ପ୍ରଶାସନର ଐତିହ୍ୟ ସ୍ମୃତି ମାନ୍ୟତା ପ୍ରତିଶ୍ରୁତି ପ୍ରହସନ, ଉତ୍କଳମଣିଙ୍କ ବାରିପଦା ଘର ଏବେ ଭୂତକୋଠି

ବାରିପଦା: ସ୍ୱତନ୍ତ୍ର ମୟୂରଭଞ୍ଜ ରାଜଦରବାର ସମୟରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରଥମ କର୍ମପୀଠ ବାରିପଦା ସହରରେ ଥିବା ‘ଗୋପବନ୍ଧୁ ଭବନ’ଟିର ରକ୍ଷଣାବେକ୍ଷଣ ସହ ସ୍ମୃତିପୀଠର ମାନ୍ୟତା ପାଇଁ ଦାବି ହୋଇ ଆସୁଛି। ବାରିପଦା ସହରର କେନ୍ଦ୍ରସ୍ଥଳୀ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଜିଲା ପ୍ରାଣୀ ଚିକିତ୍ସାଳୟ ଏବଂ ସହୀଦ ପଡ଼ିଆ ନିକଟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବାରିପଦା ରହଣି ସମୟରେ ବାସଗୃହଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ୪୧ ବର୍ଷ ତଳେ ଜିଲା ପ୍ରଶାସନପକ୍ଷରୁ ଏହି ସ୍ଥାନରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବାସସ୍ଥାନକୁ ଏକ ସ୍ମୃତିସ୍ଥଳ ଭାବେ ମାନ୍ୟତା ଦେଇଥିଲେ। ଏହାର ପରିଚାଳନା ଭାର ବାରିପଦା ପୌର ପରିଷଦକୁ ହସ୍ତାନ୍ତର କରାଯାଇଥିଲା। ପଣ୍ଡିତ ଗୋପବନ୍ଧୁ ଦାସ ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ସରକାରୀ ଓକିଲ ଭାବେ ୧୯୧୦ରେ ଯୋଗ ଦେଇଥିଲେ ଏବଂ ସେହି ସମୟରେ ବାରିପଦା ପୌର ପରିଷଦର ପ୍ରଥମ ଉପାଧ୍ୟକ୍ଷ ମଧ୍ୟ ଥିଲେ।

ବାରିପଦା ପୌର ପରିଷଦ ଏହି ବାସଗୃହଟିକୁ ‘ଗୋପବନ୍ଧୁ ଭବନ’ ନାମରେ ନାମିତ କରି ଗୋପବନ୍ଧୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପାଠାଗାର ମଧ୍ୟ ସ୍ଥାପନ କରିଥିଲା। କିଛି ଦିନ ଧରି ଏହି ପାଠାଗାର ଚାଲିବା ପରେ କେଉଁ କାରଣ ପାଇଁ ତାହା ବନ୍ଦ ହୋଇଗଲା। ସେତେବେଳେ ଏହି ସ୍ଥାନଟିକୁ ଜିଲା ଦେବୋତ୍ତର ବିଭାଗକୁ ହସ୍ତାନ୍ତରିତ କରାଯାଇଥିଲା। ଯେତେବେଳେ ଦେବୋତ୍ତର ବିଭାଗ ସଠିକଭାବରେ ଜିଲାର ମଠ ମନ୍ଦିରଗୁଡିକର ପରିଚାଳନା କରିପାରୁ ନାହିଁ ବୋଲି ଅଭିଯୋଗ ହୋଇଆସୁଛି ସେ ଅବସ୍ଥାରେ ଏଭଳି ଐତିହ୍ୟସ୍ଥଳୀର ପରିଚାଳନା କିଭଳି କରିବ ବୋଲି ଜନସାଧାରଣଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଥିଲା। ୩୦ ବର୍ଷରୁ ଊର୍ଦ୍ଧ୍ବ ଧରି ଜନସାଧାରଣଙ୍କର ଏହି ଆଶଙ୍କା ସତ୍ୟରେ ପରିଣତ ହୋଇ ଏବେ ଏହି ବାସଭବନଟି ଅବହେଳିତ, ପରିତ୍ୟକ୍ତ ଓ ଅଳିଆ ଆବର୍ଜନାପୂର୍ଣ୍ଣଥିବାରୁ ଗୋପବନ୍ଧୁଙ୍କ ସ୍ମୃତି ପ୍ରତି ଅସମ୍ମାନିତ କରୁଛି।

ଉତ୍କଳମଣି ୧୯୧୦ ଜାନୁଆରୀରୁ ୧୯୧୨ ଫେବୃଆରୀ ପର୍ଯ୍ୟନ୍ତ ଥିଲେ। ସେହି ସମୟ ପୂର୍ବରୁ ସେ ସତ୍ୟବାଦୀଠାରେ ବନ ବିଦ୍ୟାଳୟ ପ୍ରତିଷ୍ଠା କରି ସାରିଥିଲେ। ଏଣୁ ଶିକ୍ଷା ଓ ଶିକ୍ଷାର୍ଥୀଙ୍କର ଉନ୍ନତି ସକାଶେ ବାରିପଦାରେ ସେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ସହ ପ୍ରତ୍ୟକ୍ଷ ଭାବେ ଜଡିତ ଥିଲେ। ସେତେବେଳେ ଏହି ହାଇସ୍କୁଲ ପରିସରରେ ଥିବା ଫ୍ରେଜର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ‘ଜାଗରଣ’ ନାମକ ଏକ ହାତ ଲେଖା ପତ୍ରିକା ଗୋପବନ୍ଧୁଙ୍କ ଦିଗ୍‍ଦର୍ଶନରେ ପ୍ରକାଶ ପାଉଥିଲା ଏବଂ ତତ୍‍ସହିତ ଛାତ୍ରଙ୍କ ମଧ୍ୟରେ ସେବା ଓ ଜ୍ଞାନର ପ୍ରୋତ୍ସାହନ ପାଇଁ ‘ୟଙ୍ଗ ଉତ୍କଳ ଆସୋସିଏସନ’ ଗଠନ କରାଇବାରେ ପ୍ରେରଣା ଦେଇଥିଲେ। ୧୮୯୨ରେ ମୟୂରଭଞ୍ଜ ରାଜ୍ୟରେ ସ୍ଥାପିତ ହୋଇଥିବା ‘ବ୍ୟବସ୍ଥାପକ ସଭା’ରେ ଷ୍ଟେଟ ଓକିଲଭାବେ ସକ୍ରିୟ ସଭ୍ୟ ରହି ‘ଅସ୍ତ୍ରଶସ୍ତ୍ର ପରିଚାଳନା ଆଇନ’ ଓ ‘କୋର୍ଟ ଫି ଆଇନ’ର ପ୍ରଣୟନର ସେ ମୁଖ୍ୟ ଭୂମିକା ନେଇଥିଲେ। ଏହାସହ ମୟୂରଭଞ୍ଜ ରାଜ୍ୟରେ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳଯୋଗାଣ ଓ ଗ୍ରାମପଞ୍ଚାୟତଗୁଡିକ ପରିଚାଳନାରେ ଜନସହଭାଗିତା ପାଇଁ ଗୋପବନ୍ଧୁ ଦାସଙ୍କ ଉଦ୍ୟମ ଅବିସ୍ମରଣୀୟ।

ବାରିପଦା ମ୍ୟୁନିସିପାଲିଟିର ପ୍ରଥମ ଭାଇସ-ଚେୟାରମ୍ୟାନ ଭାବେ ଉତ୍କଳମଣି ବାରିପଦା ମ୍ୟୁନିସିପାଲିଟିର ପରିମଳ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ସହ ସେ ସମୟରେ ଓଡିଶାରେ ପ୍ରଥମଥର ପାଇଁ ବାରିପଦା ସହରରେ କିରାସିନ ଲ୍ୟାମ୍ପ ସାହାଯ୍ୟରେ ରାସ୍ତାପାର୍ଶ୍ବରେ ଆଲୋକ ବ୍ୟବସ୍ଥା ତାଙ୍କ ଉଦ୍ୟମରେ ସମ୍ଭବ ହୋଇ ପାରିଥିଲା। ଏଥିସହ ତାଙ୍କ ଦ୍ୱାରା ବାରିପଦାର ମ୍ୟୁନିସିପାଲଟି ପରିଚାଳନା ପାଇଁ ଆଇନ ପ୍ରଣୟନ ହୋଇଥିଲା। ତତ୍‍କାଳୀନ ଶାସକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅକାଳ ତିରୋଧାନର ୬ ମାସ ପର୍ଯ୍ୟନ୍ତ ଅର୍ଥାତ୍‍ ମାତ୍ର ଦୁଇବର୍ଷ ଦୁଇ ମାସ ଏଠାରେ ରହିଥିଲେ। ବର୍ତ୍ତମାନର ଗୋପବନ୍ଧୁ ଭବନର ଗୃହଗୁଡିକର କବାଟଝରକାଗୁଡିକ ନଷ୍ଟ ହୋଇଯାଇଥିବା ସହ ପରିସରଟି ଅଳିଆଗଦାରେ ପରିଣତ ହୋଇଛି। ରାଜ୍ୟ ସରକାର ଉତ୍କଳମଣିଙ୍କ ସୁଆଣ୍ଡୋ ଜନ୍ମପୀଠକୁ ଜାତୀୟ ସ୍ମୃତିଭାବେ ସଂରକ୍ଷିତ କରିବାକୁ ନିଷ୍ପତ୍ତି ନେଇ ସେଠାରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଗୋପବନ୍ଧୁଙ୍କର କର୍ମବହୁଳ ମୟୂରଭଞ୍ଜ ଜିଲାର ବାରିପଦା ସହରର ବାସଗୃହଟିକୁ ଅବିଳମ୍ବେ ରାଜ୍ୟ ସରକାର ଜାତୀୟ ସ୍ମୃତିଭାବରେ ଘୋଷଣା କରିବାକୁ ଦାବି ହେଉଛି।

Comments are closed.