ପୃଥିବୀରେ ଦେଖାଯିବ ମହାଜାଗତିକ ଘଟଣା: ଆସନ୍ତା ଚନ୍ଦ୍ର ମାସରେ ହେବ ଦୁଇଟି ଚନ୍ଦ୍ର ଗ୍ରହଣ ଓ ଗୋଟିଏ ସୂର୍ଯ୍ୟ ପରାଗ

ଭୁବନେଶ୍ବର: ଆମେ ସମସ୍ତେ ଇଂରାଜୀ କ୍ୟାଲେଣ୍ଡରର ମାସ ସହିତ ଖୁବ୍ ପରିଚିତ। ତେବେ ଏହି କ୍ୟାଲେଣ୍ଡର ପ୍ରଚଳନର ଢେର ପୂର୍ବରୁ ଲୋକମାନେ ଚନ୍ଦ୍ରର ଗତିରୁ ମାସର କଳ୍ପନା କରିଥିଲେ। ଏକ ଚନ୍ଦ୍ର ମାସ କହିଲେ ଆମେ ଗୋଟିଏ ପୂର୍ଣ୍ଣିମା ରୁ ପରବର୍ତ୍ତି ପୂର୍ଣ୍ଣିମା ନଚେତ୍ ଗୋଟିଏ ଅମାବାସ୍ୟରୁ ପରବର୍ତ୍ତି ଅମାବାସ୍ୟ ଭିତରେ ଥିବା ୩୧ ଦିନକୁ ବୁଝିଥାଉ। ଆସନ୍ତା ଜୁନ୍ ୫ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ସଙ୍ଗଠିତ ହେବ ୨ଟି ଉପଛାୟା- ଚନ୍ଦ୍ର ଗ୍ରହଣ ଓ ଗୋଟିଏ ସୂର୍ଯ୍ୟ ପରାଗ। ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଗୋଟିଏ ଗୋଟିଏ ବିରଳ ମହାଜାଗତିକ ଘଟଣା । ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ। ବିଶ୍ବର ଅନେକ ଦେଶର ବୈଜ୍ଞାନିକମାନେ ଏବେଠୁ ଲାଗିପଡିଲେଣି ଏହି ସମୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବାକୁ। କିନ୍ତୁ ଠିକ୍ ଏତିକି ବେଳେ କିଛି ଲୋକ ସୋସିଆଲ୍ ମିଡିଆରେ ଏ ବିଷୟରେ ଅପ ପ୍ରଚାର ଓ କିଛି ଭ୍ରମାତ୍ମକ ଖବର ଦ୍ବାରା ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ନିମ୍ନରେ ଦୁଇଟି ଗ୍ରହଣ ଏବଂ ଗୋଟିଏ ପରାଗର ସଂପୂର୍ଣ୍ଣ ବୈଜ୍ଞାନିକ ବିବରଣୀ ଦିଆଗଲା।

ଉପଛାୟା-ଚନ୍ଦ୍ର ଗ୍ରହଣ କଣ : ଚନ୍ଦ୍ର ଗ୍ରହଣ ସମୟରେ ‘ଚନ୍ଦ୍ର ଓ ସୂର୍ଯ୍ୟଦ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ। ପୃଥିବୀର ଦୁଇପ୍ରକାରର ଛାଇ ରହିଛି। ପ୍ରଥମଟି ଛାୟା ଯାହା ଏକ ଗାଢା କଳା ରଙ୍ଗର ଛାଇ ଓ ଖାଲି ଆଖିରେ ପରିଷ୍କାର ଦେଖି ହୁଏ ଓ ଦ୍ବିତୀୟଟି ଉପଛାୟା : ଏକ ଫିକା କଳା ଛାଇ ଯାହା ଖାଲି ଆଖିରେ ଦେଖିବା କଷ୍ଟକର। ଉପଛାୟାଟି ବଡ ଓ ଅଧିକ ଅଞ୍ଚଳରେ ପଡୁଥିଲାବେଳେ ଛାୟାଟି ଛୋଟ ତ୍ରିଭୁଜ ବା ଶଙ୍କୁ ଆକାରର। ବିଜ୍ଞାନର ବ୍ୟାକ୍ଷାନରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ ଓ ଏଥିରୁ ପୁରା ବାହାରି ଗଲେ ଗ୍ରହଣ ଶେଷ ହୋଇଥାଏ । ଅନେକ ସମୟରେ ଚନ୍ଦ୍ର ଛାୟା ଭିତରେ ପ୍ରବେଶ ନକରି କେବଳ ଉପଛାୟାରେ ପ୍ରବେଶ କରି ସେଥିରୁ ବାହାରିଯାଇଥାଏ। ଯେହେତୁ ଚନ୍ଦ୍ର ଉପଛାୟାରେ ଥିବା ସମୟରେ ଖାଲି ଆଖିରେ ଦେଖିହୁଏନାହିଁ ବୋଧହୁଏ ସେଥିପାଇଁ ଆମ ଶାସ୍ତ୍ରରେ ଏହାକୁ ଗ୍ରହଣ ରୂପେ ଗଣନା କରାଯାଇ ନାହିଁ ଓ କୌଣସି ପଞିକାରେ ଏହାର ଉଲ୍ଲେଖ କରାଯାଏ ନାହିଁ କିନ୍ତୁ ବୈଜ୍ଞାନିକମାନେ ଏହାକୁ ଏକ ଗ୍ରହଣ ରୂପେ ଗଣନା କରନ୍ତି କାରଣ ଏଠି ଚନ୍ଦ୍ରର ଛାଇ ପୃଥିବୀରେ ପଡୁଛି।
ବଳୟ ସୂର୍ଯ୍ୟ ପରାଗ କଣ : ସୂର୍ଯ୍ୟ, ଚନ୍ଦ୍ର ତୁଳନାରେ ଆକାରରେ ଖୁବ୍ ବଡ କିନ୍ତୁ ଆମ ଆକାଶରେ ଦୁଇଟି ପିଣ୍ଡ ସମାନ ଆକାରର ଦେଖାଯାନ୍ତି। ତେଣୁ ପରାଗ ସମୟରେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ମଝିରେ ଏକ ସରଳରେଖାରେ ରହିଲେ, ଚନ୍ଦ୍ର ସୂର୍ଯ୍ୟକୁ ପୂରା ଘୋଡାଇ ଦେଇଥାଏ। ଆମେ ଜାଣିଛେ ଯେ ଚନ୍ଦ୍ର ପୃଥିବୀ ଚାରିପଟେ ଏକ ଉପବୃତ୍ତାକାର ପଥରେ ଘୂରିବୁଲୁଛି ଫଳରେ ପୃଥିବୀର ନିକଟରେ ଥିବା ସମୟରେ ଏହା ଅମଠାରୁ ପ୍ରାୟ ୩ ଲକ୍ଷ ୬୫ ହଜାର କିଲୋମିଟର ଦୂରରେ ରହୁଥିବା ବେଳେ ଦୂରରେ ଥିବାସମୟରେ ଏହା ୪ ଲକ୍ଷ ୫ ହଜାର କିଲୋମିଟର ଦୂରରେ ରୁହେ। ଫଳରେ ନିକଟରେଥିବା ସମୟରେ ଚନ୍ଦ୍ର ଆମକୁ ପ୍ରାୟ ୧୨ % ବଡ ଦେଖାଯାଏ ଓ ଏହି ସମୟରେ ସୂର୍ଯ୍ୟ ପରାଗ ଘଟିଲେ ଚନ୍ଦ୍ର ସଂପୂର୍ଣ୍ଣ ରୂପେ ସୂର୍ଯ୍ୟକୁ ଘୋଡ଼ାଇ ଦେଇଥାଏ ଓ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହୁଏ। କିନ୍ତୁ ଆମଠାରୁ ଦୂରରେ ଥିବା ସମୟରେ ଚନ୍ଦ୍ର ଆମକୁ ଛୋଟ ଦେଖାଯାଏ ଓ ସେହି ଅବସ୍ଥାରେ ପରାଗ ଘଟିଲେ ଛୋଟ ଦେଖାଯାଉଥିବା ଚନ୍ଦ୍ରଟି ସଂପୂର୍ଣ୍ଣ ରୂପେ ସୂର୍ଯ୍ୟକୁ ଘୋଡ଼ାଇ ପାରେନାହିଁ ଓ ସୂର୍ଯ୍ୟ ଚାରି ପାଖରେ ଏକ ବଳୟ ଦେଖାଯାଏ । ଏହାକୁ ବଳୟ ସୂର୍ଯ୍ୟ ପରାଗ କୁହାଯାଏ । ଜୁନ୍ ମାସ ୨୧ ତାରିଖରେ ହେବାକୁ ଥିବା ବଳୟ ସୂର୍ଯ୍ୟ ପରାଗଟି ଉତ୍ତର ଭାରତର କିଛି ଅଞ୍ଚଳକୁ ପୂରା ଦେଖାଯିବ। ଓଡିଶାରେ ଏହା ୬୦% ରୁ ୭୨% ଆଂଶିକ-ପରାଗ ଭାବେ ଦେଖାଯିବ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments
Loading...