ପାଣିପାଗ ମପା ଯନ୍ତ୍ରପାତି : ସତର୍କ କରାଏ, ସମ୍ଭାବ୍ୟ ସୂଚନା ଦିଏ

ପାଣିପାଗ ପୂର୍ବାନୁମାନ ପାଇଁ ୨୪ଘଣ୍ଟା ସଜାଗ

ଭୁବନେଶ୍ୱର : ଭାରତ ମୌସମ ବିଜ୍ଞାନ ବିଭାଗର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନେକାଂଶରେ ନିଶ୍ଚିତ, ଯାହା ପର୍ଯ୍ୟବେକ୍ଷଣ ଉପରେ ପର୍ଯ୍ୟବସିତ । ସେଥିପାଇଁ ପାଣିପାଗର ପୂର୍ବାନୁମାନକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଇ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରାଯାଏ। ରାଜ୍ୟ ତଥା ଦେଶର ପାଣିପାଗ ସମ୍ପର୍କିତ ସଠିକ୍‌ ତଥ୍ୟ ପ୍ରକାଶ କରିଥାନ୍ତ ପାଣିପାଗ ବିଶେଷଜ୍ଞ। ପୂର୍ବାନୁମାନ ଓ ପର୍ଯ୍ୟବେକ୍ଷଣ ପାଇଁ ପାଣିପାଗ ବିଭାଗରେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ବ୍ୟବହାର କରାଯାଇଥାଏ। ପର୍ଯ୍ୟବେକ୍ଷଣ ଆଧାରରେ ପାଣିପାଗର ପୂର୍ବାନୁମାନ ହୁଏ।

ପାଣିପାଗ ସମ୍ଭାବ୍ୟ ସୂଚନା ପାଇଁ ଇନ୍‌ସାଟ୍‌-୩ଡ଼ି  ଏବଂ ଇନ୍‌ସାଟ୍‌-୩ଡିଆର୍‌ ବ୍ୟବହାର

ଭାରତ ମୌସମ ବିଜ୍ଞାନ ବିଭାଗ ପକ୍ଷରୁ  ‘ୱେଦର ସାଟେଲାଇଟ୍‌ କଳ୍ପନା’ ଦ୍ୱାରା ପ୍ରଥମେ ପାଣିପାଗ ପୂର୍ବାନୁମାନ କରାଯାଉଥିଲା। ଏବେ ଭାରତ ସରକାର ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଣିପାଗ ସମ୍ଭାବ୍ୟ ସୂଚନା ପାଇଁ ଇନ୍‌ସାଟ୍‌-ଥ୍ରିଡି ଏବଂ ଇନ୍‌ସାଟ୍‌-ଥି୍ରଡିଆର୍‌ ବ୍ୟବହାର କରାଯାଉଛି। ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିବା ‘ରାଡର’ରୁ ପାଣିପାଗ ଓ ଜଳବାୟୁ ସମ୍ବନ୍ଧୀୟ ସୂଚନା ମିଳିପାରୁଛି। ସମୁଦ୍ରର ଗତିବିଧି ଓ ତରଙ୍ଗ ସମ୍ପର୍କିତ ତଥ୍ୟ ‘ବୁଇଜ୍‌’ରୁ ଜଣାପଡ଼େ।ଯନ୍ତ୍ରପାତିଗୁଡ଼ିକ ଉପରେ ଯଦି ନଜର ପକାଯାଏ, ତେବେ ପ୍ରଥମତଃ ବିଚାରକୁ ନେବା ‘ଡ୍ରାଏ ବଲ୍‌ବ ଟେମ୍ପରେଚର(ଡିବିଟି)’ ମେସିନ୍‌କୁ। ଏହା ସାହାଯ୍ୟରେ ବାୟୁମଣ୍ଡଳର ତାପ ଓ ଆର୍ଦ୍ରତା ମଯାଯାଇଥାଏ। ଭୂମିରୁ ୧.୨ ମିଟର ଉପରେ ପ୍ରବାହିତ ପବନରେ ରହିଥିବା ତାପମାତ୍ରାକୁ ରେକର୍ଡ କରିଥାଏ ଏହି ମେସିନ୍‌। ସେହିପରି ‘ୱେଟ୍‌ ବଲ୍‌ବ ଟେମ୍ପରେଚର(ଡବ୍ଲୁବିଟି)’ ନାମକ ଏକ ମେସିନ ଦ୍ୱାରା ବାୟୁମଣ୍ଡଳର ଆପେକ୍ଷିକ ଆର୍ଦ୍ରତା(ହୁମିଡିଟି ଓ ମଶ୍ଚରାଇଜେସନ୍‌) ମପାଯାଇଥାଏ । ସେହିପରି ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ମାପିବାକୁ ସ୍ୱତନ୍ତ୍ର ମେସିନ୍‌ ରହିଛି।

ବର୍ଷାର ଅନୁପାତ ରେକର୍ଡ ପାଇଁ କ’ଣ ବ୍ୟବହାର କରାଯାଏ?

ବର୍ଷାର ଅନୁପାତ ରେକର୍ଡ କରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବ୍ୟବହୃତ ହୁଏ ‘ଅର୍ଡିନାରୀ ରେନ୍‌ଗେଜ୍‌(ଓଆର୍‌ଜି)’ ମେସିନ୍‌। ଏହି ମେସିନ୍‌ ମଧ୍ୟରେ ରହିଥିବା ଏକ କାହାଳୀ ଭଳି ପାତ୍ରରେ ବର୍ଷା ଜଳ ସଂଗ୍ରହ କରାଯାଏ। ବର୍ଷା ହେଉଥିଲେ ଏହାକୁ ଖୋଲାଜାଗାରେ ରଖାଯାଏ। ପ୍ରତି ୩ଘଣ୍ଟା ଅନ୍ତରରେ ଏଥିରେ ସଂଗ୍ରହ ବର୍ଷାଜଳରୁ ମାପକୁ ରେକର୍ଡ କରାଯାଏ। ପାତ୍ରରେ ରହିଥିବା ମାପ ଅନୁଯାୟୀ, ୪ରୁ୬ ସେଣ୍ଟିମିଟର ବର୍ଷାକୁ ସାଧାରଣ ବର୍ଷା, ୭ ସେଣ୍ଟିମିଟର ବର୍ଷାକୁ ପ୍ରବଳ ବର୍ଷା ଏବଂ ୧୩ ସେଣ୍ଟିମିଟର କିମ୍ବା ଏହାଠାରୁ ଅଧିକ ବର୍ଷାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ବୋଲି କୁହାଯାଇଥାଏ। ‘ସେଲ୍ଫ ରେକଡିଂ ରେନ୍‌ଗେଜ୍‌(ଏସ୍‌ଆର୍‌ଆର୍‌ଜି) ମେସିନ୍‌ରେ ବର୍ଷା ସମୟରେ ସଂରକ୍ଷିତ ବର୍ଷା ଜଳ ଆପେ ଆପେ ଗ୍ରାଫ୍‌ ସୃଷ୍ଟି କରିଥାଏ। ଗ୍ରାଫ୍‌କୁ ପର୍ଯ୍ୟବେକ୍ଷଣ କରାଯାଇ ସୂଚନା ଦିଆଯାଏ। ଦିନରାତି ବର୍ଷାକୁ ମଧ୍ୟ ଏଥିରେ ସଠିକ୍‌ ଭାବେ ଆକଳନ କରାଯାଇ ସୂଚନା ଦିଆଯାଇଥାଏ। ଅଟୋମେଟିକ୍‌ ୱେଦର ଷ୍ଟେସନ(ଏଡବ୍ଲୁ୍ୟଏସ୍‌) ଦ୍ୱାରା ପାଣିପାଗ ପୂର୍ବାନୁମାନ କରାଯାଇଥାଏ। ଏଡବ୍ଲୁଏସ୍‌ରେ ସେନ୍‌ସର ଲାଗିଛି। ଏହା ସିଧାସଳଖ ଭାବେ ଇନ୍‌ସାଟ୍‌କୁ ସଂଯୋଗ ହୋଇଥାଏ। ଇନ୍‌ସାଟ୍‌ ତଥ୍ୟ ଆଧାରରେ ପାଣିପାଗ ପୂର୍ବାନୁମାନ ହୁଏ। ପ୍ରତ୍ୟେକ ବିମାନରେ ‘ରାଡର୍‌’ ଲଗାଯାଇଥାଏ। ପାଇଲଟ୍‌ଙ୍କ ସହ ଯୋଗାଯୋଗ କରି ଆକାଶ ଓ ବାଦଲର ଗତିବିଧି ସୂଚନାକୁ ଆଧାର କରି ପାଣିପାଗ ପୂର୍ବାନୁମାନ କରିବାକୁ ପଡ଼ିଥାଏ। ସେହିପରି ଭୂକମ୍ପ ତଥ୍ୟ ଜାଣିବା ପାଇଁ ‘ସିସ୍‌ମୋମିଟର’ ବ୍ୟବହାର ହେଉଛି।  ସିସ୍‌ମୋମିଟର ରହିଛି ଏକ ମୁଭିଂ ବା ଘୂରୁଥିବା ଏକ ସିଲିଣ୍ଡର ଭରି ଯନ୍ତ୍ରାଂଶ, ଯେଉଁଥିରେ ଏକ ପିନ୍‌ ସଂଯୋଗ ରହିଛି। ଏହି ପିନ୍‌ ସହାୟତାରେ ଉକ୍ତ ସିଲିଣ୍ଡର ଭଳି ଯନ୍ତ୍ରାଂଶରେ ରହିଥିବା କାଗଜରେ ଗାର ପଡ଼ିବା ଭଳି ଲେଖାଚିତ୍ରକୁ ରେକର୍ଡ କରାଯାଏ। ଯଦି କୌଣସି ସମୟରେ ଭୂକମ୍ପ ହୁଏ ତେବେ ଏହି ରେଖାଚିତ୍ରଗୁଡ଼ିକ ଅନ୍ୟ ଚିତ୍ର ଅପେକ୍ଷା ବଡ଼ ଦେଖାଯାଏ। ତେବେ ଏଥିରୁ କେତେ ସମୟ ଭୂକମ୍ପ ହେଲା ତାହା ମପାଯାଇପାରିଥାଏ ବୋଲି ମୌସମ ବିଜ୍ଞାନୀ ଭରତ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।

କେଉଁଠି ଅଛି ପାଣିପାଗ ପୂର୍ବାନୁମାନ ଯନ୍ତ୍ର?

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ.ଶଶି କାନ୍ତ କହିଛନ୍ତି ଯେ ସର୍ବନିମ୍ନ  ଓ ସର୍ବୋଚ୍ଚ ତାପମାତ୍ର, ଆର୍ଦ୍ରତା, ବର୍ଷା, ଘଡ଼ଘଡ଼ି ସହ ବର୍ଷା, ପ୍ରବଳରୁ ଅତି ପ୍ରବଳ ବର୍ଷା ଆଦି ଜାଣିବା ପାଇଁ ବିଭିନ୍ନ ପାଣିପାଗ ଯନ୍ତ୍ରପାତି ରହିଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ  ‘ସାଇକ୍ଲୋନ୍‌ ଡିଟେକ୍‌ସନ୍‌ ରାଡର୍‌(ସିଡିଆର୍‌) ପାରାଦ୍ୱୀପରେ ସ୍ଥାପନ କରାଯାଇଥିବାବେଳେ ‘ଡପ୍‌ଲର୍‌ ୱେଦର ରାଡର୍‌(ଡିଡବ୍ଲୁଆର୍‌)’ଗୋପାଳପୁରରେ ସ୍ଥାପନ କରାଯାଇଛି। ବିଶାଖାପାଟଣା ଡିଡବ୍ଲୁଆର୍‌ରୁ ଗଜପତି, ଗଞ୍ଜାମ ଓ ପୁରୀ ଜିଲା ପାଇଁ ପାଣିପାଗ ପୂର୍ବାନୁମାନ କରାଯାଉଛି। ସେହିପରି କଲକାତା ଡିଡବ୍ଲୁଆର୍‌ରୁ ବାଲେଶ୍ୱର ଓ ମୟୂରଭଞ୍ଜ  ଜିଲାର ପାଣିପାଗ ସମ୍ଭାବ୍ୟ ସୂଚନା ଦିଆଯାଇପାରୁଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଏବଂ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ରାଡାର୍‌ର ତଥ୍ୟ ମଧ୍ୟ ବ୍ୟବହୃତ ହେଉଛି । ସଠିକ୍‌ ତଥ୍ୟ ଜାଣିବା ପାଇଁ ଇନ୍‌ସାଟ୍‌ ସୂଚନା ମଧ୍ୟ ବ୍ୟବହାର କରାଯାଉଛି। ଏସବୁ ଯନ୍ତ୍ରପାତି ଦ୍ୱାରା ପାଣିପାଗରେ ହେଉଥିବା ପରିବର୍ତ୍ତନରେ ସୂଚନା ମିଳୁଛି। ବିଶେଷ ଭାବେ ବାୟୁମଣ୍ଡଳରେ ରହିଥିବା ଚାପ, ବାଦଲଗୁଡ଼ିକର ସ୍ଥ୍‌ିତି ବିଷୟରେ ପୂର୍ବାନୁମାନ କରାଯାଇପାରୁଛି। ଫଳରେ କୌଣସି ସ୍ଥାନର ଅକ୍ଷାଂଶ ଓ ଦ୍ରାଘିମା ଆଧାରରେ ସେଠାରେ ହେବାକୁ ଥିବା ସମ୍ଭାବ୍ୟ ଦୁର୍ବିପାକ ପୂର୍ବରୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇପାରୁଛି। ଦକ୍ଷିଣ କୋରିଆ  ପାଣିପାଗ ଅତ୍ୟାଧୁନିକ ଯନ୍ତ୍ରପାତି ‘ପାଇଲଟ୍‌ ବେଲୁନ୍‌ ଯନ୍ତ୍ରପାତି(ପିବିଓ) ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ରହିଛି। ରେଡିଓସୋଣ୍ଡେ(ଆର୍‌ଏସ୍‌) ଏବଂ ରେଡିଓ ୱିଣ୍ଡ(ଆର୍‌ଡବ୍ଲୁ) ମାଧ୍ୟମରେ ଏହା ଡିଜିଟାଲ୍‌ ତଥ୍ୟ ପ୍ରଦାନ କରୁଛି, ଯାହାକୁ ପର୍ଯ୍ୟବେକ୍ଷଣ କରି ପାଣିପାଗ ପୂର୍ବାନୁମାନ କରାଯାଇପାରୁଛି।

କେତେଥର ପାଣିପାଗ ପୂର୍ବାନୁମାନ ମପାଯାଏ?

ଭୁବନେଶ୍ୱରରେ ଦୁଇଥର ଏବଂ ଝାରସୁଗୁଡ଼ାରେ ଥରେ ପାଣିପାଗ ପୂର୍ବାନୁମାନ ମପାଯାଏ। ଗ୍ଲୋବାଲ୍‌ ନାଭିଗେସନ୍‌ ସାଟେଲାଇଟ୍‌ ସିଷ୍ଟମ(ଜିଏନ୍‌ଏସ୍‌ଏସ୍‌) ଏବଂ ଏଡବ୍ଲୁଏସ୍‌  ସହାୟତାରେ ଭୁବନେଶ୍ୱରରେ ୩୬୫ଦିନ ୨୪ଘଣ୍ଟା ପାଣିପାଗ ପର୍ଯ୍ୟବେକ୍ଷଣ ଓ ପୂର୍ବାନୁମାନ ପାଇଁ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଦିଲ୍ଲୀରେ ପାଣିପାଗ ମାପିବା ପାଇଁ ଯେଉଁ ଆଧୁନିକ ଜ୍ଞାନ କୌଶଳ ଯନ୍ତ୍ରପାତି ରହିଛି ସେସବୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ରହିଛି। ଏହା ଦେଶର ଶ୍ରେଷ୍ଠ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଭାବେ ବିବେଚିତ ହୋଇଛି। ବାଲେଶ୍ୱର ଓ ସମ୍ବଲପୁରରେ ‘ରାଡର’ ସ୍ଥାପନ ହେବା ନେଇ ପ୍ରସ୍ତାବ ରହିଛି । ଏହାପରେ ସାରା ରାଜ୍ୟର ପାଣିପାଗ ଓ ଜଳବାୟୁ ସମ୍ପର୍କିତ ତଥ୍ୟ ଜାଣିବାରେ ସହଜ ହେବ।

Comments are closed.