ବିଷାକ୍ତ କୀଟ କାମୁଡ଼ାରେ ନାବାଳିକାର ମୃତ୍ୟୁ ଅଭିଯୋଗ

ବାସୁଦେବପୁର : ଭଦ୍ରକ ବାସୁଦେବପୁରର କଷିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ପାରାପୋଖରୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ କୀଟ କାମୁଡ଼ାରେ ଗଣେଶଙ୍କ ଝିଅ ସାବିତ୍ରୀ ବିଶ୍ୱାଳ ( ୫) ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସାବିତ୍ରୀ ନିଜ ସାଙ୍ଗମାନଙ୍କ ସହ ଶନିବାର ଅପରାହ୍ନରେ ଖେଳୁଥିବା ସମୟରେ ତା’କୁ ଏକ ବିଷାକ୍ତ ପୋକ କାମୁଡ଼ିଥିଲା। ଫଳରେ ସନ୍ଧ୍ୟାରେ ତା’ର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗାଁପାଖ ଚାନ୍ଦୀମାଳ ବଜାରରେ ଥିବା ଏକ ଘରୋଇ ମେଡ଼ିକାଲରେ ତା’ର ଚିକିତ୍ସା କରାଯାଇଥିଲା। ମାତ୍ର ଚିକିତ୍ସା ପରେ ମଧ୍ୟ ସେ ଅଧିକ ଅସୁସ୍ଥ ହେବା ସହ ବାନ୍ତି କରିଥିଲା। ଆଜି ସକାଳେ ପରିବାର ଲୋକେ ସାବିତ୍ରୀକୁ ବାସୁଦେବପୁର ମେଡ଼ିକାଲକୁ ଆଣିଥିଲେ। ମାତ୍ର ଡ଼ାକ୍ତର ସେଠାରେ ସାବିତ୍ରୀକୁ ମୃତ ଘୋଷଣା କରିଥିଲେ। କୀଟ କାମୁଡ଼ିବାରୁ ଏଭଳି ହୋଇଛି ବୋଲି ପରିବାର ଲୋକେ କହିଛନ୍ତି। ସାବିତ୍ରୀ ସହ ଖେଳୁଥିବା ଅନ୍ୟ ୪ ଜଣଙ୍କ ମଧ୍ୟରେ ପୂର୍ଣ୍ଣିମା ବିଶ୍ୱାଳ ନାମକ ନାବାଳିକା ଆଜି ଚିକିତ୍ସା ନିମନ୍ତେ ଆସିଛି ବୋଲି ଜଣାପଡ଼ିଛି।

Comments are closed.