ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବହେଳା ପାଇଁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ

ବାରିପଦା:  ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରୁ  ଗୁରୁତର ଅସୁସ୍ଥ ଦୁଇ ବର୍ଷର ଶିଶୁପୁତ୍ରକୁ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକାଲ ହସ୍ପିଟାଲକୁ ନେବା ବାଟରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ ନେଇ ବେତନଟୀ ଥାନାରେ ଶିଶୁପୁତ୍ରର ମା’ ବୈଶିଙ୍ଗାର ଗୀତା ବେହେରାଙ୍କ ଅଭିଯୋଗକ୍ରମେ ୧୭୬/୨୦ ନମ୍ବରର ଏକ ମାମଲା ୩୦୪(ଏ) ଓ ୩୪ ଦଫାରେ ଆମ୍ବୁଲାନ୍ସ ଡ୍ରାଇଭର, ଫାର୍ମାସିଷ୍ଟ ଓ ଆଟେଣ୍ଡଣ୍ଟ ତିନି ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଏ ସଂପର୍କରେ ବେତନଟୀ ଥାନାର ଆଇଆଇସି ଅଶୋକ କୁମାର ନାୟକଙ୍କ ଦ୍ୱାରା ତଦନ୍ତ ଚାଲିଛି। ପୁଲିସ ଦ୍ୱାରା ୧୦୮ ଆମ୍ବୁଲାନ୍ସ ନମ୍ବର ଓଡି-୦୨ବିଏଚ-୧୨୫୨କୁ ଜବତ କରାଯାଇଛି ଏବଂ ମୃତଶିଶୁଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଅଭିଯୋଗ ଅନୁଯାୟୀ,  ଶିଶୁପୁତ୍ରକୁ ନେଇଯାଉଥିବା ଆମ୍ବୁଲାନ୍ସ ଡ୍ରାଇଭର ବାରିପଦାଠାରୁ ପ୍ରାୟ ୭ କିଲୋମିଟର ଦୂର ମଞ୍ଚାବନ୍ଧାଠାରେ ଆମ୍ବୁଲାନ୍ସକୁ ରଖି ସେଠାର ଏକ ଢାବା ହୋଟେଲରେ ପ୍ରାୟ ଦେଢ ଘଣ୍ଟା ଅଟକି ରହିଥିଲେ। ଯାହା ଫଳରେ ଶିଶୁଟି ଅତ୍ୟଧିକ ଅସୁସ୍ଥ ହେବାରୁ ବାଧ୍ୟ ହୋଇ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଅବହେଳାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।
ଅନ୍ୟପକ୍ଷରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ବିଭୀଷଣ ମହାନ୍ତଙ୍କ ପ୍ରତି ଅଭିଯୋଗକ୍ରମେ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ମରଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ନେଇ ୧୭୭/୨୦ ନମ୍ବରର ଏକ ମାମଲା ୩୨୩, ୩୪୧, ୨୯୪, ୫୦୬ ଓ ୩୪ ଦଫାରେ ମାମଲା ମଧ୍ୟ ବେତନଟୀ ଥାନାରେ ରୁଜୁ ହୋଇଥିବା ପ୍ରକାଶ।

Comments are closed.