ଆଶା-ଆଶଙ୍କାରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର: ନୂଆଦିଲ୍ଲୀରେ ୨୦୨୧ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏଥିରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ସାମିଲ ନେଇ ପ୍ରକ୍ରିୟା ବି ଜାରି ରହିଛି। ଏହାରି ଭିତରେ ତିନୋଟି ବୈଠକ ଶେଷ ହୋଇଛି। ହେଲେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ନେଇ ଏବେ ଆଶଙ୍କା ଦେଖାଦେଇଛି। ତୃତୀୟ ବୈଠକରେ ରାଜ୍ୟର ଦୁଇଟି ସଂସ୍ଥା ପକ୍ଷରୁ ଦୁଇ ଡିଜାଇନ୍ ସ୍ଥାନ ପାଇଥିଲା। ଏଥିରେ ଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଏବଂ ବୌଦ୍ଧ ଐତିହ୍ୟ। ବୈଠକରେ ଏହି ଦୁଇ ଡିଜାଇନକୁ କମିଟି ଦେଖିବା ପରେ କିଛି ପରିବର୍ତ୍ତନ କରିବାକୁ ମତ ଦେଇଥିଲେ। ମାତ୍ର ବୈଠକ ଦୁଇଦିନ ହେଲା ସରିଲାଣି ଏପର୍ଯ୍ୟନ୍ତ ଚିଠି ମିଳିନାହିଁ କି ଚତୁର୍ଥ ବୈଠକ ସମ୍ପର୍କରେ ସୂଚନା ମଧ୍ୟ ଦିଆଯାଇନାହିଁ। ଯାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ଅନ୍ୟପକ୍ଷରେ ଗତବର୍ଷ ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ଦିଲ୍ଲୀ ଦରବାରରୁ ଦୁଇଟି ପୁରସ୍କାର ହାତେଇଥିଲା।
୨୦୨୧ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ସାମିଲ ହେବ। ଏହି ପ୍ରକ୍ରିୟାରେ ଦେଶରୁ ୨୬ ରାଜ୍ୟ ସହମତି ପ୍ରକାଶ କରିଥିଲେ। ତେବେ ପ୍ରକ୍ରିୟାରେ ୨୦ରାଜ୍ୟର ଡିଜାଇନକୁ ଅନୁମତି ମିଳିଥିଲା। ତୃତୀୟ ବୈଠକରେ ଓଡ଼ିଶାର ଦୁଇ ଡିଜାଇନ୍ ସ୍ଥାନ ପାଇଥିଲା। ମାତ୍ର ଏହି ଦୁଇ ଡିଜାଇନ୍କୁ କମିଟି ବା ଜୁରି ସଦସ୍ୟ ଦେଖିବା ସହିତ ଏହାର ଡିଜାଇନ୍ରେ ପରିବର୍ତ୍ତନ କରିବାକୁ କହିଥିଲେ। ଅନ୍ୟପକ୍ଷରେ ମନୋନୟନ ହେବ କି ନାହିଁ ଏପର୍ଯ୍ୟନ୍ତ କମିଟି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ କି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଚିଠି କରାଯାଇନାହିଁ।
ଏନେଇ ବିଭାଗୀୟ ନିର୍ଦେଶକ କୃପାସିନ୍ଧୁ ମିଶ୍ର କହିଛନ୍ତି ତୃତୀୟ ବୈଠକରେ ଦୁଇ ମେଢ଼ର ଡିଜାଇନ୍ ପ୍ରଦର୍ଶିତ ହୋଇଥିଲେ ହେଁ ଏଯାବତ କୌଣସି ଉତ୍ତର ମିଳିନାହିଁ। ଯେହେତୁ ଚିଠି ଆସିନାହିଁ ଆଗାମୀ ବୈଠକ କେବେ ହେବ ତାହା ମଧ୍ୟ ଜଣାପଡ଼ିନାହିଁ। ବିଶ୍ୱସ୍ତସୂତ୍ରରୁ ମିଳିଥିବା ଖବର ଅନୁସାରେ ଆସନ୍ତା ୧୬ ତାରିଖରେ କମିଟିର ଚତୁର୍ଥ ବୈଠକ ହେବ। ଏନେଇ ଆଉ ୪ଦିନ ବାକି ଥିବାବେଳେ ଏପର୍ଯ୍ୟନ୍ତ ଚିଠି ଆସିନାହିଁ। ଯଦି ବା ଚିଠି ଆସେ ତେବେ ଡିଜାଇନ୍ରେ ପରିବର୍ତ୍ତନ କରି ଉପସ୍ଥାପନ କରିବା କଷ୍ଟକର ହେବ। ତେଣୁ ଓଡ଼ିଶା ପ୍ରଜ୍ଞାପନ ମେଢ଼ ଏଥର ସ୍ଥାନ ପାଇବା ଆଶଙ୍କା କ୍ଷୀଣ ଜଣାପଡୁଛି।
ଅନ୍ୟପକ୍ଷରେ ନାଗାର୍ଜୁନ ବେଶ ଦୀର୍ଘ ବର୍ଷ ପରେ ପଡୁଥିବାରୁ ମହାପ୍ରଭୁଙ୍କ ଏହି ବେଶ ସାରା ବିଶ୍ୱ ଦେଖିବାର ଆବଶ୍ୟକତା ରହିଛି। ଯଦି ରାଜ୍ୟ ସରକାର ଉଚ୍ଚସ୍ତରୀୟ ବୈଠକ କରି କିଛି ପଦକ୍ଷେପ ଗ୍ରହଣ କରନ୍ତେ ତେବେ ଆଶା ଉଜ୍ଜୀବିତ ହେବ ଏବଂ ଦିଲ୍ଲୀ ଦରବାରରେ ଆମ ମେଢ଼ ଗଡ଼ିବ ବୋଲି କୁହାଯାଉଛି।