ପୂଜ୍ୟପୂଜାକୁ ଅସମ୍ମାନ; ଉତ୍କଳମଣିଙ୍କ ବାସଭବନ ଅଲୋଡ଼ା

ବାରିପଦା: ଇତିହାସର ସ୍ୱର୍ଣ୍ଣାକ୍ଷରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଅବିଭକ୍ତ ଜିଲା ମୟୁରଭଞ୍ଜ। ଯାହାର ସଂସ୍ପର୍ଶରେ ଆସିଥିବା ବିଭିନ୍ନ ମହାପୁରୁଷମାନେ ମଧ୍ୟ ମୋହରେ ପଡ଼ି ଏଠାରେ ନିଜ ଜୀବନର କିଛି ସମୟ ଅତିବାହିତ କରି ସାରିଛନ୍ତି। ଯେଉଁମାନଙ୍କ ମଧ୍ୟରେ ଉତ୍କଳମଣୀ ଗୋପବନ୍ଧୁ ଦାସ ଅନ୍ୟତମ। ପଣ୍ଡିତ ଗୋପବନ୍ଧୁ ଦାସ(୧୮୭୭-୧୯୨୮) ଉତ୍କଳମଣି(ଓଡ଼ିଶାର ମଣି) ନାମରେ ଖ୍ୟାତି ଅର୍ଜନ କରିଛନ୍ତି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଓ ଦୈନିକ ଖବରକାଗଜ ‘ସମାଜ’ ଓ ‘ସତ୍ୟବାଦୀ’ ପତ୍ରିକାର ପ୍ରତିଷ୍ଠାତା ଥିଲେ। ମୟୁରଭଞ୍ଜ ଜିଲାରେ ନିଜର କର୍ମମୟ ଜୀବନର ଅୟମାରମ୍ଭ କରି ନିଜର କିଛି ଗୌରବାନ୍ୱିତ ସ୍ମୃତିକୁ ଏଠାରେ ଛାଡ଼ି ଦେଇଛନ୍ତି ।

ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ମୟୁରଭଞ୍ଜ ଜିଲାର ସଦର ମହକୁମା ବାରିପଦା ସହରରେ ଥିବା ଉତ୍କଳମଣିଙ୍କର ବାସଭବନ ସେଥିମଧ୍ୟରୁ ଅନ୍ୟତମ। ତତ୍କାଳୀନ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପାଖରେ ନିଜର ଚାକିରି ଜୀବନ ଆରମ୍ଭ କରିଥିବା ଏହି ମହାପୁରୁଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବିତ ହୋଇ ତାଙ୍କୁ ୧୯୦୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ବାରିପଦା ପୌରପରିଷଦର ସେ ପ୍ରଥମ ଉପନଗରପାଳ ଭାବେ ନିଯୁକ୍ତ କରିଥିଲେ। ସେତେବେଳେ ନଗରପାଳ ରହିଥିଲେ ଲାଲ୍‍ସାହେବ ଗିରଶଚନ୍ଦ୍ର ଭଞ୍ଜଦେଓ। କେବଳ ସେତିକି ନୁହେଁ, ଏହି ଜିଲାରେ ହିଁ ସେ ଜଣେ ଆଇନ ଛାତ୍ର ଭାବେ ମଧ୍ୟ ନିଜର ଜୀବନ ଅତିବାହିତ କରିଥିଲେ। ମୟୁରଭଞ୍ଜ ଜିଲାରେ ଥିବା ସମୟରେ ସ୍ଥାନୀୟ ଲାଲ୍‍ବଜାରଠାରେ ରହୁଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ତାଙ୍କ ବାସଭବନ ଏବେ ବି ମୁକସାକ୍ଷୀ ଭାବେ ରହିଛି ଏଠାରେ।

ହେଲେ ପ୍ରଶାସନିକ ହେଉ ଅଥବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଯାଇଥିବା ଉତ୍କଳମଣୀଙ୍କ ବାସଭବନ ଏବେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଯେଉଁ ମହାତ୍ମାଙ୍କୁ ନେଇ କେବଳ ମୟୁରଭଞ୍ଜ ଜିଲା ନୁହେଁ, ସାରା ଓଡ଼ିଶା ଗର୍ବ ମନେ କରେ, ଆଜି ତାଙ୍କ ବାସଭବନ ପଡ଼ି ରହିଛି ଅପନ୍ତରା ଅବସ୍ଥାରେ ଜରାଜୀର୍ଣ୍ଣ ହୋଇଛି। ସେଠାରେ ଅବସ୍ଥିତ ଥିବା ଦେକାନଗୁଡ଼ିକରେ ଭିଡ଼ ଜମୁଛି ଏବଂ ରାତ୍ରି ସମୟରେ ତାଙ୍କ ବାସଭବନରେ ମଦ୍ୟପମାନେ ବସି ନିଶାଦ୍ରବ୍ୟ ସେବନ କରୁଛନ୍ତି। ଏଥିପ୍ରତି କେହି ଯଦି ସାମାନ୍ୟ ଦୃଷ୍ଟି ଦିଅନ୍ତେ ତେବେ ଏହାର ଅବସ୍ଥାରେ ସୁଧାର ଆସିପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ମୟୁରଭଞ୍ଜ ଜିଲାରେ ଥିବା ଉତ୍କଳମଣିଙ୍କ ବାସଭବନକୁ ପୁନରୁଦ୍ଧାର କରାଯିବା ସହିତ ଏହାକୁ ଏକ ସଂଗ୍ରହାଳୟରେ ପରିଣତ କରିବାକୁ ଦାବି କରିଛନ୍ତି। ତେବେ ପୂଜ୍ୟପୂଜାକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଏଭଳି ଜଣେ ମହାତ୍ମାଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ମୟୁରଭଞ୍ଜ ଜିଲାବାସୀଙ୍କ ମନରେ ଦେଖା ଦେଇଛି ଗଭୀର ପ୍ରତିକ୍ରିୟା।

ଅଗାମୀ ଦିନରେ ଏହି ମହାତ୍ମାଙ୍କ ବାସଭବନର ପୁନରୁଦ୍ଧାର କରାଯାଇ ଏହାକୁ ଏକ ସଂଗ୍ରହାଳୟରେ ପରିଣତ କରିପାରିବେ ପ୍ରକୃତରେ ଏହା ହିଁ ହେବ ପ୍ରକୃତ ପୂଜ୍ୟପୂଜା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ରାଜୀବ କୁମାର ମହାନ୍ତି, ଆଇନଜୀବୀ: ଗୋପବନ୍ଧୁଙ୍କ ବାସଭବନ ପ୍ରତି ଦୃଷ୍ଟି ନ ଦେବା ଏକ ନିନ୍ଦନୀୟ ଘଟଣା ଅଟେ। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବାସଭବନକୁ ମୁଁ ମଧ୍ୟ ଦେଖିଛି। ସେଠାରେ ଅସାମାଜିକ ଲୋକଙ୍କ ଭିଡ଼ ଜମିବା ପ୍ରତି ପୁଲିସ ପ୍ରଶାସନ ଦୃଷ୍ଟି ଦେବା ନିହାତି ଜରୁରୀ। ଗୋପବନ୍ଧୁଙ୍କ ବାସଭବନକୁ ଏକ ସ୍ମୃତି ପୀଠର ମାନ୍ୟତା ଦେଲେ ତାହା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ ହେବ।
ଜିତେନ୍ଦ୍ର ମହାନ୍ତି, ପୂର୍ବତନ ଉପନଗରପାଳ: ମୁଁ ଉପନଗରପାଳ ଥିବା ସମୟରେ ତହସିଲଦାରଙ୍କ ମିଳିତ ସହଯୋଗରେ ସେ ସ୍ଥାନକୁ ବହୁବାର ବୁଲିବାୁ ଯାଇଛି ଏବଂ ତା’ର ଉନ୍ନତି ପାଇଁ ପ୍ରୟାସ କରିଛି। କିନ୍ତୁ କିଛି ସମସ୍ୟା ଉପୁଜୁଥିବାରୁ ତାର ସମାଧାନ ହୋଇପାରିନଥିଲା। ଗୋପବନ୍ଧୁଙ୍କ ବାସଭବନ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି, ତାହା ଅତି ନିନ୍ଦନୀୟ ଘଟଣା। ଏହାପ୍ରତି ଯଦି ଦୃଷ୍ଟି ଦିଆଯନଯାଏ ତାହା ଉତ୍କଳମଣିଙ୍କ ପ୍ରତି ଅସସମ୍ମାନ ହେବ।
ଜିତେନ୍ଦ୍ର ସେନାପତି, ଭାରପ୍ରାପ୍ତ ଟାଉନଥାନା ଅଧିକାରୀ, ବାରିପଦା: ଉତ୍କଳମଣିଙ୍କ ବାସଭବନ ମୟୁରଭଞ୍ଜ ଜିଲାର ପ୍ରାଚୀନ କିର୍ତ୍ତୀ ଓ ପରମ୍ପରାକୁ ବଜାୟ ରଖିବା ଦରକାର। ଉତ୍କଳମଣିଙ୍କ ବାସଭବନକୁ ପୁନରୁଦ୍ଧାର କରାଯିବା ସହିତ ଏହାକୁ ଏକ ସଂଗ୍ରହାଳୟରେ ପରିଣତ କରାଗଲେ ଭଲ ହୁଅନ୍ତା। ଉତ୍କଳମଣିଙ୍କ ବାସଭବନ ସମେତ ସହରର ବିଭିନ୍ନ ସ୍ଥାନରେ ମଦ୍ୟପମାନେ ଯେଭଳି ଭିଡ଼ ନ ଜମାଇବେ ସେଥିପ୍ରତି ପୁଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।
ଆହୁତି ମହାନ୍ତି, ଲେଖିକା: ଶାନ୍ତିପ୍ରିୟ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ପୁଣ୍ୟ ପରିବେଶରେ ନିଶାଦ୍ରବ୍ୟ ସେବନ କରି ତାଙ୍କୁ ଅସମ୍ମାନ କରାଯିବା ଠିକ୍‍ ନୁହେଁ। ସରକାର, ସାମାଜିକ ସଂଗଠନ ଓ ସ୍ୱେଚ୍ଛାସବେୀ ସଂଗଠନ ଏହି ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାରକରି ଯଦି ବିଶେଷ ପଦକ୍ଷେପ ହାତକୁ ନିଅନ୍ତେ ତାହେଲେ ସ୍ୱାଭିମାନି ଓଡ଼ିଆଙ୍କର ସ୍ୱାଭିମାନ ରକ୍ଷାପାଇ ଯାଆନ୍ତା।

Comments are closed.