ସରକାରଙ୍କୁ ରାଜସ୍ୱ ଚିନ୍ତା, ଖୁବଶୀଘ୍ର ୪ ବିଭାଗ ଆପଣାଇବ ‘ଓଟିଏସ୍’

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ପାଇଁ ସିଂହଭାଗ ରାଜସ୍ୱ କମିଛି। ସରକାର ଏବେ ବିଭିନ୍ନ ଯୋଜନାକୁ କାର୍ଯ୍ୟାନ୍ୱୟନ କରିବା ବେଳକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜସ୍ୱ ନିଅଣ୍ଟିଆ ପାଇଁ ନୂଆ ଯୋଜନା ମଧ୍ୟ ହାତକୁ ନେଇପାରୁ ନାହାନ୍ତି। କୋଭିଡ଼ ମହାମାରୀ ଯୋଗୁଁ ଲୋକଙ୍କ ଜୀବନ ଜୀବିକା କିଭଳି ସୁରକ୍ଷିତ ରହିବ ତାକୁ ପ୍ରାଧାନ୍ୟ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ କ୍ଷତିକୁ ଭରଣା କରିବା ପାଇଁ ସରକାର ବିଭିନ୍ନ ବିଭାଗର ବକେୟା ଅର୍ଥକୁ ୱାନ୍ ଟାଇମ ସେଟେଲମେଣ୍ଟ (ଓଟିଏସ) ଯୋଜନାରେ ସାମିଲ କରିବେ। ଏହାଦ୍ୱାରା ରାଜ୍ୟ ରାଜକୋଷକୁ କିଭଳି ୫୦ ହଜାର କୋଟି ଟଙ୍କା ମିଳିପାରିବ ତାହା ହିଁ ସରକାରଙ୍କ ମୂଳଲକ୍ଷ୍ୟ ବୋଲି ଜଣାଯାଇଛି। ଏହାକୁ ନେଇ ରାଜ୍ୟର ପ୍ରମୁଖ ୪ଟି କ୍ଷେତ୍ର ଉପରେ ଓଟିଏସ୍ ବ୍ୟବସ୍ଥା ଲାଗୁ କରାଯିବ। ସେଥିମଧ୍ୟରେ ସିଟିଏସଟି, ଜଳସମ୍ପଦ, ଶକ୍ତି ଓ ଅବକାରୀ ବିଭାଗ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଚାରୋଟି ବିଭାଗ ପକ୍ଷରୁ ଓଟିଏସ୍ ଆପଣାଯିବ। ଏହାପରେ ଜନସାଧାରଣଙ୍କ ସ୍ୱାର୍ଥ ଜଡ଼ିତ ରାଜସ୍ୱ ବିଭାଗ ସହିତ ନଗର ଉନ୍ନୟନ ବିଭାଗ ଏବଂ ପରିବହନ ବିଭାଗ ପକ୍ଷରୁ ପରବର୍ତ୍ତୀ ପର୍ଯ୍ୟାୟରେ ଓଟିଏସ୍ ବ୍ୟବସ୍ଥା ଅଣାଯିବ ବୋଲି ନିକଟରେ ସଚିବସ୍ତରୀୟ ଏକ ବୈଠକରୁ ଜଣାଯାଇଛି।

ବୈଠକର ସୂଚନା ଅନୁଯାୟୀ ୨୦୧୭ ଜୁଲାଇ ପୂର୍ବରୁ ରାଜ୍ୟରେ ଭାଟ୍ ପ୍ରଚଳିତ ହେଉଥିଲା। ଏହି ସମୟରେ ସିଟିଏସଟି ଅନ୍ତର୍ଗତ ବହୁ ବ୍ୟବସାୟୀଙ୍କ ଉପରେ ପ୍ରାୟ ୫୮ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ବକେୟା ପଡ଼ିଥିଲା। ଇତିମଧ୍ୟରେ ଏହି ବିଭାଗ ପକ୍ଷରୁ ଉଦ୍ୟମ ପରେ ୪ହଜାର କୋଟି ଟଙ୍କା ଆଦାୟ ହୋଇଛି। ଅବଶିଷ୍ଟ ଟଙ୍କାକୁ ଆଦାୟ କରିବାପାଇଁ ବିଭାଗ ପକ୍ଷରୁ ଓଟିଏସ୍ ବ୍ୟବସ୍ଥା ଆପଣାଯିବ। ଏହାଦ୍ୱାରା ଯଦି ସରକାରଙ୍କୁ ୫୦ରୁ ୬୦ପ୍ରତିଶତ ଅର୍ଥ ଆଦାୟ ହେଲା ତେବେ ରାଜକୋଷକୁ ପ୍ରାୟ ୩୦ହଜାର କୋଟି ଟଙ୍କା ମିଳିପାରିବ। ସେହିପରି କୃଷିକ୍ଷେତ୍ରକୁ ଜଳସେଚନ ସହିତ ବିଭିନ୍ନ ଶିଳ୍ପ ଉପରେ ପ୍ରାୟ ୧୦ ହଜାର କୋଟି ଟଙ୍କା ବକେୟା ପଡ଼ିଛି। ଏହାକୁ ଆଦାୟ କରିବାପାଇଁ ସରକାର ଚିନ୍ତା କରିଛନ୍ତି। ତେଣୁ ଜଳସମ୍ପଦ ବିଭାଗ ପକ୍ଷରୁ ଆସନ୍ତା ମାସରେ ଏହି ବ୍ୟବସ୍ଥା ଆପଣାଯିବ। ରାଜ୍ୟରେ ଯେଉଁ ସବୁ ରୁଗ୍ଣସଂସ୍ଥା ଉପରେ ଜଳକର ପଡ଼ିଛି ବା ଯେଉଁ ଶିଳ୍ପ ଦୀର୍ଘଦିନ ଧରି ବକେୟା ଅର୍ଥ ଦେଉ ନାହାନ୍ତି ତାକୁ ଆଦାୟ କରାଯିବ। ଏନେଇ ସ୍ୱତନ୍ତ୍ର ସ୍କ୍ୱାର୍ଡ କାର୍ଯ୍ୟ କରିବ। ତେବେ ଅନେକ କ୍ଷେତ୍ରରେ ଚାଷୀମାନେ ମୃତ ହୋଇଥିଲେ ମଧ୍ୟ ସେଠାରେ ଜଳକର ଗଡୁଛି। ଏହାକୁ ସଂଶୋଧନ କରାଯିବାପାଇଁ ସରକାର ଏହି ପଦ୍ଧତି ଆପଣାଇବେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସେହିପରି ଅବକାରୀ ବିଭାଗ ପକ୍ଷରୁ ବ୍ୟବସାୟୀଙ୍କ ଉପରେ ଦୀର୍ଘଦିନ ଧରି ଗଡୁଥିବା ପ୍ରାୟ ୮ହଜାର ବକେୟାକୁ ସରକାର ଆଦାୟ କରିବେ। ବିଭାଗ ପକ୍ଷରୁ ଓଟିଏସ୍ ବ୍ୟବସ୍ଥା ଆପଣାଯିବା ଲାଗି ସବୁଜ ସଙ୍କେତ ମିଳିଛି। ଆସନ୍ତା ମାସରୁ ଏହି ବିଭାଗ ପକ୍ଷରୁ ବକେୟା ବ୍ୟବସାୟୀଙ୍କୁ ନୋଟିସ ଜାରି କରାଯାଇ ଓଟିଏସ୍ ମାଧ୍ୟମରେ ତାଙ୍କର ଦେୟ ବନ୍ଦୋବସ୍ତ କରାଯିବ। ଅନୁରୂପ ଭାବେ ଶକ୍ତି ବିଭାଗ ଏହି ନୀତି ଆପଣାଇବ। ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତା ଓ ବିଭିନ୍ନ ଶିଳ୍ପ ଉପରେ ଯେତିକି ବକେୟା ପଡ଼ିଛି ତାକୁ ଓଟିଏସ୍ ମାଧ୍ୟମରେ ଆଦାୟ କରାଯିବାକୁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି।

ଏହାବାଦ୍ ରାଜସ୍ୱ ବିଭାଗ ଅଧୀନରେ ବିଭିନ୍ନ ପ୍ରକାର କର ଲକ୍ଷାଧିକ ଲୋକଙ୍କ ଉପରେ ପଡ଼ିଛି। ଅନେକ ସ୍ଥାନରେ ଲୋକ ମୃତ୍ୟୁବରଣ କରିଥିବାବେଳେ ବହୁ ଲୋକଙ୍କ ସ୍ବତ୍ତ୍ବ ପରିବର୍ତନ ହୋଇ ସାରିଲାଣି। ତେବେ ଏହାକୁ କିଭଳି ଓଟିଏସ୍ ଅନ୍ତର୍ଭୁକ୍ତ କରାଯାଇ ପାରିବ ତାକୁ ନେଇ ବିଭାଗ ପକ୍ଷରୁ ତଥ୍ୟ ସଂଗ୍ରହ କରାଯାଉଛି। କେତେ ଲୋକଙ୍କ ଉପରେ କେତେ ଟଙ୍କା ବକେୟା ରହିଛି ତାହାର ସମ୍ପୂର୍ଣ୍ଣ ବିବରଣୀ ଆସିବା ପରେ ବିଭାଗକୁ ଏହି ଓଟିଏସରେ ଯୋଡାଯିବାକୁ ରହିଛି। ଏହାବାଦ୍ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମହାନଗର ନିଗମରେ ଲକ୍ଷାଧିକ ଲୋକଙ୍କ ଉପରେ ବିଭିନ୍ନ ପ୍ରକାର ଟିକସ ପଡ଼ିଛି ତାକୁ ମଧ୍ୟ ଓଟିଏସ୍ ରଫାଦଫା ପାଇଁ ସରକାର ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.