ଅନୁଭବଙ୍କୁ ମହିଳା କମିଶନଙ୍କ ନୋଟିସ

ଅନୁଭବଙ୍କୁ ମହିଳା କମିଶନଙ୍କ ନୋଟିସ
ଭୁବନେଶ୍ବର: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ଅନୁଭବ ଓ ତାଙ୍କ ବାପାମା’ଙ୍କୁ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ଦିଆଯାଇଛି। ୩ଜଣଙ୍କୁ ନୋଟିସ୍‌ ହୋଇଥିବା ମହିଳା କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କମିଶନ୍‌ରେ ହାଜର ହେବାକୁ ସମସ୍ତ ୩ଜଣଙ୍କୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି।
ପାରିବାରିକ ବିବାଦ ଘଟଣାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଡିସେମ୍ବର ୧୬ରେ ମହିଳା ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବୈବାହିକ ବିବାଦ ଓ ଘରୋଇ ହିଂସାକୁ ନେଇ ଅଭିଯୋଗ ଆଣି ବର୍ଷା ପୂର୍ବରୁ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ଅଭିଯୋଗ ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି। ହେଲେ ଏସବୁ ଭିତରେ ଏଭଳି କିଛି ଘଟଣା ଘଟିଥିବାରୁ ବର୍ଷାଙ୍କୁ ମହିଳା କମିସନଙ୍କ ପାଖକୁ ଯିବାକୁ ପଡ଼ିଥିଲା।


କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ସାମ୍ବାଦିକା ଜାଗୃତିଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ଜାଗୃତି ଶୁକ୍ଳା ସ୍ପଷ୍ଟୀକରଣ ରଖିଥିଲେ। ଅନୁଭବ ଓ ତାଙ୍କ ମଧ୍ୟରେ କେବଳ ବୃତ୍ତିଗତ ସମ୍ପର୍କ ରହିଛି। ତେବେ ଅନୁଭବ ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ବୈବାହିକ ସମ୍ପର୍କକୁ ନେଇ ଯେଉଁ ବିବାଦ ଉଠିଛି ତାହା ସେମାନଙ୍କର ବ୍ୟକ୍ତିଗତ। କିଛି ବ୍ୟକ୍ତି ସେମାନଙ୍କ ସମ୍ପର୍କ ଭିତରକୁ ତାଙ୍କୁ ଟାଣି ଅଶ୍ଲୀଳ ମନ୍ତବ୍ୟ ଦେଉଛନ୍ତି। ସୋସିଆଲ ମିଡ଼ିଆରେ ଯେଉଁମାନେ ମନ୍ତବ୍ୟ ଦେଉଛନ୍ତି ସେମାନେ ପ୍ରାୟତଃ ବର୍ଷାଙ୍କ ପ୍ରଶଂସକ ବୋଲି ଜାଗୃତି କହିଥିଲେ। ଦରକାର ପଡ଼ିଲେ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବେ ବୋଲି ଜାଗୃତି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଜାଗୃତିଙ୍କ ଏପରି ମନ୍ତବ୍ୟ ପରେ ପରେ ବର୍ଷା ମହିଳା ଆୟୋଗର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।
ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Comments are closed.