ନିଆରା ମଣିଷ; ପୂର୍ବତନ ସାଂସଦ ବୀରଭଦ୍ର ସିଂହଙ୍କ ସନ୍ନ୍ୟାସୀ ଜୀବନ

ବାରିପଦା : ଏବେ ଦେଖାଯାଉଛି, କ୍ଷମତା ରାଜନୀତିରେ କିଛି ଦିନ ରହିଲେ ବଦଳିଯାଉଛନ୍ତି ନେତା, ବଦଳିଯାଉଛି ସେମାନଙ୍କର ଜୀବନ ଶୈଳୀ। ପ୍ରାସାଦୋପମ କୋଠା, ଦାମୀ ଗାଡ଼ି, ବିପୁଳ ସମ୍ପତ୍ତି, ବିଳାସବ୍ୟସନ ମଧ୍ୟରେ ସେମାନଙ୍କ ଜୀବନର ରଙ୍ଗଢଙ୍ଗ ବଦଳିଯାଉଛି। ଆଭିଜାତ୍ୟର ଚମକକୁ ନେଇ ସେମାନଙ୍କ ଠାରେ ଲାଗିଯାଉଛି ସମ୍ଭ୍ରାନ୍ତ ବର୍ଗର ମୋହର। ମାତ୍ର ବଦଳନ୍ତିନି କିଛି ନେତା। ସେହିପରି ଜଣେ ନେତା ହେଲେ, ମୟୂରଭଞ୍ଜ ଜିଲାର ବରିଷ୍ଠ ରାଜନେତା, ତିନି ତିନି ଥର ବିଧାୟକ, ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ବୀରଭଦ୍ର ସିଂହ। ତାଙ୍କ ନିଆରା ଜୀବନ ଶୈଳୀ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ।
ବୀରଭଦ୍ର ବାବୁ ବିଳାସବ୍ୟସନ ଓ ସହରର ଚାକଚକ୍ୟଠାରୁ ବହୁ ଦୂରରେ। ସରଳ ବେଶଭୂଷା। ଅତି ସାଦାସିଧା ଜୀବନ। ସେ ନିଜ ଗାଁରେ ରହୁଛନ୍ତି। ସେ ବିପୁଳ ସମ୍ପତ୍ତିର ଅଧିକାରୀ ନୁହନ୍ତି। ଅନେକ ବର୍ଷ କ୍ଷମତା ରାଜନୀତିରେ ରହିଥିଲେ ବି ତାଙ୍କର ସମ୍ପତ୍ତି ଆହରଣର ପ୍ରବୃତ୍ତି ନ ଥିଲା। ସେ ନିଜ ପାଇଁ ଖଣ୍ଡେ ଚାରି ଚକିଆ ଗାଡ଼ି ବି କରି ନାହାନ୍ତି। ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଭାବେ ପାଉଥିବା ପେନସନ ଅର୍ଥରୁ ଦୁଇ ତୃତୀୟାଂଶ ରାଶି ଧାର୍ମିକ କାର୍ଯ୍ୟ ତଥା ଅସହାୟ ଲୋକଙ୍କୁ ଦାନ କରି ଦେଉଛନ୍ତି। ବୟସ ୭୫ ହୋଇଥିଲେ ବି ସର୍ବଦା ଜନ କଲ୍ୟାଣ ଓ ଜିଲାର ବିକାଶମୂଳକ କାର୍ଯ୍ୟରେ ସକ୍ରିୟ ରହିଛନ୍ତି। ଆଧ୍ୟାତ୍ମିକ ମାର୍ଗକୁ ଆଶ୍ରୟ କରି ସେ ଏକ ପ୍ରକାର ସନ୍ନ୍ୟାସୀ ଭଳି ଜୀବନ ବିତାଇଆସୁଛନ୍ତି।
ବୀରଭଦ୍ର ସିଂହ ୧୯୪୫ ମସିହା, ମାର୍ଚ୍ଚ ୩ ତାରିଖରେ ମୟୂରଭଞ୍ଜ ଜିଲା, ବାସିପିଠା ଅଞ୍ଚଳ ତାଳକୁଣ୍ଡା ଗାଁରେ ଭୂମିଷ୍ଠ ହୋଇଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ଏବଂ କଟକ ରାଧାନାଥ ଟ୍ରେନିଂ କଲେଜରୁ ବିଇଡି ଡିଗ୍ରୀ ହାସଲ କରିଛନ୍ତି। କିଛି ଦିନ ସେ ବିଭିନ୍ନ ହାଇସ୍କୁଲରେ ଶିକ୍ଷକତା କରିଥିଲେ ବି ବିଜୁ ପଟ୍ଟନାୟକଙ୍କ ଶୁଭଦୃଷ୍ଟି ପଡ଼ିବା ପରେ ତାଙ୍କ ଜୀବନର ଗତିପଥ ବଦଳିଗଲା। ବିଜୁ ବାବୁଙ୍କ ପ୍ରେରଣାରେ ସେ ପାଦ ଦେଲେ ରାଜନୀତିରେ। ୧୯୭୧ ମସିହା ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ଉତ୍କଳ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ଖୁଣ୍ଟା ଆସନରେ ଲଢ଼ି ବିଜୟୀ ହେଲେ। ପ୍ରଥମ ଥର ବିଧାୟକ ହୋଇଥିଲେ ବି ଜଳସେଚନ ଓ ଶକ୍ତି ବିଭାଗର ଉପମନ୍ତ୍ରୀ ହେଲେ। ସେ ପୁଣି ୧୯୭୭ରେ ଜନତା ପାର୍ଟି ପକ୍ଷରୁ ଉଦଳା ଆସନରେ ଲଢ଼ି ନିର୍ବାଚିତ ହେଲେ। ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ (ସ୍ୱାଧୀନ) ରାଷ୍ଟ୍ର ମନ୍ତ୍ରୀ ହେଲେ। ସେହିପରି ବୀରଭଦ୍ର ବାବୁ ୧୯୯୦ରେ ଖୁଣ୍ଟା ଆସନରୁ ନିର୍ବାଚିତ ହେବା ସହ ବିଧାନସଭା ହାଉସ କମିଟିର ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହା ପରେ ୨୦୦୦ରେ ବିଜେଡି ପକ୍ଷରୁ ରାଜ୍ୟସଭାର ସଦସ୍ୟ ଭାବେ ନିର୍ବାଚିତ ହେଲେ। ସେ ମଧ୍ୟ ଜନତା ଦଳର ସର୍ବଭାରତୀୟ ସାଧାରଣ ସଂପାଦକ ଭାବେ ବିହାର ଓ ପଞ୍ଜାବର ସାଂଗଠନିକ ଦାୟିତ୍ୱରେ ଥିଲେ।
ଦୀର୍ଘ ଦିନ ଧରି କ୍ଷମତା ରାଜନୀତିରେ ଥାଇ ମଧ୍ୟ ଆଡ଼ମ୍ବର ବା ବିଳାବ୍ୟସନ ତାଙ୍କୁ ଛୁଇଁପାରି ନାହିଁ। ଏବେ ସେ ବାରିପଦା-ଉଦଳା ରାସ୍ତା ପାର୍ଶ୍ବ ବାସିପିଠା ଗାଁରେ ଥିବା ନିଜ ବାସଭବନରେ ରହୁଛନ୍ତି। ଗୋଟିଏ କୋଠରୀରେ ଶୋଇବା, ଖାଇବାଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହିତ ଆଲୋଚନା କରିଥାନ୍ତି। ସେ ନିଜ ବାସଗୃହ ଜମିରୁ ଦାନ କରିଥିବା ଜାଗାରେ ସାଧୁସନ୍ଥଙ୍କ ରହିବା ପାଇଁ ଗୋଟିଏ କମ୍ୟୁନିଟି ହଲ ନିର୍ମାଣ କରାଯାଇଛି। ସେ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ସାଧାରଣ ପରିବହନ ବ୍ୟବସ୍ଥାରେ ଯାଇଥାନ୍ତି। ବିଧାୟକ ଥିବା ବେଳେ ସେ ଭୁବନେଶ୍ୱରରେ ପାଇଥିବା ଜାଗାରେ ଜୟପୁରରେ ହାଇଡ୍ରୋ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିବା ତାଙ୍କ ପୁୁଅ ଏସ. କୃଷ୍ଣଗୋପାଳ ଘରଟିଏ ନିର୍ମାଣ କରିଛନ୍ତି। ମାତ୍ର ବୀରଭଦ୍ର ବାବୁ ସେଠାରେ ନ ରହି ବାସିପିଠାରେ ନିଜ ଧର୍ମପତ୍ନୀ ମାଳତୀ ସିଂଙ୍କ ସହିତ ରହୁଛନ୍ତି।
ବୀରଭଦ୍ର ବାବୁ ୧୯୮୪ ମସିହାରେ ଚିନ୍ମୟ ମିଶନର ସନ୍ନ୍ୟାସୀ ନିଜାନନ୍ଦ ସରସ୍ୱତୀଙ୍କ ସଂସ୍ପର୍ଶରେ ଆସିବା ପରେ ଆଧ୍ୟାତ୍ମିକ ମାର୍ଗର ଯାତ୍ରୀ ହେଲେ। ସେ ମିଶନର ମୟୂରଭଞ୍ଜର ଜିଲା ସଭାପତି ଥାଇ ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ସକ୍ରିୟ ଥିଲେ। ଏବେ ବି ସକ୍ରିୟ ଅଛନ୍ତି। ସେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ପ୍ରଚାର ସମିତିର ସଭାପତି ଥିଲେ। ଏବେ ମଧ୍ୟ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ ଜାରି ରଖିଛନ୍ତି।
ବୀରଭଦ୍ରବ ବାବୁ ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାରେ ଅଗ୍ରଣୀ ଭୂମିକା ନେଇଛନ୍ତି। ସେ ଖୁଣ୍ଟା ହାଇସ୍କୁଲ, ବାସିପିଠା ହାଇସ୍କୁଲ, ଖୁଣ୍ଟା କନିଷ୍ଠ ମହାବିଦ୍ୟାଳୟ ଓ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଥିଲେ। ଝୁମର ସଂସ୍କୃତିର ବିକାଶ ପାଇଁ ସେ ଉଦ୍ୟମରତ ଅଛନ୍ତି। ଓଡ଼ିଶା ଝୁମର ଏକାଡେମୀ ଗଠନ ପାଇଁ ଗଠିତ କମିଟିର ମୁଖ୍ୟ ଉପଦେଷ୍ଟା ଅଛନ୍ତି। ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ ମଧ୍ୟ ମୟୂରଭଞ୍ଜର ସାର୍ବଜନୀନ ବିକାଶ ପାଇଁ ଉଦ୍ୟମରତ ଅଛନ୍ତି। ମୟୂରଭଞ୍ଜ ସିଟିଜେନ ଫୋରମର ସକ୍ରିୟ କର୍ମକର୍ତ୍ତା ଅଛନ୍ତି।
ବାହାରକୁ ବାହାରିବାବେଳେ ମୁଣ୍ଡରେ ତାଙ୍କର ଶୋଭାପାଉଥାଏ ଧଳା ପଗଡ଼ି। ଏହି ପଗଡ଼ିରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବୁଲି ଉତ୍ସବରେ ତାଙ୍କୁ ଚିହ୍ନିବା ପରେ ଡାକି କଥା ହେବା ସହ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରିଥିଲେ। ବୀରଭଦ୍ର ବାବୁଙ୍କ ସରଳ ଜୀବନଚର୍ଯ୍ୟା ଉତ୍ତର ପିଢ଼ି ପାଇଁ ନିଶ୍ଚିତ ଭାବେ ଆଲୋକବର୍ତ୍ତିକା।

Comments are closed.