ଫୁଟ୍‌ପାଥ‌େ‌ର ଜୀବନ… ହାରି ନାହାନ୍ତି ହାର

ଭୁବନେଶ୍ବର: କିଏ ବଞ୍ଚିବା ପାଇଁ ତ ପୁଣି କିଏ ପରିବାର ପ୍ରତିପୋଷଣ ଆଶାରେ ରାଜଧାନୀକୁ ଆସୁଛି। ଏଠାରେ କିଏ ସଫଳ ହେଉଛି ତ ଆଉ କିଏ ଭାଗ୍ୟକୁ ନିନ୍ଦି ଘରମୁହାଁ ହେଉଛି। ମାତ୍ର ରାଜଧାନୀରେ ଏମିତି ଚରିତ୍ର ଅଛନ୍ତି ଯେଉଁମାନେ କି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ହାର୍‌ ମାନିନାହାନ୍ତି। ଜୀବନ ଯୁଦ୍ଧରେ ଲଢ଼େଇ କରି ଜିଇଁବାର କଳା ହାସଲ କରିଛନ୍ତି। ଏମିତି ଜଣେ ମହିଳା ହେଉଛନ୍ତି ହାର ସାହୁ। ଦୀର୍ଘ ୨୫ ବର୍ଷ ହେବ ରାସ୍ତାକଡ଼ରେ ବ୍ୟବସାୟ କରି ପିଲାଙ୍କୁ ମଣିଷ କରିଛନ୍ତି।

ବାଲୁଗାଁ ଅଞ୍ଚଳରେ ହାରଙ୍କ ଘର। ପରିବାର କହିଲେ ୪ ଝିଅଙ୍କୁ ବୁଝାଏ। ଦୀର୍ଘ ୨୭ ବର୍ଷ ହେବ ସ୍ବାମୀ ଘର ଛାଡ଼ି ଚାଲିଯାଇଛନ୍ତି। ଏମିତିକି ପୁଅ ମଧ୍ୟ କୁଆଡ଼େ ଚାଲିଯାଇଛି। କୋଳରେ ୪ଟି ଛୋଟ ଝିଅ। ସେମାନଙ୍କୁ ମଣିଷ କରିବାକୁ ଭାବିଥିଲେ। ଭାଇମାନଙ୍କ ସହଯୋଗରେ ଭୁବନେଶ୍ବର ଆସିଥିଲେ। ଏଠାରେ ଝିଅଙ୍କ ବୋଝ ନିଜେ ଉଠାଇବାକୁ ଆରମ୍ଭ କରିଥିଲେ ସଂଘର୍ଷ । ସେଥିପାଇଁ ରାସ୍ତା କଡ଼ରେ କଦଳୀ ବିକ୍ରି କରିବା ଆରମ୍ଭ କରିଥିଲେ। ସେଥିରୁ ଯାହା ରୋଜଗାର ହେଲା ସେଥିରେ ପିଲାଙ୍କୁ ସମ୍ଭାଳିବା କଷ୍ଟକର ହେଲା। ଏଥିରେ ଭାଇମାନେ ତାଙ୍କୁ ସହଯୋଗ କରୁଥିଲେ। ଧୀରେ ଧୀରେ ପରିସ୍ଥିତି ସୁଧୁରିବାରେ ଲାଗିଲା। ପିଲାମାନେ କାମଧନ୍ଦା କରିବା ଆରମ୍ଭ କରିଥିଲେ। ବାପଘର ଲୋକଙ୍କ ସହଯୋଗରେ ୪ ଝିଅଙ୍କୁ ବିବାହ କରିଦେଇଥିଲେ। ହାରଙ୍କୁ ୭୦ ପାଖାପାଖି ବୟସ ହେବ। ଏହି ବୟସରେ ବି ସଂଘର୍ଷ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି। କଦଳୀ ବିକ୍ରି କରି ଯାହା ରୋଜଗାର କରୁଛନ୍ତି ସେଥିରେ ଘରଭଡ଼ା ଦେଇ ଯାହା ବଳୁଛି ସେଥିରେ ନିଜେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ରାସ୍ତାକଡ଼ରେ ବସୁଥିବାରୁ କେତେବେଳେ ବିଏମ୍‌ସି କର୍ମଚାରୀ ଉଠାଇ ଦେଉଛନ୍ତି। କିଛି ଦିନ ବ୍ୟବଧାନରେ ସେ ଦୋକାନ ଦେଉଛନ୍ତି। ଏତେ ବର୍ଷ ହେବ ରାସ୍ତାକଡ଼ରେ ବସିଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ସହଯୋଗ ମିଳିନାହିଁ େବାଲି କହନ୍ତି ହାର।

Comments are closed.