ତୁରୁମୁଙ୍ଗା ବଜାରରେ ମୌଳିକ ସୁବିଧା ଏବେ ବି ଅପହଞ୍ଚ

ପାଟଣା : ପାଟଣା ବ୍ଲକର ଦ୍ବିତୀୟ ବୃହତ୍ତମ ବଜାର ଅଞ୍ଚଳ ଭାବେ ୪୯ ନଂ ଜାତୀୟ ରାଜପଥ ଅନ୍ତର୍ଗତ ତୁରୁମୁଙ୍ଗା ବଜାର ଜାତୀୟ ସ୍ତରରେ ପରିଚିତ ରହିଛି । ଗୋଟିଏ ଦିନରେ ସମଗ୍ର ପାଟଣା ବ୍ଲକରେ ଯେତିକି ଆର୍ଥିକ କାରବାର ହୁଏ କେବଳ ତୁରୁମୁଙ୍ଗା ବଜାର ଅଞ୍ଚଳରେ ପାଖାପାଖି ସେଥିକି ଆର୍ଥିକ କାରବାର ହେଇଥାଏ। ବିଶେଷ କରି ମୁମ୍ବାଇ କୋଲକାତା ରାସ୍ତା ଅନ୍ତର୍ଗତ ତୁରୁମୁଙ୍ଗା ବଜାର ଅଞ୍ଚଳରେ ଢାବାରୁ ଖାଇବା ଠାରୁ ତେଲ ପକାଇବା ଗାଡି ମରାମତି କରିବା ବଜାରରୁ ତେଜରାତି ସାମଗ୍ରୀ କିଣିବା କପଡାଜାତ ସାମଗ୍ରୀ କିଣିବା ପନିପରିବା କିଣିବା ଏଟିଏମ ରୁ ଟଙ୍କା ଉଠାଣ ଆଦି ବିଭିନ୍ନ କ୍ଷେତ୍ରରେ ତୁରୁମୁଙ୍ଗା ବଜାରରେ ଯଥେଷ୍ଟ ସୁବିଧା ଥିଲେ ମଧ୍ୟ ଏଠାରେ ବିଭିନ୍ନ ମୌଳିକ ସୁବିଧା ମିଳେ ନାହିଁ । ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତଙ୍କୁ ଏଠାରେ ଡାକ୍ତର ନଥିବା କହି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରି ଦିଆ ଯାଏ। ସେହିପରି ଏଠାରେ ଆରଏମସି ର ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ନାହିଁ । ଅଞ୍ଚଳରେ ପନିପରିବା ଉତ୍ପାଦନ ଥିଲେ ମଧ୍ୟ ଏଠାରେ ହାଟ ପଡିଆ ଟିଏ ଆଜି ପର୍ୟ୍ୟନ୍ତ ହୋଇ ପାରି ନାହିଁ । ସେହିପରି ବଜାର ଅଞ୍ଚଳ ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ନିହାତି ଆବଶ୍ୟକ ଥିବା ବେଳେ ଆଜି ପର୍ୟ୍ୟନ୍ତ ଏଠାରେ ଓଭର ହେଡ ଟାଙ୍କି ଟିଏ ସ୍ଥାପନ କରିବା ଦିଗରେ ଗ୍ରାମ ଜଳ ଯୋଗାଣ ବିଭାଗ ଅଥବା ପଞ୍ଚାୟତ ପକ୍ଷରୁ ବ୍ୟବସ୍ଥା କରାଯାଇ ପାରି ନାହିଁ । ଏତେ ବଡ ବଜାର ଅଞ୍ଚଳର ବସ ଷ୍ଟାଣ୍ଡ ସହ ପ୍ରତ୍ୟହ ହଜାର ହଜାର ବାଟୋଇ ଯାତ୍ରୀଙ୍କ ଯାତାୟତ ସତ୍ତ୍ୱେ ଏଠାରେ ଶୌଚାଳୟ ବା ପରିଶ୍ରାଗାର ଟିଏ ମଧ୍ୟ ନିର୍ମାଣ କରାଯାଇ ନାହିଁ । ଅନ୍ୟ ପକ୍ଷରେ  ୪୯ ନଂ ଜାତୀୟ ରାଜପଥ ଏଠାରେ ୪ ଲେନ ହେବା ପରେ ବିଶ୍ରାମଗାର ଟିଏ ମଧ୍ୟ ନିର୍ମାଣ କରାଯାଇ ପାରି ନାହିଁ । ପଞ୍ଚାୟତ ଜରିଆରେ କୋଟି କୋଟି ଟଙ୍କା ଉନ୍ନୟନ କାର୍ଯ୍ୟ କରାଯାଉଥିବା ବେଳେ  ୪୯ ନଂ ଜାତୀୟ ରାଜପଥରୁ ତୁରୁମୁଙ୍ଗା  ପଞ୍ଚାୟତ ରାସ୍ତାରେ ଅର୍ଦ୍ଧେକ ଅଂଶ ଆଜି ପର୍ଯ୍ୟନ୍ତ କଂକ୍ରିଟି କରାଯାଇ ନାହିଁ । ନାନାଦି ଅସୁବିଧା ଭିତରେ ତୁରୁମୁଙ୍ଗା ବଜାର ଅଞ୍ଚଳ ପାଇଁ ମୌଳିକ ସୁବିଧା ଅପହଞ୍ଚ ରହିଥିବାରୁ ସମସ୍ୟା ର ସମାଧାନ ପାଇଁ ଅଞ୍ଚଳବାସୀ ମତ ରଖିଛନ୍ତି ।

Comments are closed.