ବିହନ ଓ ସାର ଯୋଗାଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି : ଅରୁଣ ସାହୁ

ଖରିଫ ଚାଷ ପରିପ୍ରେକ୍ଷୀରେ କୃଷିବିଭାଗର ବରିଷ୍ଠ ଅଧିକାରୀମାନଙ୍କ ବୈଠକ

ଭୁବନେଶ୍ୱର : ଚଳିତ ଖରିଫରେ ଚାଷୀମାନଙ୍କୁ ଉନ୍ନତ ବିହନ, ସାର ଏବଂ କୃଷି ସାମଗ୍ରୀ ଯୋଗାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଚାଷୀମାନେ ଯେପରି ସୁବିଧାରେ ବିହନ ଓ ସାର ଆବଶ୍ୟକ ଅନୁସାରେ ପାଇପାରିବେ, ସେଥିନିମନ୍ତେ ତଦାରଖ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଜିଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ କହିଛନ୍ତି। ଏଥି ସହିତ କୋଭିଡ଼-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଖରିଫ ଚାଷର ଗୁରୁତ୍ୱକୁ ଦୃଷ୍ଟିରେ ରଖି କୃଷି ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହକୁମା ଛାଡି ନ ଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତି। ଆଜି ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀମାନଙ୍କ ବୈଠକରେ ଅଧ୍ୟକ୍ଷତାକରି ଅରୁଣ ସାହୁ ବିହନ ଓ ସାର ଯୋଗାଣ ସଂପର୍କରେ ସମୀକ୍ଷା କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟରେ ଖରିଫ ଚାଷକୁ ପ୍ରାଥମିକତା ପ୍ରଦାନ କରି କୃଷିକାର୍ଯ୍ୟକୁ ଆଗେଇ ନେବାପାଇଁ କୃଷି ଅଧିକାରୀମାନଙ୍କୁ ଅଧିକ ତତ୍ପରତା ପ୍ରକାଶ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଥିଲେ। ଜୁନ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ସମସ୍ତ ନୋଡାଲ ଅଧିକାରୀସେମାନଙ୍କ ଦାୟିତ୍ୱରେ ଥିବା ଜିଲା ପରିଦର୍ଶନ କରି ତୃଣମୂଳ ସ୍ତରରେ ଚାଷ କାର୍ୟ୍ୟରେ ଉପୁଜୁଥିବା ସମସ୍ୟାର ସମାଧାନ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀର ଯୋଗାଣକୁ ନିଶ୍ଚିତ କରିବା ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ସୋସିଆଲ୍‍ ମିଡିଆର ବହୁଳ ଉପଯୋଗ କରି ଚାଷୀମାନଙ୍କୁ ସିଧାସଳଖ ସୂଚନା ପ୍ରଦାନ ଓ ପରାମର୍ଶ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରତି ପଞ୍ଚାୟତରେ ହ୍ୱାଟ୍ଆପ୍ ଗ୍ରୁପ ଗଠନ କରି ଏଥିରେ ଅଧିକରୁ ଅଧିକ ଚାଷୀମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଡ଼ଃ ସାହୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ କୋଭିଡ଼୍‍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୁରତ୍ୱ, ମାସ୍କ ପରିଧାନ ଏବଂ ସାନିଟାଇଜେସନକୁ କଡାକଡ଼ି ଭାବରେ ଅନୁପାଳନ କରିବାକୁ ମନ୍ତ୍ରୀ ଡ଼ଃ ସାହୁ କହିଥିଲେ। ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନର ନିର୍ଦ୍ଦେଶକ ଡ଼ଃ ଏମ୍‍. ମୁଥୁ କୁମାରଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.