୬ଜିଲାରେ ବାଟ ହୁଡ଼ିଛି ଜାତୀୟ ସ୍ୱାସ୍ଥ୍ୟ ମିଶନ ଅର୍ଥ

ସମ୍ପର୍କୀୟଙ୍କ ନାମରେ ସ୍ବାସ୍ଥ୍ୟ ଅଧିକାରୀ ଆତ୍ମସାତ୍ କରିଛନ୍ତି ୪.୪୦କୋଟି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଆସୁଥିବା ବିପୁଳ ଅର୍ଥ ରାଜ୍ୟର ବିଭିନ୍ନ ଜିଲାରେ ବାଟମାରଣା ହେଉଛି। ଏହି ଯୋଜନାର ପ୍ରାୟ ୪.୪୦କୋଟି ଟଙ୍କା ରାଜ୍ୟର ୬ଟି ଜିଲାର ସ୍ବାସ୍ଥ୍ୟ ଅଧିକାରୀ ଆତ୍ମସାତ୍ କରିଛନ୍ତି। ଜିଲାର ସ୍ବାସ୍ଥ୍ୟ ଅଧିକାରୀମାନେ ଅଭିନବ ଉପାୟରେ ଅର୍ଥ ବାଟମାରଣା କରିଛନ୍ତି। ଟଙ୍କା ବିନିଯୋଗ ଲାଗି ତାଙ୍କର ନିକଟ ସମ୍ପର୍କୀୟଙ୍କ ନାମରେ ବ୍ୟାଙ୍କରେ ଖାତା ଖୋଲି ସରକାରୀ ଅର୍ଥ ଆତ୍ମସାତ୍ କରିଛନ୍ତି ବୋଲି ସ୍ବତନ୍ତ୍ର ଅଡିଟ ରିପୋର୍ଟରୁ ଜଣାଯାଇଛି। ଯଦି ଜିଲାସ୍ତରରେ ଚାଲିଥିବା ଏହି ଦୁର୍ନୀତିର ଅଧିକ ତଦନ୍ତ କରାଯାଏ ତେବେ ଅଧିକ ଦୁର୍ନୀତି ଲୋକଲୋଚନକୁ ଆସିପାରିବ ବୋଲି ସୂଚନା ଅଧିକାରୀ କର୍ମୀ ରମେଶ ସାହୁ ଅଭିଯୋଗ କରିଛନ୍ତି।

ଶ୍ରୀ ସାହୁ ଏନେଇ ସଂପୃକ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତାଙ୍କ ସହିତ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଶ୍ରୀ ସାହୁଙ୍କ ଅଭିଯୋଗ ହେଲା ଯେ ଗରିବ ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ଉଦ୍ଦିଷ୍ଟ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅର୍ଥ ସ୍ବାସ୍ଥ୍ୟ ଅଧିକାରୀମାନେ ଖାଇ ଯାଇଛନ୍ତି । ସେଥିମଧ୍ୟରେ ନୟାଗଡ ଜିଲା ସବୁଠାରୁ ଆଗରେ ରହିଛି। ଏହି ଜିଲାର ମଧ୍ୟଖଣ୍ଡ ସିଏଚସିରେ ୩କୋଟି ୨୫ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଛି। ସେହିପରି କେନ୍ଦ୍ରାପଡାର ରାଜକନିକା ଗୋଷ୍ଠୀକେନ୍ଦ୍ରରେ ୨୨ଲକ୍ଷ ୮୩ହଜାର ୫୯୧ ଟଙ୍କା ହରିଲୁଟ୍ ହୋଇଥିବାବେଳେ ଗଜପତି ଜିଲାର ଗୁରାଣ୍ଡିରେ ୩ଲକ୍ଷ ୧୫ହଜାର ୫୫୩ଟଙ୍କା, ସୁନ୍ଦରଗଡ଼ର ଲିଓଙ୍ଗ ସିଏଚସିରେ ୫ଲକ୍ଷ ୨୩ହଜାର ଟଙ୍କା, ସମ୍ବଲପୁରର ନାକିଟି ଦେଉଳ ୧୬ଲକ୍ଷ ୧୦ହଜାର ଏବଂ ମୟୂରଭଞ୍ଜର ସିରସା ସିଏଚସିରେ ୩୪.୧୫ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ଅଧିକାରୀମାନେ ନିଜ ସମ୍ପର୍କୀୟଙ୍କ ନାମରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଆତ୍ମସାତ୍ କରିଛନ୍ତି।

Comments are closed.