ତ୍ରୁଟିପୂର୍ଣ୍ଣ  ‘ଓଡିଆ ବର୍ଣବୋଧ’ ପ୍ରକାଶନ ମାମଲା ତୁଟିଲା

ପ୍ରକାଶନ ବା ବିତରଣ ହେବନାହିଁ ତ୍ରୁଟିପୂର୍ଣ୍ଣ ବର୍ଣବୋଧ, ଭାଷା ପ୍ରତିଷ୍ଠାନ ଛାପିବ ମଧୁ ବର୍ଣ୍ଣବୋଧ

ବାଲିଚନ୍ଦ୍ରପୁର : ଗତ ୨୦୧୪ ମସିହାରେ ପ୍ରକାଶିତ ରାଜ୍ୟ ସରକାରଙ୍କ ଓଡିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶନ କରାଯାଇଥିବା ତ୍ରୁଟିପୂର୍ଣ୍ଣ   ‘ଓଡିଆ ବର୍ଣବୋଧ’ ଆଉ ଛପା ଯିବ ନାହିଁ କି ଏହାର ବିତରଣ କରାଯିବ ନାହିଁ। ୨୦୧୪ ମସିହାରେ ଏହି ତ୍ରୁଟିପୂର୍ଣ୍ଣ ଓଡିଆ ବର୍ଣବୋଧ ପ୍ରକାଶନ ପରେ ରାଜ୍ୟର ବୁଦ୍ଧିଜୀବୀ ଓ ଭାଷାପ୍ରେମୀଙ୍କ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ତ୍ରୁଟିପୂର୍ଣ୍ଣ ବର୍ଣବୋଧର ପ୍ରକାଶନକୁ ବିରୋଧକରି ଉଚ୍ଚନ୍ୟାୟାଳୟରେ ଏକାଧିକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ତେବେ ବିଗତ ପାଞ୍ଚ ବର୍ଷ ଧରି ଉଚ୍ଚ ନ୍ୟାୟାଳୟରେ ଚାଲିଥିବା ମାମଲା ଶେଷ ହୋଇଛି। ଓଡିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଏହି ତ୍ରୁଟି ବର୍ଣବୋଧ ଆଉ ଛପାଯିବ ନାହିଁ କି ବିତରଣ କରାଯିବ ନାହିଁ।

ଓଡିଆ ଲିପିର ଅକ୍ଷରବେଦ ଭାବେ ପରିଚିତ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ଲିଖିତ ମଧୁ ବର୍ଣ୍ଣବୋଧ ଛପାଯାଇ ରାଜ୍ୟ ଓ ରାଜ୍ୟ ବାହାରେ ଓଡିଆ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ପ୍ରଦାନ କରାଯିବା  ପରେ ଏହି ମାମଲା ଶେଷ ହୋଇଛି ।  ଏଥି ନେଇ ତ୍ରୁଟିପୂର୍ଣ୍ଣ ‘ଓଡିଆ ବର୍ଣବୋଧ’ ବିରୋଧରେ  ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିବା ଓଡିଆ ଚେତନା ପରିଷଦ ପକ୍ଷରୁ ରବିବାର ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି। ପ୍ରକାଶ ଯୋଗ୍ୟ ଯେ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ଲିଖିତ ବର୍ଣ୍ଣବୋଧକୁ ଅନଧିକାର ଭାବେ ସଂଶୋଧିତ ଏବଂ ସମ୍ପାଦିତ କରି ଏବଂ ଓଡିଆ ଭାଷାର ନିଜସ୍ୱ ଲିଖନ ଶୈଳୀକୁ ମନଇଚ୍ଛା ପରିବର୍ତ୍ତନ କରି ଗତ ୨୦୧୪ ମସିହାରେ ଓଡିଶା ସରକାରଙ୍କ ଅଧୀନସ୍ଥ ଓଡିଆ ଭାଷା ପ୍ରତିଷ୍ଠାନ ତରଫରୁ ‘ଓଡିଆ ବର୍ଣବୋଧ’ ପ୍ରକାଶ କରାଯାଇଥିଲା।ଏହି ତ୍ରୁଟିପୂର୍ଣ୍ଣ ପୁସ୍ତକରେ ‘ପୂର୍ଣ୍ଣ’ ବଦଳରେ ‘ପୂର୍ଣ,  ଖାଉଛୁ ବଦଳରେ  ଖାଉଛୁଁ, ଜଣାଉଛୁ ବଦଳରେ ଜଣାଉଛୁଁ, ଅଙ୍ଗୁଳି ବଦଳରେ ଅଂଗୁଳି, ଆମ୍ବ ବଦଳରେ ଆଂବ ଆଦିର ବିକୃତ ଲିଖନ ଶୈଳୀ ପ୍ରକାଶ କରାଯାଇଥିଲା। ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ତ୍ରୁଟିପୂର୍ଣ୍ଣ ଓଡିଆ ବର୍ଣବୋଧକୁ ନେଇ ସେ ସମୟରେ ଓଡିଶାର ବୁଦ୍ଧିଜୀବୀ ଏବଂ ଓଡିଆ ଭାଷାପ୍ରେମୀଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଥିଲା। ଓଡିଆ ଭାଷାର ପ୍ରତ୍ୟେକ ଲିପିର ଗୋଟିଏ ଗୋଟିଏ ଧ୍ୱନି ବା ଉଚ୍ଚାରଣ ରହିଥିବା ବେଳେ ଏହି ମୌଳିକ ଉଚ୍ଚାରଣ ଶୈଳୀକୁ ନଷ୍ଟ କରି ଓଡିଆ ଅକ୍ଷର ମାଳାର ପାଞ୍ଚଟି ବର୍ଗ ପୂର୍ବରୁ ଅନୁସ୍ୱାରର ୫ ପ୍ରକାର ଉଚ୍ଚାରଣରର ପ୍ରୟୋଗ ଓଡିଆ ଭାଷାକୁ ବିକୃତ କରିବ ବୋଲି ସାରା ଓଡିଶାର ଭାଷାପ୍ରେମୀ ଓ ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଥିଲେ । ତେବେ ଓଡିଆ ଭାଷା ପ୍ରତିଷ୍ଠାନର ‘ଓଡିଆ ବର୍ଣବୋଧ’ ଓଡିଆ ଭାଷାକୁ ବିକୃତ କରିବ ବୋଲି ଦର୍ଶାଇ ପ୍ରଥମେ ଯାଜପୁର ଜିଲାର ବାଲିଚନ୍ଦ୍ରପୁରସ୍ଥିତ ଓଡିଆ ଚେତନା ପରିଷଦର ଆବାହକ ଅନନ୍ତ ଦେବଦର୍ଶୀ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ନଂ ୧୦୦୫୪/୨୦୧୪ ଦାଖଲ କରିଥିଲେ। ଏହାପରେ ଏହିଘଟଣାରେ କଟକର ବୀଣାପାଣି ମହାନ୍ତି ଏବଂ ରଘୁନାଥ ମହାପାତ୍ରଙ୍କ ତରଫରୁ ଆଉ ଏକ ଜନସ୍ୱାର୍ଥ ମାମଲା ନଂ ୧୦୧୩୪/୨୦୧୪ ଦାଖଲ କରାଯାଇଥିଲା। ଏହି ଦୁଇ ଜନସ୍ୱାର୍ଥ ମାମଲାର ଏକତ୍ର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ୨୦୧୪ ମସିହାର ମଇ ମାସ ୨୮ ତରିଖରେ ଏହି ବିବାଦୀୟ ‘ଓଡିଆ ବର୍ଣବୋଧ’ ପ୍ରକାଶନ,ବିତରଣ ଓ ବିକ୍ରି ଉପରେ ରହିତାଦେଶ ଜାରି କରିଥିଲେ। ପରେ ଡଃ. ନଟବର ଶତପଥୀଙ୍କ ତରଫରୁ ‘ଓଡିଆ ବର୍ଣ୍ଣବୋଧ’ ସମ୍ପର୍କରେ ଆଉ ଏକ ଜନସ୍ୱାର୍ଥ ମାମଲା ନଂ ୧୫୩୧୬/୨୦୧୪  ରୁଜୁ କରାଯାଇଥିଲା। ତେବେ ଉଚ୍ଚ ନ୍ୟାୟଳୟଙ୍କ ପକ୍ଷରୁ ୧୬ ଅକ୍ଟୋବର ୨୦୧୪ରେ   ଏହି ମାମଲାର ଶୁଣାଣି କରାଯାଇ ଡଃ ନଟବର ଶତପଥୀ ଏବଂ ବୀଣାପାଣି ମହାନ୍ତିଙ୍କର ଦୁଇଟିଯାକ ମାମଲାର ପରିସମାପ୍ତ ଘଟାଇଥିଲେ ଏବଂ  ଆବେଦନକାରୀ ଦ୍ୱୟ ନିଜ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇବାକୁ ପରାମର୍ଶ ଦେଇଥିଲେ। ତେବେ ଅନନ୍ତ ଦେବଦର୍ଶୀଙ୍କ ଦ୍ୱାରା ରୁଜୁ ହୋଇଥିବା ପ୍ରଥମ ମାମଲା ୧୦୦୫୪/୧୪ ଅନୁଯାୟୀ ଓଡିଆ ବର୍ଣବୋଧର ପ୍ରଚଳନ ଉପରେ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ରହିତାଦେଶ ବଳବତ୍ତର ରହିବ ବୋଲି ଆଦେଶ ପ୍ରଦାନ କରିଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବ ୨୦୧୬ ଡିସେମ୍ବର ୨ରେ ଏକ ନିର୍ଦେଶାନାମାରେ ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧରେ କୌଣସି ପରିବର୍ତ୍ତନ କରାନଯାଇ ରାଜ୍ୟ ଭିତରେ ଏବଂ ବାହାରର ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଚାହିଁ ମଧୁବର୍ଣ୍ଣବୋଧ ପ୍ରକାଶନ କରାଯିବ ବୋଲି ଦର୍ଶାଇଥିଲେ।

ଚଳିତ ବର୍ଷ ସେପ୍ଟେମ୍ବର ୨୪ ତାରିଖରେ ଓଡିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ତମସାରାଣୀ ଦାସମହାପାତ୍ର ଉଚ୍ଚ ନ୍ୟାୟାଳୟରେ ଏକ ଅତିରିକ୍ତ ସତ୍ୟପାଠ କରି ଦର୍ଶାଇଥିଲେ ଯେ, ଓଡିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ମୁଦ୍ରିତ ‘ଓଡିଆ ବର୍ଣବୋଧ’ର ପୁନଃମୁଦ୍ରଣ ଏବଂ ବିତରଣ ଆଉ କରାଯିବ ନାହିଁ କି ଓଡିଶା ଏବଂ ଓଡିଶା ବାହାରେ ଥିବା ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ମଧ୍ୟରେ ତାହା ବଣ୍ଟନ କରାଯିବ ନାହିଁ।  କେବଳ ଭକ୍ତ କବି ମଧୁସୂଦନ ରାଓଙ୍କ ଦ୍ୱାରା ଲିଖିତ ମଧୁବର୍ଣ୍ଣବୋଧକୁ ମୁଦ୍ରଣ କରାଯାଇ ଓଡିଶା ଏବଂ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରାଯିବ। ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଏବଂ ଓଡିଆ ଭାଷାପ୍ରତିଷ୍ଠାନର ନିର୍ଦେଶିକାଙ୍କ ସତ୍ୟପାଠକୁ ଗ୍ରହଣ କରି ‘ଓଡିଆ ବର୍ଣବୋଧ’ ସମ୍ପର୍କିତ ପ୍ରଥମ ମାମଲାର ଆବେଦନକାରୀ ଅନନ୍ତ ଦେବଦର୍ଶୀଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲାର ଅନ୍ତଃ ଘଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ମାମଲର ଶେଷ ଶୁଣାଣି ଗତ ନଭେମ୍ବର ୧୮ ତାରିଖରେ ହୋଇଥିଲା ଏଥିରେ ଆବେଦନକାରୀଙ୍କ ପକ୍ଷରୁ  ଆଇନଜୀବୀ ପ୍ରଦୀପ୍ତ କିଶୋର ଭୂୟାଁ ମାମଲାର ଅନ୍ତ ଘଟାଇବାକୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠକୁ ଅନୁରୋଧ କରିଥିଲେ ଏବଂ ଏହି ତାରିଖରେ ଓଡିଆ ବର୍ଣବୋଧ ବିରୋଧରେ ରହିଥିବା ମାମଲାକୁ ଉଚ୍ଚ ନ୍ୟାୟାଳୟ ଶେଷ କରିଥିଲେ। ଏହି ତ୍ରୁଟିପୂର୍ଣ୍ଣ ଓଡିଆ ବର୍ଣବୋଧକୁ ହଟାଯିବା ଫଳରେ ଓଡିଆ ଭାଷା ଏକ ବିକୃତିକରଣରୁ ରକ୍ଷାପାଇବା ସହ ଏହାର ମୌଳିକତା ବଞ୍ଚିରହିବ ବୋଲି  ଯାଜପୁର ଜିଲାର ବାଲିଚନ୍ଦ୍ରପୁରସ୍ଥିତ ‘ଓଡିଆ ଚେତନା ପରିଷଦ’ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି।  ଓଡିଆ ଚେତନା ପରିଷଦ ପକ୍ଷରୁ ଏହାର ସଭ୍ୟ ବିଳାସ ଚନ୍ଦ୍ର ବାରିକ, ଶାରଦା ପ୍ରସନ୍ନ ମହାନ୍ତି, ଅମରେନ୍ଦ୍ର ସିଂହ, ଅଜୟ ପ୍ରତାପ ସିଂହ ଓ ପ୍ରଦୀପ୍ତ ରାଉତରାୟ ପ୍ରମୁଖ ଏହି ପ୍ରସଙ୍ଗରେ ସହଯୋଗ କରିଥିବା ଓଡିଶାର ବୁଦ୍ଧିଜୀବୀ, ଭାଷାପ୍ରେମୀ, ଗଣମାଧ୍ୟମ ଏବଂ ଓଡିଶା ସରକାରଙ୍କ ପରିବର୍ତ୍ତିତ ନିଷ୍ପତ୍ତିକୁ  ଧନ୍ୟବାଦ ଜଣାଇଛନ୍ତି।

Comments are closed.