ବିମାନ ଭିତରେ ବାଦୁଡି; ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଏକ ଅସ୍ୱାଭାବିକ ଘଟଣାକ୍ରମରେ ଏୟାର ଇଣ୍ଡିଆର ଏକ ବିମାନ ବାଦୁଡି କାରଣରୁ ମଝି ଆକାଶରୁ ଫେରିଆସିଛି। ଗୁରୁବାର ଘଟିଛି ଏହି ଘଟଣା। ଏୟାର ଇଣ୍ଡିଆର ଏକ ବିମାନ ଧାର୍ଯ୍ୟ ସମୟ ଭୋର ୨.୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ନ୍ୟୁୟର୍କ ଅଭିମୁଖେ ଉଡାଣ ଆରମ୍ଭ କରିବାପରେ ବିମାନର ପାଇଲଟ ବାଦୁଡି ଉପସ୍ଥିତି ସମ୍ପର୍କରେ ଏୟାର ଟ୍ରାଫିକ କଂଟ୍ରୋଲ (ଏଟିସି)କୁ ଅବଗତ କରାଇଥିଲେ। ବିମାନଟି ପ୍ରାୟ ୩୦ ମିନିଟ ଉଡାଣ କରିବା ପରେ ବାଦୁଡିକୁ ଠାବ କରାଯାଇଥିଲା। ଏହାପରେ ବିମାନର କ୍ୟାପଟେନ ତାହାକୁ ପୁନଶ୍ଚ ଦିଲ୍ଲୀ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ବିମାନଟି ନିରାପଦରେ ଅବତରଣ କରିବା ପରେ ବିମାନ କର୍ମଚାରୀମାନେ କ୍ୟାବିନ ଭିତରେ ବାଦୁଡିକୁ ଠାବ କରିଥିଲେ। ତୁରନ୍ତ ବନ୍ୟପ୍ରାଣୀ କର୍ମଚାରୀଙ୍କୁ ଡକାଯାଇ ବାଦୁଡିକୁ ଧରି ସେଠାରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବାଦୁଡିକୁ ବିମାନ ଭିତରେ ବିଜନେସ କ୍ଲାସ ଏରିଆରେ ଠାବ କରାଯାଇଥିଲା ଏବଂ ତାହାର ମୃତ୍ୟୁ ଘଟିଥିଲା। ବାଦୁଡିର ମୃତଦେହକୁ ବାହାର କରାଯିବା ପରେ ବିମାନ ଅଭ୍ୟନ୍ତରକୁ ବିଶୋଧନ କରାଯାଇଥିଲା। ସାଧାରଣତଃ ଚଢେଇ ଓ ବାଦୁଡି ଆଦି ଉଡୁଥିବା ବିମାନର ମୁଖ୍ୟ ଶତ୍ରୁ ଭାବରେ ବିବେଚିତ ହେଉଥିବାବେଳେ ବିମାନ ଭିତରେ ବାଦୁଡି ଠାବ କରାଯିବା ଘଟଣା ଯାତ୍ରୀଙ୍କ ନିରାପତ୍ତା ପ୍ରତି ପ୍ରଶ୍ନ ଉଠାଇଛି।

Comments are closed.