ଡ୍ରେନ ପାଣି ନିଷ୍କାସନ : ନୂଆପଲ୍ଲୀରେ ଲାଗୁ ହେବ ସ୍ପଞ୍ଜ ମଡୁଲାର

ଭୁବନେଶ୍ୱର : ବର୍ଷା ପାଣି ତୁରନ୍ତ ଡ୍ରେନକୁ ନଛାଡ଼ି କିଭଳି ଭାବେ ଡ୍ରେନ ପାର୍ଶ୍ବବର୍ତ୍ତୀ ମୁକ୍ତ ସ୍ଥାନରେ ସଂରକ୍ଷଣ କରାଯାଇ ପାରିବ ସେ ସଂକ୍ରାନ୍ତରେ ମଙ୍ଗଳବାର ଜିଆଇଜେଡ୍‌ ପକ୍ଷରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି ଅତିରିକ୍ତ କମିସନର ସୁରଥଚନ୍ଦ୍ର ମଲ୍ଲିକ ଏହାକୁ ଉଦ୍‌ଘାଟନ କରିଥିଲେ।

ଏ ନେଇ ଅତିରିକ୍ତ କମିସନର ଶ୍ରୀ ମଲ୍ଲିକ କହିଛନ୍ତି, ଅସରାଏ ବର୍ଷା ହେଲେ ଡ୍ରେନ ନଂ ୧୦ ନୂଆପଲ୍ଲୀ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେଉଛି। ଉକ୍ତ ଅଞ୍ଚଳରୁ ଏହି ପରିସ୍ଥିତିକୁ କିଭଳି ଭାବେ ଏଡ଼ାଇ ଦିଆଯାଇ ପାରିବ ସେ ସଂକ୍ରାନ୍ତରେ ଜିଆଇଜେଡ୍‌ ସ୍ପଞ୍ଜ ମଡୁଲାର ଆଣିଛି। ଏହାକୁ ନୂଆପଲ୍ଲୀ ଅଞ୍ଚଳରେ ଲାଗୁ କରିବା ଯୋଜନା ରହିଛି। ଏହି ବ୍ୟବସ୍ଥାରେ ସ୍ପଞ୍ଜ ମଡୁଲାର ଜରିଆରେ ବର୍ଷା ପାଣି ତୁରନ୍ତ ଡ୍ରେନକୁ ଛଡ଼ାଯିବ ନାହିଁ। ବର୍ଷାଜଳ ପାର୍ଶ୍ବବର୍ତ୍ତୀ ଖାଲି ସ୍ଥାନରେ ସଂରକ୍ଷଣ କରି ରଖାଯିବ। ଆସ୍ତେଆସ୍ତେ ପାଣି ଡ୍ରେନକୁ ଛାଡ଼ିଲେ ଉକ୍ତ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିବ ନାହିଁ। ସେହିଭଳି ବର୍ଷା ପାଣିକୁ ସଂରକ୍ଷଣ କରି ମାଟି ତଳକୁ ଛାଡ଼ିଯିବା ବ୍ୟବସ୍ଥା ହେବ। ବିଏମ୍‌ସି, ବିଡିଏ, ସ୍ମାର୍ଟସିଟି ଏବଂ ଜିଆଇଜେଡ୍‌ ମିଳିତ ଭାବେ ସହରକୁ ଜଳମଗ୍ନ ମୁକ୍ତ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଏଥିରେ କିଟ୍‌ ଏବଂ ଜାଭିୟର ସ୍କୁଲ ପ୍ଲାନିଂ ଏବଂ ଆର୍କିଟେକ୍ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଛାତ୍ରଛାତ୍ରୀ ବର୍ଷାଜଳ ସଂରକ୍ଷଣ ପାଇଁ ଯୋଜନାମାନ ପ୍ରସ୍ତୁତ କରିଛନ୍ତି। ସମ୍ମିଳନୀରେ ଡେପୁଟି କମିସନର ଶୁଭେନ୍ଦ୍ୁ ସାହୁ, ଡ୍ରେନେଜ୍‌ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୌତମଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.