ପରିବା ପାଇଁ ଯାଇ କରୋନା କିଣନା: ମୁଖ୍ୟସଚିବ

ଭୁବନେଶ୍ୱର : ରାଜ୍ୟରେ କରୋନାର ସାମାଜିକ ସଂକ୍ରମଣ ହେବାର ଯେଉଁ ଆଶଙ୍କା କରାଯାଉଥିଲା ତାହା ହୋଇ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତକୁମାର ତ୍ରିପାଠୀ ସ୍ପଷ୍ଟ କରିଛନ୍ତି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ରାଜଧାନୀରେ ବୁଧବାର ସୂର୍ଯ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ନେଇ ସରକାରଙ୍କ ପକ୍ଷରୁ ସାରା ସହରକୁ ‘ସଟ୍‍ଡାଉନ’ ଘୋଷଣା କରାଯାଇଥିଲା। ଏହି ସମୟ ମଧ୍ୟରେ ସମ୍ପୃକ୍ତ କରୋନା ରୋଗୀଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତା’ର ଟିକିନିଖି ଯାଞ୍ଚ କରାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରର ଜଣେ ବ୍ୟକ୍ତି କଲିକତାରୁ ନିକଟରେ ଫେରିଥିବା ଜଣାଯାଇଛି। ଯଦ୍ୱାରା କରୋନା ସଂକ୍ରମଣବ୍ୟାପିଛି। ସେହିପରି ବମିଖାଲରେ ତିନିଜଣ କରୋନା ସଂକ୍ରମଣକୁ ନେଇ ଗୋଷ୍ଠୀ ସଂକ୍ରମଣର ଯେଉଁ ଆଶଙ୍କା କରାଯାଉଥିଲା ତାହା ମଧ୍ୟ ଭୋପାଳରୁ ଆସିଥିବା ଜଣାଯାଇଛି। ଏହାକୁ ନେଇ ଭୁବନେଶ୍ୱରରେ ଯେଉଁ ସଟ୍‍ଡାଉନ କରାଯାଇଥିଲା ତାହା ସମ୍ପୂର୍ଣ୍ଣ ସଫଳ ହୋଇଛି। ଏଥିପାଇଁ ପୁଲିସ ଓ ପ୍ରଶାସନ ପ୍ରଶଂସାର ପାତ୍ର। ଯଦି ଆଗାମୀଦିନରେ କେଉଁଠାରେ ବି ହଟସ୍ପଟ ଘଟଣା ଜଣାପଡିବ ସେ କ୍ଷେତ୍ରରେ ସ୍ଥାନୀୟ ଜିଲାପାଳ କିମ୍ବା ପୌର ଅଧିକାରୀ ତାଙ୍କର କ୍ଷମତା ପ୍ରୟୋଗ କରି ସଟ୍‍ଡାଉନ ଘୋଷଣା କରିପାରିବେ ବୋଲି ମୁଖ୍ୟସଚିବ କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଥିଲେ ଯେ ଆଜି ସନ୍ଧ୍ୟା ୮ଟାରେ ଭୁବନେଶ୍ୱର ସମେତ କଟକ ଓ ଭଦ୍ରକରୁ ସଟ୍‍ଡାଉନ ଉଠିବ। ଏହାପରେ ଅତ୍ୟାବଶ୍ୟକ ସାମଗ୍ରୀ ବଜାର ଖାଲିବ। ମାତ୍ର ଏହାର ଫାଇଦା ନେଇ ଲୋକେ ପନପରିବା ହାଟକୁ ଯାଇ ଭିଡ଼ କରିବାର ଆବଶ୍ୟକତା ନାହିଁ। ଯଦି ଏହି ସମୟରେ ନିଜ ଭିତରେ ସାମାଜିକ ଦୂରତା ବଜାୟ ନରଖିବେ ତେବେ ପରିବା କିଣିବାକୁ ଯାଇ କରୋନା କିଣିବେ। ଏହାକୁ ଦୃଷ୍ଟିରେ ରଖି ଲୋକେ ସାମାଜିକ ଦୂରତା ରଖି ଚଳିବା ଆବଶ୍ୟକ। ଏହି ସମୟରେ ଯେଉଁଠାରେ ଲୋକେ ନିୟମ ଉଲ୍ଲଘଂନ କରୁଥିବା ପୁଲିସର ଦୃଷ୍ଟିକୁ ଆସିବ ସେକ୍ଷେତ୍ରରେ କୋଭିଡ-୧୯ ନିୟମ ଭଙ୍ଗ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ। ଆଗାମୀ ଦିନରେ ଲୋକେ ଯେଭଳି ସାମାଜିକ ଦୂରତା ନିଜ ଭିତରେ ବଜାୟ ରଖିବେ ସେନେଇ ବିଭିନ୍ନ ସାମାଜିକ ଦାୟିତ୍ୱଶୀଳ ବ୍ୟକ୍ତି ଓ ନେତୃତ୍ୱଧାରୀଙ୍କୁ ବୁଝାସୁଝା କରିବାକୁ କୁହାଯାଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Comments are closed.