେ ନିର୍ଭର କରୁଛନ୍ତି। ସହର ବଜାରରେ ଏବେ ଏସବୁ ଯାନର ଅସମ୍ଭବ ଭିଡ଼। ମାର୍ଚ୍ଚ ୨୪ରୁ ରାଜ୍ୟରେ ବସ ସେବା ବନ୍ଦ ଥିଲା। ମେ ୨୮ରେ କଟକଣା କୋହଳ ପରେ ବସ ସେବା ସ୍ବାଭାବିକ ହେଲା ବୋଲି ଘୋଷଣା କରାଗଲା। ହେଲେ ଏ ପର୍ଯ୍ୟନ୍ତ ବାସ୍ତବରେ ବସ ସେବା ସ୍ବାଭାବିକ ସ୍ଥିତିକୁ ଆସିବା ସମ୍ଭବ ହୋଇନି।

କଟକଣା କୋହଳ ଭିତରେ ବି ପ୍ରଥମେ ବସ ମାଲିକ ବସ ଚଳାଇବାକୁ ଅମଙ୍ଗ ହେଉଥିଲେ। ଟିକସ ପ୍ରଦାନ କରିବାକୁ ସେମାନଙ୍କର ‌ସାମର୍ଥ୍ୟ ନଥିଲା। ଯାତ୍ରୀ ପରିବହନ ସ୍ବାଭାବିକ କରିବାକୁ ସରକାର ମାଲିକ ସଂଘ ସହିତ ଆଲୋଚନା କରିବା ପରେ କ୍ଷତି ଭରଣା ଓ ଟିକସ ଛାଡ଼ ପାଇଁ ବସ ମାଲିକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଟିକସ ଛାଡ଼ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସଂଘ ଓ ସରକାରଙ୍କ ଭିତରେ ଆପୋସ ଆଲୋଚନା ପରେ ବସ ଚଳାଚଳ ସ୍ବାଭାବିକ ହେବ ବୋଲି ଘୋଷଣା କରାଗଲା। ହେଲେ ଏପର୍ଯ୍ୟନ୍ତ ବସ ସେବା ସ୍ବାଭାବିକ ହୋଇପାରିନି।

ଏବେ ଭୁବନେଶ୍ବର ଓ କଟକକୁ ରାଜ୍ୟର ୩୦ଟି ଜିଲାରୁ ବସ ଆସୁଛି। ବି​‌​‌ଶେଷ କରି ନାଇଟ କୋଚଗୁଡ଼ିକ ନିୟମିତ ଆସୁଥିଲେ ହେଁ ଅନ୍ୟାନ୍ୟ ବସ ସେବା ସ୍ବାଭାବିକ ହୋଇପାରିନି। ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ସେ ବସରେ ଯାତ୍ରୀ ହେଉନାହାନ୍ତି। ବସରେ ଯାତ୍ରା ପାଇଁ ଲୋକଙ୍କ ଭିତରେ ଏବେ ବି ଭୟ ରହିଛି। ଆବଶ୍ୟକ ସଂଖ୍ୟାରେ ଯାତ୍ରୀ ନଥାଇ ବସ ଚଳାଇବା ସମ୍ଭବ ହେଉନି। କାରଣ ବସ ମାଲିକଙ୍କୁ ଏଥିପାଇଁ ବହୁ କ୍ଷତି ସହିବାକୁ ପଡ଼ୁଛି।
ଯାତ୍ରୀ ପରିବହନ ସ୍ବାଭାବିକ ହେବା ପଛରେ ତେଲ ଦର ବୃଦ୍ଧି ମଧ୍ୟ ଅନ୍ୟ ଏକ ପ୍ରମୁଖ କାରଣ। ଗତ ୨୦ ଦିନ ଧରି ରାଜ୍ୟରେ ଡିଜେଲ ଦର କ୍ରମାଗତ ଭାବେ ବଢ଼ିଚାଲିଛି। ଡ଼ିଜେଲ ଦର ହାରାହାରି ଲିଟର ପିଛା ୮୦ଟଙ୍କା ଛୁଇଁଲାଣି। ଗୋଟିଏ ଲିଟର ଡ଼ିଜେଲରେ ସର୍ବାଧିକ ଗୋଟିଏ ବସ ୪କିମି ଚାଲିପାରିବ। ଗୋଟିଏ କିମିକୁ ଖର୍ଚ୍ଚ ହାରାହାରି ୨୦ଟଙ୍କା ପଡ଼ୁଛି। ଏଭଳି ସ୍ଥିତିରେ ଯାତ୍ରୀ ଯଥେଷ୍ଟ ସଂଖ୍ୟାରେ ନହେଲେ ବସ ଚଳାଇବା ମୁସ୍କିଲ । ଏହାଛଡ଼ା କେବଳ ତେଲ ନୁହେଁ ବସ ଚଳାଇବା ଏବଂ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବହୁ ଅଧିକ।
ଅନ୍ୟପକ୍ଷରେ ରାଜ୍ୟରେ ସରକାରୀ ବସ ମଧ୍ୟ ଠିକଣା ଭାବେ ରାସ୍ତାରେ ଗଡ଼ୁନି। ଯାହା କିଛି ଚାଲିଥିଲା ତାହା ଧୀରେ ଧୀରେ ବନ୍ଦ ହେବାରେ ଲାଗିଛି। ଓଏସଆରଟିସି ପକ୍ଷରୁ ଗାଡ଼ି ଚଳାଚଳ କରିବାର କିଛି ଦିନ ପରେ ଦେଖାଗଲା ଗାଡ଼ିରୁ ଯେତିକି ଆଦାୟ ହେଉଛି ତାଠାରୁ ଅଧିକ ଖର୍ଚ୍ଚ ହେଉଛି। ଦିନକୁ ହାରାହାରି ହଜାରେରୁ ଦେଢ଼ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ୁଛି ବୋଲି ଅନେକ ମାଲିକ ଅଭିଯୋଗ କରୁଛନ୍ତି। ତେଣୁ ବସ ସେବା ଜାରି ରଖିବା ବି ସମ୍ଭବ ହେଉନାହିଁ।
ଘରୋଇ ଭାବେ ଯେତିକି ବସ ଚାଲିଛି ତାହା ନିୟମିତ ଭାବେ ଚାଲୁନି। ବିଶେଷ କରି ଭୁବନେଶ୍ବରରୁ ବାଲେଶ୍ବର ଭଳି ରୁଟରେ ୧୫୦ଗାଡ଼ି ଚାଲିଥିଲେ ବି ସବୁ ଗାଡ଼ି ସବୁଦିନ ଚାଲୁନାହିଁ। କାରଣ ବସରୁ ଲାଭ ମିଳୁନି । ଏହାଛଡ଼ା ବସକୁ ଦିନକୁ ଦୁଇଥର ବିଶୋଧନ କରିବା, କର୍ମଚାରୀଙ୍କୁ ମାସ୍କ ପ୍ରଦାନ ଓ ଆନୁଷଙ୍ଗିକ ଖର୍ଚ୍ଚ ଦେଇ ସେବା ଜାରି ରଖିବାକୁ ଉଦ୍ୟମ ଚାଲିଥିଲେ ହେଁ ଯାତ୍ରୀ ସଂଖ୍ୟା କମିଯାଉଛି। ତେଣୁ ମାଲିକଙ୍କ ପକ୍ଷରେ ନିୟମିତ ବସ ଚଳାଇବା ବି ସମ୍ଭବ ହେଉନାହିଁ।
ତେଲ ଦର ବଢ଼ିଲେ ସ୍ବୟଂଚାଳିତ ବ୍ୟବସ୍ଥା ଅନୁସାରେ ବସ ଭଡ଼ା ବୃଦ୍ଧିର ବ୍ୟବସ୍ଥା ରହିଛି। ମାତ୍ର ଗତ ୧୬ ତାରିଖରେ ବସ ଭଡ଼ା ବୃଦ୍ଧି କରାଯିବାପରେ ଗତ କିଛି ଦିନ ଭିତରେ ତେଲ ଦାମ ପୁଣି ୭ରୁ ୮ଟଙ୍କା ବଢ଼ିଛି। ତେଣୁ ଭଡ଼ା ବଢ଼ାଇଲେ ବି ଯାତ୍ରୀଙ୍କଠାରୁ ଏହା ଭରଣା କରିବା ସମ୍ଭବ ହେଉନାହିଁ।

Comments are closed.