ବାରୁଣୀ ମହୋତ୍ସବ ଉଦଘାଟିତ

ସୁଆଣ୍ଡୋ: ପୁରୀ ଜିଲା ସୁଆଣ୍ଡୋରେ ବାରୁଣୀ ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଜଗନ୍ନାଥଙ୍କ ପ୍ରତିକୃତିରେ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ମାଲ୍ୟାର୍ପଣ ଦୀପଦାନ କରିବା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବାରୁଣୀ ମହୋତ୍ସବ କମିଟି ଆନୁକୂଲ୍ୟରେ ଚଳିତ ବର୍ଷ ପ୍ରଥମ କରି ଏହା ଆରମ୍ଭ କରାଯାଇଛି। ଏହି ଅବସରରେ ପୁରୀ ଅନନ୍ୟା କଳା ମନ୍ଦିର ପକ୍ଷରୁ ନୃତ୍ୟନାଟିକା ଶିବ ତାଣ୍ଡବ, ମାହାରି ନୃତ୍ୟ, ଆଲୋକ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ମହାବାରୁଣୀ ନୃତ୍ୟ ନାଟିକା ଏବଂ ଜୟଶ୍ରୀ ଧଳ ଓ ତାଙ୍କ ଗୃପ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ ଷଢଙ୍ଗୀ ଯୋଗଦାନ କରିଥିଲେ। ସେ କହିଥିଲେ, ଉତ୍କଳୀୟ କଳା ସଂସ୍କୃତି ଭାରତ ବିଦିତ। ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଗାଁରେ ସାଗରସ୍ନାନ ଦିନ ଏହି ମହୋତ୍ସବ ପ୍ରତିବର୍ଷ ପାଳନ କରାଯିବ ବୋଲି ଶ୍ରୀ ଷଢଙ୍ଗୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ସଦାଶିବ ବେଦ ବିଦ୍ୟାଳୟ ଛାତ୍ରଙ୍କ ଦ୍ଵାରା ବେଦପାଠ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କୃଷ୍ଣଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କମିଟି ସଭ୍ୟମାନେଇ ସହଯୋଗ କରିଥିଲେ। କୋଭିଡ କଟକଣା ମଧ୍ୟରେ ଆସନ୍ତା ଶନିବାର ଏହି ମହୋତ୍ସବ ଉଦଯାପିତ ହେବ।

Comments are closed.