ରାତ୍ରି ଆଶ୍ରୟସ୍ଥଳୀ ଫାଙ୍କା, ଶୀତ କାକରରେ ଶୋଉଛନ୍ତି

ଭୁବନେଶ୍ବର: କରୋନା ସଂକ୍ରମଣ ସମୟରେ କେହି ରାସ୍ତା କଡ଼ରେ ଆଶ୍ରୟ ନେବେ ନାହିଁ। ସମସ୍ତଙ୍କୁ ରାତ୍ରି ଆଶ୍ରୟସ୍ଥଳୀ କିମ୍ବା ଅସ୍ଥାୟୀ ଆଶ୍ରୟ କେନ୍ଦ୍ରରେ ରଖାଯିବ। ଗାଡ଼ି ବୁଲି ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ନେବ। ଏଭଳି ଘୋଷଣା କରିଥିଲା ବିଏମ୍‌ସି। ହେଲେ ଘୋଷଣା ଅନୁସାରେ କାମ ହେଉ ନଥିବାରୁ ନିରାଶ୍ରୟ ଲୋକେ ଆଶ୍ରୟସ୍ଥଳୀକୁ ଯାଇପାରୁନାହାନ୍ତି। ଏବେ ରାଜଧାନୀରେ କରୋନା ସଂକ୍ରମଣ ହ୍ରାସ ପାଇଛି। ବଜାର ଘାଟ ଖୋଲା ହେବା ସହିତ ପୂର୍ବସ୍ଥିତି ଫେରିବାକୁ ଲାଗିଛି। ଶୀତ ମଧ୍ୟ ପଡ଼ିବ‌ା ଆରମ୍ଭ କଲାଣି। ରାସ୍ତା କଡ଼ରେ ବହୁ ଲୋକ ଆଶ୍ରୟ ନେଉଥିବା ବେଳେ ବିଏମ୍‌ସିର ରାତ୍ରି ଆଶ୍ରୟସ୍ଥଳୀ ଫାଙ୍କା ପଡୁଛି। ବାସ ଅଭାବରୁ କରୋନା ସଂକ୍ରମଣ ଏବଂ ଶୀତକୁ ଖାତିର ନ କରି ଲୋକେ ରାସ୍ତା କଡ଼ରେ ଶୋଉଛନ୍ତି। ସରକାର ଗରିବଙ୍କ ପାଇଁ ଖରାରେ ଛତା ଓ ଶୀତରେ କମ୍ବଳ ଯୋଗାଇବା ଭଳି ଯୋଜନା କରିଥିଲେ ମଧ୍ୟ ଫୁଟ୍‌ପାଥରେ ରହୁଥିବା ଏହି ସମ୍ବଳହୀନ ମଣିଷଙ୍କ ଶୀତ ଋତୁର ଦୁଃଖ ଦୂର କରିବାକୁ କାହାର ନଜର ପଡୁନାହିଁ। ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ଏକ ନମ୍ବର ହାଟ ଅଞ୍ଚଳ, ରସୁଲଗଡ଼, ଜୟଦେବ ବିହାର ଛକ, ବାଣୀବିହାର ଛକ, ରମାଦେବୀ ବିଶ୍ବବିଦ୍ୟାଳୟ ରାସ୍ତା କଡ଼, ଫାୟାର ଷ୍ଟେସନ ଛକ, ପୁରୁଣାଭୁବନେଶ୍ବର ଏପରି ସହରର ବିଭିନ୍ନ ରାସ୍ତା କଡ଼ରେ ଦୈନିକ ଶହ ଶହ ଲୋକ ରାତିରେ ଶୀତ କାକରରେ ଅତି ଦୟନୀୟ ଅବସ୍ଥାରେ ଶୋଉଛନ୍ତି। ଏମାନଙ୍କ ଭିତରୁ କେହି ବାସହୀନ ତ ଆଉ କେହି ବାହାରୁ ଆସିଥିବା ଗରିବ ଲୋକ। ଭିକ୍ଷାବୃତ୍ତି କରି ଦିନ କାଟୁଥିବା ଲୋକ ସକୁଟୁମ୍ବେ ରାସ୍ତା କଡ଼ରେ ଖୋଲା ଆକାଶ ତଳେ ଶୋଉଛନ୍ତି। ରାସ୍ତା କଡ଼ରେ ଶୋଉଥିବା ଲୋକଙ୍କୁ ଆଶ୍ରୟ ଦେବାକୁ ସହର ପ୍ରଶାସନ ବନ୍ଦୋବସ୍ତ ନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଥିଲେ ମଧ୍ୟ ପରିଚାଳନାର ଅଭାବ ପରିଲକ୍ଷିତ ହେଉଛି।

ବିଏମ୍‌ସି ଅଧୀନରେ ୮ଟି ରାତ୍ରି ଆଶ୍ରୟସ୍ଥଳୀ ରହିଛି। ଏଗୁଡ଼ିକର ପରିଚାଳନା ନିମନ୍ତେ ବିଏମ୍‌ସି ଦୁଇଟି ଘରୋଇ ସଂସ୍ଥାକୁ ଦାୟିତ୍ବ ଦେଇଛି। ୫୦ ଶଯ୍ୟା ବିଶିଷ୍ଟ ଗୋଟିଏ ରାତ୍ରି ଆଶ୍ରୟସ୍ଥଳୀ ନିମନ୍ତେ ବିଏମ୍‌ସି ମାସିକ ୬୦ ହଜାର ଟଙ୍କା ଠିକା ସଂସ୍ଥାକୁ ଦିଏ। ଗୋଟିଏ ସେଣ୍ଟରରେ ପରିଚାଳକ, କେୟାର ଟେକର ଏବଂ ସୁରକ୍ଷାକର୍ମୀଙ୍କ ସମେତ ୪ଜଣ ଷ୍ଟାଫ୍‌ ନିଯୁକ୍ତ ରହିଥାନ୍ତି। ଅନ୍ତେବାସୀଙ୍କୁ ଦୈନିକ ଦୁଇଓଳା ଭୋଜନ ଏବଂ ଜଳଖିଆ ଖାଇବାକୁ ମିଳେ। ପ୍ରତି ଭୋଜନ ପିଛା ୨୦-୨୫ ଟଙ୍କା ହିସାବରେ ବିଏମ୍‌ସି ଦେଉଥିବା ଜଣାପଡ଼ିଛି।

ଆଶ୍ରୟ କେନ୍ଦ୍ର          ଶଯ୍ୟା ସଂଖ୍ୟା            ରହୁଛନ୍ତି

ଭୀମପୁର                ୨୮                      ୧୦-୧୫
ମାଳିସାହି               ୨୮                       ୧୦-୧୫
ଘାଟିକିଆ              ୫୦                        ୨୦-୨୫
ବରମୁଣ୍ଡା               ୧୨                         ୯-୧୦
ଚନ୍ଦ୍ରଶେଖରପୁର        ୫୦                        ପ୍ରାୟ ୫୦%
ଅଶୋକ ନଗର         ୫୦                        ପ୍ରାୟ ୫୦%
ଗଙ୍ଗନଗର              ୫୦                         ୪୦-୪୮
ଇକ୍ୟୁଇଟି ସେଣ୍ଟର       ୧୦୦                       ୩୦-୫୦

ମତାମତ:
ବରମୁଣ୍ଡା ଏବଂ ଘାଟିକିଆ ଆଶ୍ରୟସ୍ଥଳୀରେ ସ୍ବଚ୍ଛତା ଏବଂ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ବ ଦିଆଯାଉଛି। ଏହି ଅଞ୍ଚଳରେ ରାସ୍ତାରେ ଶୋଉଥିବା ଲୋକଙ୍କ ସମ୍ପର୍କରେ ସୂଚନା ଆସିଲେ ସଙ୍ଗେ ସଙ୍ଗେ ସେମାନଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଉଛି।
-ସୁଶାନ୍ତ ବେହେରା, ପରିଚାଳନା ସଂଯୋଜକ-ବିକାଶ
କୋଭିଡ କଟକଣା ଅନୁପାଳନ କରି ହାତ ସଫେଇ ବ୍ୟବସ୍ଥା, ସାମାଜିକ ଦୂରତା ରକ୍ଷା ଏବଂ ଅନ୍ତେବାସୀଙ୍କୁ ମାସ୍କ ଦିଆଯାଉଛି । କରୋନା ନିମନ୍ତେ କିଛି ଅନ୍ତେବାସୀ ଆଶ୍ରୟସ୍ଥଳୀ ଛାଡ଼ିଥିଲେ। ଆଉ କିଛି ଦିନ ଗଲେ ଆଶ୍ରୟସ୍ଥଳୀରେ ଶଯ୍ୟା ଫାଙ୍କା ପଡ଼ିବ ନାହିଁ।
-ଆଭାରାଣୀ ଚୌଧୁରୀ, ପତିତା ଉଦ୍ଧାର ସମିତି ମୁଖ୍ୟ
ଭଲରେ ଖାଇବାକୁ ଦିଆଯାଉ ନାହିଁ। ଛୁଆ ପିଲାଙ୍କୁ ଖାଦ୍ୟ ମିଳୁନି। ମାସ୍କ ଦିଆଯାଉନାହିଁ। ବିଭିନ୍ନ ଆଶ୍ରୟସ୍ଥଳୀକୁ ଅଦଳ ବଦଳ କରାଯାଉଛି।
-ଝରଣା ନାୟକ, ଅନ୍ତେବାସୀ-ଗଙ୍ଗନଗର ଆଶ୍ରୟସ୍ଥଳୀ

Comments are closed.