ବିଧାନସଭା ସ୍ଥାୟୀ କମିଟି ସୁପାରିସ : ପୁଲିସ ସଂଖ୍ୟା ବୃଦ୍ଧି ସହ ଆପଦକାଳୀନ ପାଣ୍ଠି ବଢ଼ାଯାଉ

– ଜେଲ୍‌ରେ ଆମ୍ବୁଲାନ୍ସ ରଖାଯିବାକୁ ସୁପାରିସ
– ନିଯୁକ୍ତି ପରୀକ୍ଷା ୨୦୨୧ ସୁଦ୍ଧା ଶେଷ କରାଯାଉ
– ଆଞ୍ଚଳିକ ନିର୍ଦେଶାଳୟ ସଂଖ୍ୟା ୧୫କୁ ବୃଦ୍ଧି ହେଉ
– ନୂଆ ଡିଗ୍ରୀ କଲେଜକୁ ଅନୁମତି ତୁରନ୍ତ ବାତିଲ
– ଶିକ୍ଷାବର୍ଷରୁ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ହେଉ

ଭୁବନେଶ୍ବର :ମୋ​‌ ସରକାର ଯୋଜନାରେ ନାଗରିକଙ୍କୁ ସେବା ଯୋଗାଇବା ନିମନ୍ତେ ସବୁ ଥାନାକୁ ୫-ଟି ପଦକ୍ଷେପରେ ସାମିଲ କରିବା ଦିଗରେ ଗୃହ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମକୁ ବିଧାନସଭା ସ୍ଥାୟୀ କମିଟି ପ୍ରଶଂସା କରିଛି। ରାଜ୍ୟର ୫୮୭ ଥାନା ପାଇଁ ଆକସ୍ମିକ ପାଣ୍ଠିରେ ପର୍ଯ୍ୟାପ୍ତ ଅର୍ଥବରାଦ କରିବା ସହିତ ମୋ ସରକାର କାର୍ଯ୍ୟକ୍ରମ ପାଇଁ ବାର୍ଷିକ ଆପଦକାଳୀନ ପାଣ୍ଠି ବାବଦରେ ୧୬କୋଟି ଟଙ୍କାର ବଜେଟ ବରାଦ କରିବା ବିଷୟ ସରକାର ବିଚାରକୁ ନେବା ପାଇଁ କମିଟି ସୁପାରିସ କରିଛି।

ବଜେଟ ଉପରେ ବିଭିନ୍ନ ବିଭାଗ ପାଇଁ ଖର୍ଚ୍ଚ ଦାବି ଆଲୋଚନା ପୂର୍ବରୁ ଏଥିପାଇଁ ଗଠିତ ବିଧାନସଭା ସ୍ଥାୟୀ କମିଟିଗୁଡ଼ିକର ରିପୋର୍ଟ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି। ଗୃହ ବିଭାଗ ପାଇଁ ବିଧାୟକ କିଶୋରକୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହାର ରିପୋର୍ଟରେ କହିଛି ଯେ ରାଜ୍ୟରେ ପୁଲିସ ସଂଖ୍ୟା ଜାତୀୟ ହାରଠାରୁ କମ୍ ରହିଛି। ଓଡ଼ିଶାରେ ପୁଲିସ ସଂଖ୍ୟା କମୁ ଥିବାବେଳେ ଆଇନଶୃଙ୍ଖଳା ରକ୍ଷା ନେଇ ସମସ୍ୟା ଦେଖାଦେଉଛି। ତେଣୁ ଅଧିକ ସଂଖ୍ୟାରେ ପୁଲିସ ନିଯୁକ୍ତି କରାଯିବା ସହିତ ଆବଶ୍ୟକ ଗୃହ ନଥିବାରୁ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚରୁ ଏଥିପାଇଁ ଅର୍ଥ ଯୋଗାଇଦିଆଯିବା ଆବଶ୍ୟକ।
କମିଟି ସୁପାରିସ କରିଛି ଯେ ଉପକୂଳ ଅଞ୍ଚଳରେ ନିରାପତ୍ତା ଦୃଷ୍ଟିରୁ ପ୍ରତିଷ୍ଠା ହୋଇଥିବା ସାମୁଦ୍ରିକ ଥାନାକୁ ଅଧିକ ସୁଦୃଢ଼ କରିବାକୁ ହେଲେ ଆବଶ୍ୟକ ପରିମାଣରେ ଅସ୍ତ୍ରଶସ୍ତ୍ର ସରଞ୍ଜାମ ଯୋଗାଇଦେବା ଉଚିତ।

ଅଗ୍ନିଶମ ସେବା ବିଭାଗ ଅଧୀନରେ ଥିବା ଆବାସିକ କ୍ବାର୍ଟର୍ସ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଅତିରିକ୍ତ ୧୦ କୋଟି ଟଙ୍କା ଯୋଗାଣ, ବ୍ଲକ ୱାରି ଅଗ୍ନିଶମ ଷ୍ଟେସନ ପରିବର୍ତ୍ତେ ଦୂରତାକୁ ସର୍ତ୍ତ ଭାବେ ଗ୍ରହଣ କରିବାକୁ କମିଟି ମତ ରଖିଛି।
ହୋମଗାର୍ଡ଼ ପଦ ପୂରଣ ଓ ବେତନ ବୃଦ୍ଧି, ବି​‌ଶ‌େଷ କରି ଦୈନିକ ପାରିଶ୍ରମିକ ୩୦୦ରୁ ୫୦୦ଟଙ୍କାକୁ ବୃଦ୍ଧି, ଅଗ୍ନି ନିରାପତ୍ତା ନିୟମ କାର୍ଯ୍ୟକାରିତା ନିମନ୍ତେ ଆବଶ୍ୟକ ସଂଖ୍ୟାରେ କର୍ମଚାରୀ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି।

କାରାଗାରଗୁଡ଼ିକରେ ରହୁଥିବା ଅନ୍ତେବାସୀଙ୍କୁ ଦୃଷ୍ଟିରେ ରଖି ବଡ଼ ବଡ଼ ଜେଲରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବା, ଜେଲଗୁଡ଼ିକରେ ଖାଲିପଡ଼ିଥିବା ଡାକ୍ତର ପଦ ପୂରଣ, ରାଜ୍ୟର ପ୍ରତି ସିଏଚସିରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ପ୍ରତିଷ୍ଠା, ପୁଲିସ ପ୍ରଶାସନ ଅଧୀନରେ ଫୋରେନ୍ସିକ ପରୀକ୍ଷାଗାରରେ ସହକାରୀ ବୈଜ୍ଞାନିକଙ୍କ ‌ସଂଖ୍ୟା ଦୁଇଗୁଣ ବୃଦ୍ଧି ଏବଂ ଭୁବନେଶ୍ବର, ଅନୁଗୋଳ, ବାଲେଶ୍ବର, କୋରାପୁଟ ଓ ରାଉରକେଲାରେ ନୂତନ ଅଗ୍ନିଶମ ରେଞ୍ଜ କାର୍ଯ୍ୟାଳୟ ଖୋଲାଯିବା ପାଇଁ କମିଟି ସୁପାରିସ କରିଛି।
ସେହିପରି ସାଧାରଣ ପ୍ରଶାସନ ପାଇଁ ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ କମିଟି ମତ ରଖିଛି ଯେ ପ୍ରତି ବର୍ଷ ତିନିଟି କମିସନ ଦ୍ବାରା ସମସ୍ତ ନିଯୁକ୍ତି ପରୀକ୍ଷା ପରିଚାଳିତ ହେଉଛି। ତେବେ ଏହା ଠିକଣା ସମୟରେ ସମ୍ପନ୍ନ ହେଉନାହିଁ। ସମସ୍ତ ନିଯୁକ୍ତି ପରୀକ୍ଷା ନିର୍ଦିଷ୍ଟ ସମୟ ଭିତରେ ଶେଷ କରିବା, ଦୀର୍ଘଦିନ ଧରି ପଡ଼ିରହିଥିବା ନିଯୁକ୍ତି ପ୍ରକ୍ରିୟା ୨୦୨୧ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାପାଇଁ ମୁଖ୍ୟ ଲିଖିତ ପରୀକ୍ଷ ପରେ ଶାରୀରିକ ପରୀକ୍ଷା ପାଇଁ ଥିବା ନିୟମରେ ସଂଶୋଧନ ପାଇଁ ସରକାର ବିଚାର କରିବାକୁ କମିଟି ମତ ରଖିଛି। ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଠିକଣା ଭାବେ ବିତରଣରେ ସମସ୍ୟା ଦେଖାଦେଉଥିବାରୁ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ପରିବର୍ତ୍ତେ ଆରଆଇଙ୍କୁ ଏ ଦାୟିତ୍ବ ପ୍ରଦାନ ପାଇଁ କମିଟି ସୁପାରିସ କରିଛି।

ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ଶିକ୍ଷା ସ୍ଥାୟୀ କମିଟି ଏହାର ରିପୋର୍ଟରେ କହିଛି ଯେ ରାଜ୍ୟରେ ଏକ ହଜାର ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ମହାବିଦ୍ୟାଳୟ ରହିଛି। ମହାବିଦ୍ୟାଳୟଗୁଡ଼ିକର ନିତିଦିନିଆ ପ୍ରଶାସନିକ ଓ ଅନ୍ୟାନ୍ୟ କାର୍ଯ୍ୟ ତୁଲାଇବା ପାଇଁ ୫ଟି ଆଞ୍ଚଳିକ ନିର୍ଦେଶାଳୟ ରହିଥିଲେ ହେଁ ଏହା ପର୍ଯ୍ୟାପ୍ତ ହେଉ ନଥିବାରୁ ରାଜ୍ୟର ୧୩ଟି ଅବିଭକ୍ତ ଜିଲାରେ ଆଞ୍ଚଳିକ ନିର୍ଦେଶାଳୟ ସଂଖ୍ୟା ୧୫କୁ ବୃଦ୍ଧି କରାଯାଉ।

ଏଣିକି ନୂଆ ଡ଼ିଗ୍ରୀ କଲେଜକୁ ଅନୁମତି ତୁରନ୍ତ ବନ୍ଦ କରିବା ସହିତ ଯେଉଁ ବ୍ଲକରେ ଆଦୌ ଡ଼ିଗ୍ରୀ କଲେଜ ନାହିଁ ସେଠାରେ ଅନୁମତି ଦିଆ ଯାଉ। ପଛୁଆ ଅଞ୍ଚଳରେ ଥିବା କଲେଜରେ ଯୁକ୍ତ ଦୁଇରୁ ଉତ୍ତୀର୍ଣ୍ଣ ପିଲାଙ୍କ ପାଇଁ ଡ଼ିଗ୍ରୀ କଲେଜ ସିଟ ସଂଖ୍ୟା ବଢ଼ାଯାଉ। ନୂତନ ଶିକ୍ଷାବର୍ଷ ଆରମ୍ଭରୁ ଡ଼ିଗ୍ରୀ କଲେଜରେ ନିଯମିତ ଅଧ୍ୟକ୍ଷ ନିଯୁକ୍ତି, ଅତିଥି ଅଧ୍ୟାପକଙ୍କ ‌ପାରିଶ୍ରମିକ ବୃଦ୍ଧି, ବେସରକାରୀ କଲେଜରେ ଭିତ୍ତିଭୂମି ସୃଷ୍ଟି ପାଇଁ ବିଧାୟକ ଉନ୍ନୟନ ପାଣ୍ଠି ବିନିଯୋଗ, ବେସରକାରୀ କଲେଜରେ ପ୍ରାଧ୍ୟାପକ ପଦକୁ ପଦୋନ୍ନତି ୨୭ ପରିବର୍ତ୍ତେ ୨୩ ବର୍ଷରେ କରାଯିବାକୁ କମିଟି ସୁପାରିସ କରିଛି।

Comments are closed.