ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ଅଭିଯୋଗ: ବାରିପଦା ବିଧାୟକ ଗିରଫ, ଅଦାଲତରୁ ମିଳିଲା ଜାମିନ

ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଗିରଫ କରିଛି ପୁଲିସ । ପରେ ଏସଡ଼ିଜେଏମଙ୍କ ଅଦାଲତରୁ ତାଙ୍କୁ ଜାମିନ ମିଳିଛି । ପୁଲିସ ପ୍ରକାଶଙ୍କୁ ଗିରଫ କରିବା ପ୍ରତିବାଦରେ ବିଜେପି କର୍ମୀମାନେ ବାରିପଦା ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ।

ବିଧାୟକ ଶ୍ରୀ ସୋରେନ୍ ଓ ତାଙ୍କର ୩ ଜଣ ସହଯୋଗୀ  ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ସର୍କିଟ ହାଉସକୁ ଡ଼ାକି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଶ୍ରୀ ଜେନା ଚିକିତ୍ସା ପାଇଁ ଭର୍ତି ହୋଇଥିଲେ ଓ ସେଠାରେ ତାଙ୍କୁ ପୁଲିସ ହେପାଜତରେ ଚିକିତ୍ସା କରାଯାଇଥିଲା ।

ଏହି ମାମଲାରେ ପୁଲିସ ପ୍ରକାଶଙ୍କୁ ଗିରଫ କରିଥିଲା । ମାତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ଘଟଣାକୁ ବିଧାୟକ ସୋରେନ ଖଣ୍ଡନ କରିଛନ୍ତି । ବିଜେପି ସାଂସଦ ବିଶ୍ବେଶ୍ବର ଟୁଡ଼ୁ ମଧ୍ୟ ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଛ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବିଜେପି ବିଧାୟକଙ୍କୁ ଗିରଫ କରାଯିବା ପ୍ରତିବାଦରେ ଦଳୀୟ କର୍ମୀ ଓ ତାଙ୍କ ସମର୍ଥକମାନେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ।

Comments are closed.