ସାହିିତ୍ୟିକ ବାଉରୀବନ୍ଧୁଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ପ୍ରାବନ୍ଧିକ, ସମାଲୋଚକ ପ୍ରଫେସର ଡ. ବାଉରୀବନ୍ଧୁ କର ଆଉ ନାହାନ୍ତି। ଶୁକ୍ରବାର ସନ୍ଧ୍ୟାରେ ଏଠାରେ ତାଙ୍କର ପରଲୋକ ହୋଇଛି। ଅସୁସ୍ଥତା ଯୋଗୁଁ ତାଙ୍କୁ ଏମ୍‌ସ ହସ୍ପିଟାଲକୁ ପରିବାର ଲୋକେ ନେବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା। ତାଙ୍କୁ ୬୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କପିଳପ୍ରସାଦସ୍ଥିତ ବାସଭବନରେ ବହୁ ସାହିତ୍ୟିକ, ପ୍ରକାଶକ, ଶୁଭେଚ୍ଛୁ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
୧୯୫୧ ମସିହା ସେପ୍ଟେମ୍ବର ୧୨ ତାରିଖରେ ଯାଜପୁର ଜିଲା ଖଣ୍ଡିତର ଗାଁରେ ଜନ୍ମିତ ବାଉରୀବନ୍ଧୁଙ୍କ ବାପା ଅନାଥବନ୍ଧୁ ଓ ମା’ ସୁଭଦ୍ରା। ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ସ୍ବର୍ଣ୍ଣପଦକ ଲାଭ ପରେ ସେ ଅଧ୍ୟାପନାରୁ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଏନ୍‌.ସି କଲେଜ ଯାଜପୁର,
ଜେକେବିକେ କଲେଜ, ରେଭେନ୍ସା କଲେଜ, ଭଦ୍ରକ କଲେଜ, ଯାଜପୁର କଲେଜ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଓଡ଼ିଆ ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରି ସେ ଅବସରଗ୍ରହଣ କରିଥିଲେ। ‘ଆଧୁନିକ ଓଡ଼ିଆ ସାହିତ୍ୟକୁ କାମପାଳ ମିଶ୍ରଙ୍କ ଦାନ’ ଶୀର୍ଷକରେ ଗବେଷଣା କରି ସେ ପିଏଚ୍‌ଡି ଲାଭ କରିଥିଲେ। ସାହିତ୍ୟ ସମାଲୋଚନା ଓ ଗବେଷଣା କ୍ଷେତ୍ରରେ ତାଙ୍କର ସ୍ବତନ୍ତ୍ର ପରିଚିତି ରହିଥିଲା। ତାଙ୍କର ଅନନ୍ୟ ସୃଷ୍ଟି ମଧ୍ୟରେ- ଚିନ୍ତନ: ଅନୁଚିନ୍ତନ, ଓଡ଼ିଆ ପ୍ରବନ୍ଧ ସାହିତ୍ୟ, ପ୍ରାବନ୍ଧିକ ନୀଳକଣ୍ଠ ଦାସ, ଜ୍ଞାନସାର ଜ୍ୟୋତି, ସମାଲୋଚନା ଭାରତୀ, ତିନୋଟି ସମାଲୋଚନା, ଓଡ଼ିଆ ସାହିତ୍ୟର ଇତିହାସ, ସାହିତ୍ୟ ସାଧକ ଡ. ମାୟାଧର ମାନସିଂ, ନାନା ଆଲୋଚନା, ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ, ସମାଲୋଚନା ସ୍ତବକ, ଆଧୁନିକ ଓଡ଼ିଆ ସାହିତ୍ୟକୁ କାମପାଳ ମିଶ୍ରଙ୍କ ଦାନ, ଓଡ଼ିଶାର ସଂସ୍କୃତି ଓ ଇତିହାସରେ ମାଦଳା ପାଞ୍ଜି, ଗୋପୀନାଥ ନନ୍ଦ, ଗୋପୀନାଥ ମହାନ୍ତି, କୃଷ୍ଣପ୍ରସାଦ ମିଶ୍ର (ମନୋଗ୍ରାଫ୍‌) ଏବଂ ବିରୁପାକ୍ଷ ପ୍ରବନ୍ଧାବଳୀ, ଆମସ୍‌ ସଟନ ରଚନାବଳୀ, ସାହିତ୍ୟ ସାଧକ ଶାନ୍ତନୁ କୁମାର ଆଚାର୍ଯ୍ୟ, ସାହିତ୍ୟ ସାଧକ ମହାପାତ୍ର ନୀଳମଣି ସାହୁ, କବି ରମାକାନ୍ତ ରଥ, କବି ଉପେନ୍ଦ୍ର ଭଞ୍ଜ, ଗଦ୍ୟଶିଳ୍ପୀ କିଶୋରୀ ଚରଣ, ସୁରେନ୍ଦ୍ର ସମୀକ୍ଷା, ଗଙ୍ଗାଧର ମେହେର, ପ୍ରଚଳିତ ପ୍ରବନ୍ଧ କବିତା ଓ କବିତା (ସମ୍ପାଦନା) ଇତ୍ୟାଦି ତାଙ୍କ ସମା​‌େ​‌ଲାଚୀୟ ଅଭିଦୃଷ୍ଟିର ଇସ୍ତାହାର। ଏନ୍‌ସାଇକ୍ଲୋପିଡ଼ିଆ ଅଫ୍‌ ଇଣ୍ଡିଆନ୍‌ ଲିଟରେଚର (ଭଲ୍ୟୁମ-୫), ମାଷ୍ଟର ପିସେସ୍‌ ଅଫ୍‌ ଇଣ୍ଡିଆନ୍‌ ଲିଟରେଚର, କମ୍ପ୍ରିହେନ୍‌ସିଭ୍‌ ହିଷ୍ଟ୍ରି ଆଣ୍ଡ କଲ୍‌ଚର ଅଫ୍‌ ଓଡ଼ିଶା ଇଂରାଜୀ ଗ୍ରନ୍ଥଗୁଡ଼ିକରେ ତାଙ୍କର ସ୍ବତନ୍ତ୍ର ଆଲୋଚନା ସ୍ଥାନ ପାଇଥିଲା। ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟ, ବିଶ୍ବଭାରତୀ, ଭାଷା ପରିଷଦ, କଲକାତା, ମଣିପୁର ସାହିତ୍ୟ ପରିଷଦ, ଗୁଜରାଟ, ମୁମ୍ବଇ, ଗୋଆ ପ୍ରଭୃତି ଜାତୀୟ ଆଲୋଚନାଚକ୍ରରେ ଯୋଗ ଦେଇ ଓଡ଼ିଆ ସାହିତ୍ୟ ସମ୍ପର୍କରେ କେତେକ ଉପାଦେୟ ସନ୍ଦର୍ଭ ପାଠ କରିଥିଲେ। ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ସମେତ ‘ଝଙ୍କାର’, ‘ଆସନ୍ତାକାଲି’ ପ୍ରଭୃତି ପତ୍ରିକାରେ ତାଙ୍କର ଆଲେଖ୍ୟ ପ୍ରକାଶ ପାଇଥିଲା। ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌, ଏକାଡେମିକ କାଉନସିଲ୍‌, ସିନେଟ୍‌ର ସଦସ୍ୟ ଥିଲେ। ନିଜର ଅନନ୍ୟ ସାରସ୍ବତ ପ୍ରତିଭା ନିମନ୍ତେ ସେ ଏକାଧିକ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିଲେ।
ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ହରପ୍ରିୟା, ପୁତୁରା ସିଦ୍ଧାର୍ଥ କର ପ୍ରମୁଖ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କର ପୁତ୍ର ଶୁଭାଶିଷ ଓ କନ୍ୟା ଶୁଭଶ୍ରୀ। ସତ୍ୟନଗର ଶ୍ମଶାନରେ ରାତ୍ରିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁତ୍ର ଶୁଭାଶିଷ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ କରଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି ହେଲା। ତାଙ୍କ ବିୟୋଗରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ, ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ନାଟ୍ୟକାର ବିଜୟ ଶତପଥୀ, ଓଡ଼ିଶା ଲେଖକ ସମବାୟ ସମିତିର ମୁଖ୍ୟ ଉପଦେଷ୍ଟା ଡ. ସାତକଡ଼ି ହୋତା, ସମ୍ପାଦକ ରାଜେନ୍ଦ୍ର ମହାନ୍ତି, କବି ଡ. ରମାକାନ୍ତ ରଥ, ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ପୀତବାସ ରାଉତରାୟ, ପୂଜ୍ୟପୂଜା ଓଡ଼ିଶାର ସମ୍ପାଦକ ରମାକାନ୍ତ ମିଶ୍ର, ଡା. କବିପ୍ରସାଦ ମିଶ୍ର ସ୍ମୃତି ପରିଷଦର ସଭାପତି ପ୍ରଭାତ କୁମାର ନନ୍ଦ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେହିପରି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
ସୂଚନାଯୋଗ୍ୟ, ସ୍ବର୍ଗତ କରଙ୍କ ବଡ଼ଭାଇ ବିଶିଷ୍ଟ ପ୍ରାବନ୍ଧିକ, ବାମପନ୍ଥୀ ନେତା ସୌରୀବନ୍ଧୁ କରଙ୍କ ଗତ ଏପ୍ରିଲ ମାସରେ ପରଲୋକ ପରେ ବାଉରୀବନ୍ଧୁ ବେଶ୍‌ ଭାଙ୍ଗି ପଡ଼ିଥିଲେ।
‘ଭାଷାକୁ ନେଇ ରାଜନୀତିକରଣ ଅଶୁଭ ସଂକେତ’
ପ୍ରଫେସର ବାଉରୀବନ୍ଧୁ କରଙ୍କ ଏକ ସ୍ବତନ୍ତ୍ର ସାକ୍ଷାତକାର ୨୦୧୯ ନଭେମ୍ବର ସଂଖ୍ୟା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ରେ ପ୍ରକାଶ ପାଇଥିଲା। ଯେଉଁଥିରେ ଶ୍ରୀ କର ଓଡ଼ିଆ ଭାଷା, ଓଡ଼ିଆ ବିଶ୍ବବିଦ୍ୟାଳୟ ଓ ସମାଲୋଚନା ସାହିତ୍ୟ ସମ୍ପର୍କରେ ବେଶ୍‌ ଉପାଦେୟ କଥା କହିଥିଲେ। ସେ ଓଡ଼ିଆ ଭାଷାର ଭବିଷ୍ୟତକୁ ନେଇ କହିଥିଲେ, କସ୍ମିନ୍‌କାଳେ କୌଣସି ଭାଷା ଲୋପ ପାଇନାହଁି। କାରଣ ଓଡ଼ିଆ ଭାଷା ବର୍ତ୍ତମାନ ଯେଉଁସ୍ତରରେ ଅଛି ତାହା ରହିବ, କିନ୍ତୁ ଭାଷାକୁ ନେଇ ​‌େ​‌ଯଉଁ ରାଜନୀତିକରଣ କରାଯାଉଛି ତାହା ଅଶୁଭ ସଂକେତ।

Comments are closed.