ମୁଖ୍ୟ ରାସ୍ତା ପାର୍ଶ୍ବ ବୃକ୍ଷରେ ବିଜ୍ଞାପନ ଫଳକ, ସଚେତନତା ନା ସର୍ବନାଶ ?

ଭୁବନେଶ୍ୱର: ବୃକ୍ଷ ହିଁ ଜୀବନ। ଏହି କଥାର ଗୁରୁତ୍ବ ଏେବ ଉପଲବ୍ଧି କରାଯାଉଛି। ପରିବେଶ ସ୍ବଚ୍ଛ ସହ ବାୟୁ ପ୍ରଦୂଷଣ ରୋକିବା ଦିଗରେ ଗଛର ଭୂମିକା ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ଏେବ ବୃକ୍ଷରୋପଣ ସହ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଉଛି। ତେବେ ସହରରେ ଥିବା ବୃକ୍ଷକୁ ବିଜ୍ଞାପନ ପାଇଁ ବ୍ୟବହାର କରି ଏକପ୍ରକାର ନିର୍ଯାତନା ଦିଆଯାଉଛି। ଏପରି ଦେଖିବାକୁ ମିଳିଛି ରାଜଧାନୀର ଏଜି ଛକରୁ ନିୟୁ ଏୟାରପୋର୍ଟ ରାଜରାସ୍ତା କଡ଼ରେ ଥିବା ଶହ ଶହ ଗଛରେ ଲାଗିଛି ବିଜ୍ଞାପନ। କେଉଁଠି କାଗଜ ଲାଗିଛି ତ ଆଉ କେଉଁଠି ଟିଣ ବା ପ୍ଲାଷ୍ଟିକ୍‌ ବିଜ୍ଞାପନ ବୋର୍ଡ ଦେଖିବାକୁ ମିଳୁଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହିସବୁ ବିଜ୍ଞାପନକୁ ଗଛରେ କଣ୍ଟା ବାଡ଼େଇ ଲଗାଯାଇଛି। ଏପରିକି କିଛି ସଂସ୍ଥା ସଚେତନତା ବାର୍ତ୍ତା ଆଳରେ ଏପରି କରିଥିବା ଦେଖିବାକୁ ମିଳିଛି। ପରିବେଶବିତଙ୍କ ମତରେ ଗଛରେ ଲୁହାକଣ୍ଟା ବାଡ଼େଇବା ଫଳରେ କ୍ଷତ ସୃଷ୍ଟି ହୋଇଥାଏ। ଏହାଛଡ଼ା ଲୁହାକଣ୍ଟାର କଳଙ୍କି ଯୋଗୁଁ ଗଛ ରୋଗିଣା ଓ ଦୁର୍ବଳ ହୋଇଥାଏ। ଅନେକ ସ୍ଥାନରେ ଗଛକୁ ବୁଲା ଗୋରୁଗାଈଙ୍କ କବଳରୁ ରକ୍ଷା କରିବା ଲାଗି ତାରବାଡ଼ ଦିଆଯାଇଥାଏ। ମାତ୍ର ଗଛ ବଡ଼ ହେବା ପରେ ତାରବାଡ଼ କଢ଼ା ନ ହେବା ଫଳରେ ଏଗୁଡ଼ିକ ଗଛ ଗଣ୍ଡିରେ ପଶିଯାଇ ଥାଏ। ବିଏମ୍‌ସିର ବିନାନୁମତିରେ କେଉଁଠି ବି ବିଜ୍ଞାପନ ଫଳକ ଲଗାଇବା ବେଆଇନ ହୋଇଥିଲେ ମଧ୍ୟ ଏହାକୁ ରାଜଧାନୀରେ କେହି ମାନୁ ନ ଥିବା ଦେଖିବାକୁ ମିଳିଛି।

ଏ ନେଇ ବିଏମସି ପରିବେଶ ଅଧିକାରୀ କପିଳେନ୍ଦ୍ର ସେଠୀ କହିଛନ୍ତି ଯେ ବିଜ୍ଞାପନ ଫଳକ ଲଗାଇବା ବେଆଇନ। ପରିବେଶକୁ ସବୁଜ ସୁନ୍ଦର ରଖିବା ନିମନ୍ତେ ବୃକ୍ଷଲତାର ଯତ୍ନ ନେବା ଦରକାର। ବେଆଇନ ବିଜ୍ଞାପନ ଲଗାଉଥିବା ଲୋକଙ୍କ ବିରୋଧରେ ବିଏମ୍‌ସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Comments are closed.