ପଞ୍ଚୁଦୋଳ ଯାତ୍ରାରେ ବାଧକ ସାଜିଲା କରୋନା କଟକଣା; ସର୍ବସାଧାରଣରେ ହୋଲି ମନା

ଆଠଗଡ : ରାଜାରାଜୁଡା ଅମଳରୁ ଆଠଗଡ ଗଡଜାତ ଅଞ୍ଚଳରେ ଚାଲିଆସୁଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାରେ ଚଳିତବର୍ଷ ବାଧକ ସାଜିଛି କରୋନା କଟକଣା। ସଂପ୍ରତି ଦେଶର ବିଭିନ୍ନ ରାଜ୍ୟରେ ଓ ଓଡିଶାରେ ମଧ୍ୟ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର ଦୋଳ ଓ ହୋଲି ଉତ୍ସବରେ କଟକଣା ଜାରି କରିବା ପରେ ଆଠଗଡ ପ୍ରଶାସନ ପକ୍ଷରୁ ମଧ୍ୟ ସେହି ଅନୁଯାୟୀ କଟକଣା ଜାରି କରୁଛି। ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସୋମବାର ତାଙ୍କ କାର୍ଯ୍ୟାଳୟ ସଭାଗୃହରେ ପଞ୍ଚୁଦୋଳ ଯାତ୍ରା କିପରି କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ ସେ ନେଇ ଆଲୋଚନା ଓ କେତେକ ନିଷ୍ପତି ଗ୍ରହଣ କରାଯାଇଛି। ଆଠଗଡ ଗଡଜାତ ଅଞ୍ଚଳରେ ଫଗୁଦଶମୀ ଠାରୁ ବାରୁଣୀ ଯାତ୍ରା ଅର୍ଥାତ୍ ମାର୍ଚ୍ଚ ୨୪ତାରିଖରୁ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମାଞ୍ଚଳ ଓ ଆଠଗଡ ସହରରେ ପୃଥକ ପୃଥକ ଦିନରେ ଦୋଳ ଓ ପଞ୍ଚୁଦୋଳ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଆଠଗଡ ପଞ୍ଚୁଦୋଳ ଯାତ୍ରାରେ ପୂର୍ବପରି ୫୦ରୁ ଉର୍ଦ୍ଧ୍ବ ବିମାନ ଯୋଗ ନ ଦେଇ କେବଳ ଆଠଗଡ ସହର, ରାଧାଗୋବିନ୍ଦପୁର, ଧବଳେଶ୍ୱର ଓ ସର୍ପେଶ୍ୱର ଦେବଙ୍କର ୧୦ଟି ବିମାନ ଯୋଗଦେବେ। ଏଠାରେ ନିରାଡମ୍ବର ଭାବେ ଦୋଳମେଳଣ ପଡିଆରେ ବିମାନଗୁଡିକ ଏକତ୍ରିତ ହେବା ପରେ ବିନା ବାଜା, ବାଣ ଓ ରୋଷଣିରେ ନିରାଡମ୍ବର ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ କୌଣସି ବିମାନ ସହିତ ବିମାନ ବାହକ, ପୂଜକ ଓ ଘଣ୍ଟୁଆଙ୍କୁ ମିଶାଇ ୧୦ଜଣରୁ ଅଧିକ ରହିପାରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରିଯାଇଛି। ସେହିପରି ଆଠଗଡ ସହର ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅବା ଅପେରା କରାଯାଇପାରିବ ନାହିଁ। କେବଳ ପରମ୍ପରାକୁ ବଜାୟ ରଖିବା ଲାଗି ବିମାନରୁଢ ଦିଅଁଙ୍କୁ ନିରାଡମ୍ବର ଶୋଭାଯାତ୍ରାରେ ପରିକ୍ରମା କରାଯାଇ ଭୋଗଲାଗି କରାଯିବ। ସେହିପରି ସର୍ବସାଧାରଣରେ ସାମୂହିକ ହୋଲି ଖେଳ ଉପରେ ମଧ୍ୟ ସଂପୃର୍ଣ୍ଣ କଟକଣା ଜାରି କରାଯାଇଛି। ଲୋକମାନେ ନିଜ ପରିବାର ସହିତ ହୋଲି ଖେଳିପାରିବେ। ଦୋଳ ଓ ପଞ୍ଚୁଦୋଳ ଯାତ୍ରାରେ ବାହାରକୁ ଆସୁଥିବା ଲୋକମାନେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହି ବୈଠକରେ ତହସିଲଦାର ତପନ କୁମାର ଖୁଣ୍ଟିଆ, ବିଡିଓ ଅରୁଣ କୁମାର ଦାସ, ଡାକ୍ତରଖାନା ଅଧିକ୍ଷକ ବିଜୟ କୁମାର ମିଶ୍ର, ଦେବୋତ୍ତର ଉପଦେଷ୍ଟା କମିଟି ସଭାପତି ପ୍ରାଣକୃଷ୍ଣ ଦାଶ, ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସ, ଆଠଗଡ ଆଇଆଇସି ଜ୍ଞାନରଞ୍ଜନ ମିଶ୍ର, ଖୁଣ୍ଟୁଣୀ ଆଇଆଇସି ସୁଚିତ୍ରବିର୍ଯ୍ୟ ଦାସ ଓ ଗୁରୁଡିଝାଟିଆ ଆଇଆଇସି ସମ୍ବିତ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ବଜାର କମିଟି କର୍ମକର୍ତ୍ତା, ଗ୍ରାମ୍ୟ କମିଟି କର୍ମକର୍ତ୍ତା, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.