କୋଭିଡ-୧୯ ମୁକାବିଲାରେ ଆଇଏଲଏସର ନିରନ୍ତର ପ୍ରୟାସ : ବର୍ତ୍ତମାନସୁଦ୍ଧା ୧୫,୯୪୦ ନମୁନା ପରୀକ୍ଷଣ

ଭୁବନେଶ୍ବର :  ବିଗତ ଏକ ମାସରୁ ଊର୍ଦ୍ଧ୍ଵ ସମୟ ଧରି ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଅଧୀନ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ ନିରବଚ୍ଛିନ୍ନ ଭାବେ କୋଭିଡ-୧୯ ନମୁନା ପରୀକ୍ଷା କରିଚାଲିଛି । ଆଇଏଲଏସ ନିଜର ନୂଆକରି ଗଠିତ ତଥା ସବୁଦୃଷ୍ଟିରୁ ପ୍ରସ୍ତୁତ ବାୟୋସେଫଟି ଲେଭଲ-୩ ପରୀକ୍ଷାଗାରରେ କୋଭିଡ ଭୂତାଣୁ ପରୀକ୍ଷା ଆରମ୍ଭ କରିଥିଲା । ପ୍ରଥମେ ଏପ୍ରିଲ ୧୪ ତାରିଖରେ ଆଇଏଲଏସ ୪୪ଟି ନମୁନା ପରୀକ୍ଷା କରିଥିଲା । ଏପ୍ରିଲ ୩୦ ତାରିଖ ବେଳକୁ ନମୁନା ପରୀକ୍ଷଣ କ୍ଷମତା ବୃଦ୍ଧି ପାଇ ଦୈନିକ ୧ ହଜାର ନମୁନା ପରୀକ୍ଷା କରାଗଲା । ଆଜିସୁଦ୍ଧା ଏଠାରେ ୧୫,୯୪୦ ନମୁନା ପରୀକ୍ଷା କରାଯାଇପାରୁଛି ଯାହାକି ଓଡ଼ିଶାରେ ହୋଇଥିବା ମୋଟ ନମୁନା ପରୀକ୍ଷାର ୨୦% ।

ଏହି ପରୀକ୍ଷା ଉନ୍ନତ ପ୍ରଶିକ୍ଷଣପ୍ରାପ୍ତ ପେସାଦାରଙ୍କୁ ନେଇ ଏକ ଗଠିତ ଦଳ ଦ୍ୱାରା ସମ୍ପାଦନ କରାଯାଉଛି । ଏହି ଦଳରେ ୩ ଜଣ ଭାଇରୋଲୋଜିଷ୍ଟ, ୩ ଜଣ ମଲିକୁଲାର ମାଇକ୍ରୋବାୟୋଲୋଜିଷ୍ଟ, ୫ ଜଣ ମଲିକୁଲାର ବାୟୋଲୋଜିଷ୍ଟ, ୨୦ ଜଣ ପିଏଚଡି ଛାତ୍ରଛାତ୍ରୀ ଏବଂ ୧୫ ବୈଷୟିକ ସହାୟକଙ୍କ ଦଳ ରହିଛନ୍ତି । ନମୁନା ସଂଗ୍ରହ ଠାରୁ ଆରମ୍ଭ କରି ଭିଟିଏମରୁ ଭୂତାଣୁ ପୃଥକ କରିବା, ଆରଏନଏ ଆଇସୋଲେସନ ଆଦି କ୍ଷେତ୍ରରେ ଯଥେଷ୍ଟ ସୁରକ୍ଷା ଅବଲମ୍ବନ କରାଯାଉଛି ଏବଂ ସୁରକ୍ଷିତ ଭାବେ ଆରଟି-ପିସିଆର ଓ ବାୟୋମେଡ଼ିକାଲ ଆବର୍ଜନାକୁ ନଷ୍ଟ କରାଯାଉଛି । ଓଡ଼ିଶା ସରକାରଙ୍କ ସକ୍ରିୟ ସହଯୋଗରେ ଆଇଏଲଏସ ରାଜ୍ୟର ୧୬ଟି ଜିଲ୍ଲାରୁ ନମୁନାଗୁଡ଼ିକର ବିଶ୍ଳେଷଣ କରିଛି । ଏହି ପରୀକ୍ଷାର ଫଳାଫଳ ରାଜ୍ୟ ସରକାର ଏବଂ ଆଇସିଏମଆରକୁ ସଠିକ ସମୟରେ ଯୋଗାଇ ଦିଆଯାଉଛି ଯାହା ଫଳରେ ସେମାନେ ପ୍ରାଥମିକତା ଭିତିରେ ଏ ଦିଗରେ ପରବର୍ତୀ ପଦକ୍ଷେପ ଗ୍ରହଣ କରିପାରିବେ । ଏହି ପ୍ରକ୍ରିୟା ମଧ୍ୟରେ, ଆଇଏଲଏସ ପକ୍ଷରୁ ବିଭିନ୍ନ ସଂସ୍ଥାନଗୁଡ଼ିକୁ କୋଭିଡ ପରୀକ୍ଷଣ ନିମନ୍ତେ ତାଲିମ ଦିଆଯାଇଛି ଏବଂ ସୁବିଧା ଓ ସରଞ୍ଜାମ କ୍ଷେତ୍ରରେ ମଧ୍ୟ ସମର୍ଥନ ଦିଆଯାଇଛି ।

ଓଡ଼ିଶା ସରକାରଙ୍କ ସହଯୋଗ ଏବଂ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗର ସଚିବ ଡ. ରେଣୁ ସ୍ୱରୂପଙ୍କ ସମର୍ଥନ ଓ ପ୍ରୋତ୍ସାହନ ଲାଗି ଆଇଏଲଏସର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା କୃତଜ୍ଞତା ବ୍ୟକ୍ତ କରିବା ସହିତ ସମର୍ପିତ ପ୍ରୟାସ ନିମନ୍ତେ ଆଇଏଲଏସ ଟିମକୁ ପ୍ରଶଂସା କରିଛନ୍ତି । କୋଭିଡ-୧୯ ମୁକାବିଲା ପ୍ରୟାସରେ ସମ୍ପୃକ୍ତ ହେବା ଦ୍ୱାରା ଆଇଏଲଏସ ବିପୁଳ ପରିମାଣର ପେସାଗତ ସନ୍ତୋଷ ଲାଭ କରିଛି ବୋଲି ଡ. ପରିଡ଼ା କହିଛନ୍ତି । ଆଗାମୀ ଦିନରେ ଆବଶ୍ୟକତା ଆଧାରରେ ପରୀକ୍ଷା ପ୍ରୟାସକୁ ବୃଦ୍ଧି କରାଯିବ ବୋଲି ସେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ପ୍ରମୁଖ ସଂସ୍ଥାନ ଭାବେ କରୋନା ଭୂତାଣୁ ଉପରେ ଆଇଏଲଏସ ପକ୍ଷରୁ ଗବେଷଣା ଆରମ୍ଭ କରାଯିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଡ. ପରିଡ଼ା କହିଛନ୍ତି ଯେ ଆଇଏଲଏସ ପକ୍ଷରୁ କରୋନା ଭୂତାଣୁ ଜେନୋମ ସିକୁଏନ୍ସିଂ ଆରମ୍ଭ କରାଯାଇଛି । ଜୁନ ସୁଦ୍ଧା ୧୦୦୦ ଭୂତାଣୁ ସିକୁଏନ୍ସିଂ ପାଇଁ ବାୟୋଟେକ୍ନୋଲୋଜି ବିଭାଗ କନସୋର୍ଟିଅମର ଅଂଶବିଶେଷ ସ୍ୱରୂପ ପାଖାପାଖି ୨୦୦ ଭୂତାଣୁର ଜେନୋମ ସିକୁଏନ୍ସ ରିପୋର୍ଟ କରିବାକୁ ଆଇଏଲଏସ ଲକ୍ଷ୍ୟ ରଖିଛି । ଏହି ରୋଗ ବିରୋଧରେ ପ୍ରତିରୋଧକ କ୍ଷମତା ବିଷୟରେ ଜାଣିବା ଲାଗି ଆରଏମଆରସି ଭୁବନେଶ୍ୱର ଏବଂ ଅନ୍ୟ ଗବେଷଣା ସଂସ୍ଥାନ ସହିତ ମିଶି ଆଇଏଲଏସ ପକ୍ଷରୁ ଲକ୍ଷଣଯୁକ୍ତ ଏବଂ ଲକ୍ଷଣ ନଥିବା ରୋଗୀଙ୍କର ପ୍ରତିଷେଧକ ପାରାମିଟର ଉପରେ ଅଧ୍ୟୟନ କରାଯାଉଛି । ଆଇଏଲଏସ ମଧ୍ୟ କରୋନା ବିରୋଧରେ ମୋନୋକ୍ଲୋନାଲ ଓ ପଲିକ୍ଲୋନାଲ ଆଣ୍ଟିବଡ଼ି ବିକଶିତ କରିବା ଲାଗି ଲକ୍ଷ୍ୟ ରଖିଛି ଯାହା ଚିକିତ୍ସା ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରିବ । କରୋନା ଭୂତାଣୁର ଔଷଧ ବିକଶିତ କରିବା ଲାଗି ମଞ୍ଜୁରିପ୍ରାପ୍ତ ରାସାୟନିକ ଲାଇବ୍ରେରୀ ଓ ଔଷଧିୟ ଗୁଳ୍ମଗୁଡ଼ିକର ସ୍କ୍ରିନିଂ ମଧ୍ୟ କରାଯାଉଛି । ଆଗାମୀ ଦିନରେ ଆଇଏଲଏସ ନିକଟରେ ଥିବା ଭିତ୍ତିଭୂମିକୁ ନେଇ କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ସମ୍ଭାବ୍ୟ ଟିକା ବିକଶିତ କରିବା ଲାଗି ମୂଷାଙ୍କ ଉପରେ ପରୀକ୍ଷଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଉଚ୍ଚପ୍ରତିଦ୍ୱନ୍ଦ୍ୱିତା ସମ୍ପନ୍ନ ଏସବୁ ଗବେଷଣା ମହାମାରୀ ମୁକାବିଲା କ୍ଷେତ୍ରରେ ଆମ ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ବୋଲି ଡ. ପରିଡ଼ା ଆଶାବ୍ୟକ୍ତ କରିଛନ୍ତି ।

Comments are closed.