ଜାଣନ୍ତୁ ‘ଲକ୍ ଡାଉନ’ ସମୟରେ ମିଳିବ କେଉଁ ସେବା

ଭୁବନେଶ୍ବର : ଲକ ଡାଉନ ସମ୍ପର୍କରେ ସ୍ବାସ୍ଥ୍ୟବିଭାଗ ଶନିବାର କଟକଣା ଜାରି କରିଛନ୍ତି। ସମସ୍ତ ବିଦେଶ ଫେରନ୍ତାଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ନ ଥିଲେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଯଦି କୌଣସି କାର୍ଯ୍ୟ ପାଇଁ ବାହାରକୁ ଆସୁଛନ୍ତି ତେବେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଟୋ ରିକ୍ସା, ଟ୍ୟାକ୍ସି, ସମସ୍ତ ଦେକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ, କାରଖାନା, ଓ୍ବାର୍କସପ, ଗୋଦାମ ବନ୍ଦ ରଖାଯିବ। ଲକ୍ ଡାଉନ ଅଞ୍ଚଳରେ ଭତ୍ତା ଓ ପିଡିଏସ ବଣ୍ଟନକୁ ମଧ୍ୟ ସ୍ଥଗିତ ରଖାଯାଇଛି।

ଜରୁରୀ ସେବା ପ୍ରଦାନକାରୀଙ୍କୁ ଲକ୍ ଡାଉନରେ କଟକଣା ନାହିଁ। ମାଜିଷ୍ଟେରିଆଲ ଡ୍ୟୁଟି, ଆଇନଶୃଙ୍ଖଳା ଅଧିକାରୀଙ୍କୁ କଟକଣାରୁ ବାଦ ଦିଆଯାଇଛି। ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ଓ ବ୍ଲକ ଅଧିକାରୀଙ୍କୁ କଟକଣା ମୁକ୍ତ କରାଯାଇଛି। ସେହିପରି ପୁଲିସ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ପୌର ଅଧିକାରୀ ଏହି କଟକଣାରୁ ମୁକ୍ତ ରହିଛନ୍ତି। ସେହିପରି ଅଗ୍ନିଶମ, ରେଳ, ବିମାନ ଓ ବିଭିନ୍ନ ସହର ମଧ୍ୟ ଦେଇ ଚଳାଚଳ କରୁଥିବା ବସଗୁଡିକୁ କଟକଣା ମୁକ୍ତ କରାଯାଇଛି। ବିଦ୍ୟୁତ, ଜଳ, ପୌରସେବା, ବ୍ୟାଙ୍କ, ଏଟିଏମ, ଔଷଧ ଦୋକାନ, ଗ୍ରୋସରି ଦୋକାନ,କ୍ଷୀର ଦୋକାନ, ଅତ୍ୟାବଶକୀୟ ସାମଗ୍ରୀର ହୋଲସେଲ ମାର୍କେଟ, ମଛ, ମାଂସ, ଅଣ୍ଡା, ଚିକେନ, ପରିବା ଦୋକାନ ଏହି ସମୟ ମଧ୍ୟରେ ଖୋଲା ରହିବ ବୋଲି ଜଣାପଡିଛି।

Comments are closed.