ଏଣିକି ଶିଳ୍ପ ସଂସ୍ଥାରେ ୮ ଘଣ୍ଟା ବଦଳରେ ଦିନକୁ ୧୨ ଘଣ୍ଟା କାମ

କର୍ମଚାରୀଙ୍କୁ ମିଳିବ ସପ୍ତାହରେ ୨୪ ଘଣ୍ଟାର ଓଭର ଟାଇମ୍ ପାରିଶ୍ରମିକ

ଭୁବନେଶ୍ବର: ଶିଳ୍ପ ସଂସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ନୂତନ ବ୍ୟବସ୍ଥା କରିଛନ୍ତି । କରୋନା ସ୍ଥିତିରେ ଉତ୍ପାଦନବୃଦ୍ଧି ନିମନ୍ତେ କାରଖାନାରେ କର୍ମଚାରୀଙ୍କୁ ଦୈନିକ ୧୨ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ଅନୁମତି ଦିଆଯାଇଛି । ସପ୍ତାହର ଛୁଟିଦିନ ବ୍ୟତୀତ ୬ କାର୍ଯ୍ୟ ଦିବସରେ ଜଣେ କର୍ମଚାରୀ ସର୍ବାଧିକ ୭୨ ଘଣ୍ଟା କାର୍ଯ୍ୟ କରି ପାରିବ । ତେବେ କୌଣସି ସାବାଳକ ଶ୍ରମିକଙ୍କୁ ଏକକାଳୀନ ୬ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ଦିଆଯାଇ ପାରିବ ନାହିଁ ଏବଂ ମଝିରେ ଅନ୍ୟୂନ ଅଧ ଘଣ୍ଟାଏ ବିଶ୍ରାମ ଦେବାକୁ ପଡ଼ିବ । ଜଣେ କର୍ମଚାରୀ ଦିନରେ ସର୍ବାଧିକ ୧୩ ଘଣ୍ଟାରୁ ଅଧିକ ସମୟ କାରଖାନାରେ ରହିପାରିବ ନାହିଁ ।

ପୁନଶ୍ଚ ସରକାରଙ୍କ ସ୍ବତନ୍ତ୍ର ଅନୁମତି ବିନା କୌଣସି ମହିଳା ଶ୍ରମିକଙ୍କୁ କାରଖାନାରେ ସନ୍ଧ୍ୟା ୭ରୁ ସକାଳ ୬ଟା ମଧ୍ୟରେ କାମ କରିବାକୁ ଦିଆଯାଇ ପାରିବ ନାହିଁ । କାରଖାନା ଆଇନର ୫୯ ଧାରା ଅନୁସାରେ ଜଣେ ଶ୍ରମିକ ସପ୍ତାହକୁ ସର୍ବାଧିକ ୨୪ ଘଣ୍ଟା ଓଭର ଟାଇମ କରି ପାରିବେ ଏବଂ ଏଥିପାଇଁ ତାଙ୍କୁ ଦୈନିକ ଅତିରିକ୍ତ ୪ ଘଣ୍ଟାର ଓଭର ଟାଇମ୍ ମଜୁରୀ ଦିଆଯିବ ।

Comments are closed.