ଆଦି ବିପ୍ଳବୀ ବାସୁଦେବ

0

ବାସୁଦେବ ବଲବନ୍ତ ଫଡକେଙ୍କ ଜନ୍ମ ୧୮୪୫ ନଭେମ୍ବର ୪ତାରିଖରେ ମହାରାଷ୍ଟ୍ରର ରାୟଗଡ ଜିଲା ଅନ୍ତର୍ଗତ ଶିରଢୋଣେ ଗ୍ରାମରେ ହୋଇଥିଲା। ତାଙ୍କୁ ଦେଶର ଆଦି ବିପ୍ଳବୀ ବୋଲି କୁହାଯାଏ। ୧୮୫୭ ମସିହାରେ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ବିଫଳତା ପରେ ସ୍ୱାଧୀନତା ମହାସଂଗ୍ରାମର ଅୟମାରମ୍ଭ କରିଥିଲେ ସେ। ପ୍ରାଥମିକ ଶିକ୍ଷା ପରେ ତାଙ୍କ ପିତା ଚାହୁଁଥିଲେ ସେ ଏକ ଦୋକାନରେ କାମ କରନ୍ତୁ, କିନ୍ତୁ ବ୍ରିଟିଶ ଶାସନରେ କୃଷକମାନଙ୍କ ଦୟନୀୟ ସ୍ଥିତି ଦେଖି ତାଙ୍କ ଭିତରେ ବିଦ୍ରୋହର ସ୍ୱର ସୃଷ୍ଟି ହୋଇଥିଲା।
ଫଡକେ ପିତାଙ୍କ କଥା ନମାନି ମୁମ୍ବଇ ଚାଲିଆସିଲେ ଏବଂ ଜଙ୍ଗଲରେ ଏକ ଅଭ୍ୟାସ ସ୍ଥଳ କରିଥିଲେ। ଏଠାରେ ତାଙ୍କର ସାଥୀ ହୋଇଥିଲେ ମହାତ୍ମା ଜ୍ୟୋତିବା ଫୁଲେ ଏବଂ ଲୋକମାନ୍ୟ ବାଳଗଙ୍ଗାଧର ତିଳକ। ଏହି ଅଭ୍ୟାସ ସ୍ଥାନରେ ବିଦ୍ରୋହୀମାନଙ୍କୁ ଅସ୍ତ୍ରଶସ୍ତ୍ର ଶିକ୍ଷା ଦିଆଯାଉଥିଲା। ସେତେବେଳେ ଇଂରେଜଙ୍କର ଏକ କମ୍ପାନୀରେ ମଧ୍ୟ ଚାକିରି କରିଥିଲେ ସେ। ୧୮୭୧ରେ ମା’ଙ୍କ ଅସୁସ୍ଥତା ଖବର ପାଇ ସେ ଛୁଟି ଆବେଦନ କରିଥିଲେ ବି ତାଙ୍କୁ ମିଳି ନ ଥିଲା। ଅମାନ୍ୟ କରି ଫଡକେ ଗାଁକୁ ଗଲାବେଳକୁ ମା’ଙ୍କର ମୃତ୍ୟୁ ହୋଇସାରିଥିଲା। ତେଣୁ ଇଂରେଜଙ୍କ ବିରୋଧରେ ତାଙ୍କ ମନରେ ଥିବା ବିଦ୍ରୋହ ଅଧିକ ତୀବ୍ର ହୋଇଉଠିଥିଲା। ସେ ଚାକିରି ଛାଡି ସଶସ୍ତ୍ର ବିଦ୍ରୋହ ପ୍ରସ୍ତୁତିରେ ଲାଗିଗଲେ ଏବଂ ଆଦିବାସୀଙ୍କୁ ନେଇ ସେନା ଗଠନ କଲେ।
ସେ ୧୮୭୫ରେ ଇଂରେଜଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ମହାରାଷ୍ଟ୍ରର ସାତଟି ଜିଲାରେ ତାଙ୍କର ପ୍ରଭାବ ବିସ୍ତାର ହୋଇସାରିଥିଲା। ଏଭଳି ଗତିବିଧିରେ ବିବ୍ରତ ଇଂରେଜ ସରକାର ବାସୁଦେବଙ୍କୁ ଜୀବିତ କିମ୍ବା ମୃତ ଅବସ୍ଥାରେ ଧରାଇଦେବା ଲାଗି ୫୦ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା। ୧୮୭୯ ଜୁଲାଇ ୨୦ରେ ଅସୁସ୍ଥ ଅବସ୍ଥାରେ ସେ ଏକ ମନ୍ଦିରରେ ବିଶ୍ରାମ ନେବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଦେଶଦ୍ରୋହ ମକଦ୍ଦମା ରୁଜୁ କରାଯାଇ କଳାପାଣି ଦଣ୍ଡରେ ଦଣ୍ଡିତ କରି ପଠାଇ ଦିଆଗଲା ଆଣ୍ଡାମାନ। ସେଠାରେ ୧୮୮୩ ଫେବୃଆରୀ ୧୭ରେ ଏହି ସଂଗ୍ରାମୀ ଜୀବନର ଅବସାନ ଘଟିଥିଲା।

Leave A Reply