ଅଧ୍ୟାପିକାଙ୍କ ଆତ୍ମହତ୍ୟା; ୩ ଗିରଫ

ରାଇରଙ୍ଗପୁର/ବାରିପଦା :  ଶନିବାର ରାତିରେ ସ୍ଥାନୀୟ ରାଇରଙ୍ଗପୁର କଲେଜ ମହିଳା ଛାତ୍ରୀ ନିବାସର ୮ନଂ ରୁମ୍‌ରୁ କିଛିମାସ ତଳେ କଲେଜରେ ଯୋଗଦେଇଥିବା ଚୁକ୍ତିଭିତ୍ତିକ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଋକ୍ମିଣୀ ମଣ୍ଡଳ (୨୩ବର୍ଷ)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯିବା ନେଇ ଛାତ୍ରୀ ନିବାସ ଅନ୍ତେବାସୀ, କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ସାଧାରଣରେ ଚାଞ୍ଚଲ୍ୟ ଖେଳିଯାଇଛି। ଗତକାଲି ରାତି୯ଟା ସମୟରେ ଛାତ୍ରୀ ନିବାସର ଅନ୍ତେବାସୀ ଓ ମା​‌ଟ୍ରନ୍‌ ଖାଇବା ପାଇଁ ଡାକିବାରେ ଅଧ୍ୟାପିକା ଋକ୍ମିଣୀ ମଣ୍ଡଳଙ୍କ ରୁମ ବନ୍ଦ ଥିଲା ଓ ସେ ଶୁଣି ନ ଥିଲେ। ବହୁବାର ଡାକିବା ପରେ ବାଧ୍ୟ ହୋଇ ସେମାନେ କବାଟ ଲକର ଭାଙ୍ଗି ଦେଖିବାରେ ତାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ଥିଲା। ଖବର ପାଇ ତୁରନ୍ତ କଲେଜ କର୍ତ୍ତୃପକ୍ଷ ଟାଉନ ଥାନାକୁ ଖବର ଦେଇଥିଲେ। ଏଥିସହ ସ୍ଥାନୀୟ ଗାର୍ଡିଆନଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା। ରାତିରେ ଖବର ପାଇ ମୃତକଙ୍କ ପରିବାରବର୍ଗ ଓ ନିକଟ ସମ୍ପର୍କୀୟ ପହଞ୍ଚିଥିଲେ। ରାତିରେ ହିଁ ମୃତକଙ୍କ ଶବ ଓହ୍ଲାଇ ଖଟଉପରେ ରଖାଯାଇଥିଲା।

ଆଜି ସକାଳେ ମାଜଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର, ଟାଉନଥାନା ଅଧିକାରୀ ତଥା ଏହି ସମ୍ବେଦନଶୀଳ ଘଟଣାର ତଦନ୍ତକାରୀ ଅଫିସର ରଞ୍ଜନ କୁମାର ସେଠୀ ସଦଳବଳେ ଉପସ୍ଥିତ ରହି ତଦନ୍ତ କରିଥିଲେ। ବାରିପଦାରୁ ସାଇଣ୍ଟିଫିକ ଟିମ୍‌ ଆସି ତଦନ୍ତ କରିବା ସହ ବିଭିନ୍ନ ନମୁନା ସଂଗ୍ରହ କରିଥିଲେ। ହେଲେ ମୃତ ଅଧ୍ୟାପିକାଙ୍କ ପିତା ଅଭିମନ୍ୟୁ ମଣ୍ଡଳ ଓ ସମ୍ପର୍କୀୟ ମାନେ ସୁଇସାଇଡ୍‌ ନୋଟ୍‌ ଦାବି କରି ଶବକୁ ଉଠାଇ ଦେଇନଥିଲେ। ଅଧିକନ୍ତୁ ପ୍ରତିବାଦରେ ରାଇରଙ୍ଗପୁର କଲେଜ ସମ୍ମୁଖ ୨୨୦ନଂ ରାଜ୍ୟ ରାଜପଥ ଉପରେ ପଥର ରଖି ସାମୟିକ ରାସ୍ତା ଅବରୋଧ କରିଥିଲେ। ବହୁ ବୁଝାସୁଝା ପରେ ସେମାନେ ରାସ୍ତାରୁ ହଟିବାକୁ ରାଜି ହେବାପରେ ଛାତ୍ରୀନିବାସର ୮ନଂ ରୁମ୍‌ରୁ ଶବ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ଜଣେ ମାଜିଷ୍ଟ୍ରେଟ ଓ ତିନିଜଣିଆ ଡାକ୍ତରୀ ଦଳଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରାଯିବା ପରେ ମୃତ ଅଧ୍ୟାପିକାଙ୍କ ଶବକୁ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଦିଆଯାଇଛି। ଏ ନେଇ ଟାଉନ ମଡେଲ ଥାନାରେ ୧୫୪/୨୦୧୯ରେ ଆଇପିସିର ୩୦୨ା୩୪ ଦଫାରେ ଏକ ମାମଲା ରୁଜୁ ହୋଇଛି।

ଅନ୍ୟପକ୍ଷରେ ରାଇରଙ୍ଗପୁର କଲେଜ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ରୁକ୍ମିଣୀ ମଣ୍ଡଳ(୨୩) ରହୁଥିବା ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ତାଙ୍କୁ ଯୋଜନାବଦ୍ଧ ଭାବେ ଚକ୍ରାନ୍ତ କରାଯାଇ ହତ୍ୟା ପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ତାଙ୍କର ପିତା ଅଭିମନ୍ୟୁ ମଣ୍ଡଳ ଅଭିଯୋଗ କରିଛନ୍ତି। ୬ ଜଣ ଅଭିଯୁକ୍ତ ସୌମ୍ୟରଂଜନ ସାହୁ, ଦେବବ୍ରତ ମଣ୍ଡଳ, ସୁଜିତ ମଣ୍ଡଳ, ମିନମୟୀ ସାହୁ, ରତିକାନ୍ତ ସାହୁ ଓ ଶୈଳଶାଳ ସାହୁ ମିଳିତଭାବେ ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପାଇଁ ହଷ୍ଟେଲ ରୁମରେ ଝୁଲାଇ ଦେଇଥିବା ରାଇରଙ୍ଗପୁର ଥାନାରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଥିବା ପ୍ରକାଶ।

ଏହି ଅଭିଯୋଗକ୍ରମେ ରବିବାର ରାଇରଙ୍ଗପୁର ଟାଉନ ଥାନାରେ ୧୫୯/୧୯ ନମ୍ବରର ଏକ ମାମଲା ୩୦୨ ଓ ୩୪ ଦଫାରେ ରୁଜୁ ହୋଇଛି। ମୟୂରଭଞ୍ଜ ଏସପି ସ୍ମିତ ପି. ପରମାର ଆଜି ସନ୍ଧ୍ୟାରେ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସୌମ୍ୟରଂଜନ ସାହୁ(ଧର୍ଷଣକାରୀ ଅଭିଯୁକ୍ତ), ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ତିନି ଜଣ ଅଭିଯୁକ୍ତ ମିନମୟୀ ସାହୁ(ଦେବବ୍ରତ ମଣ୍ଡଳଙ୍କ ପତ୍ନୀ), ରତିକାନ୍ତ ସାହୁ ଓ ଶୈଳଶାଳ ସାହୁ ଗିରଫ ହୋଇ ନ ଥିବା ପ୍ରକାଶ। ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନ ସାହୁକୁ ଗତକାଲି ରାତିରେ ଚଣ୍ଡିଖୋଲ ନିକଟ ଧାନମଣ୍ଡଳ ରେଳଷ୍ଟେସନରୁ ଗିରଫ କରାଯାଇଥିବା ଏସ୍ ପି ସୂଚନା ଦେଇଛନ୍ତି। ସେହିପରି ଅନ୍ୟ ଦୁଇଜଣଙ୍କୁ ଝାଡ଼ପୋଖରିଆ ଥାନାଞ୍ଚଳର ପାନ୍ଧଡ଼ାରୁ ଗିରଫ କରାଯାଇଥିବା ପ୍ରକାଶ।

ଏହି ଘଟଣାର ତଦନ୍ତରେ ପୁଲିସର ଅବହେଳା ପାଇଁ ଝାରପୋଖରିଆ ଥାନାର ଆଇଆଇସି ଶରତ ମାହାଲିକଙ୍କୁ ରବିବାର ସେଠାରୁ ହଟାଯାଇ ଜିଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ସହ ତଦନ୍ତକାରୀ ପୁଲିସ ସବ୍‍ଇନ୍ସପେକ୍ଟର ପିକେ ସ୍ୱାଇଁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ତିରିଂ ଥାନାର ଆଇଆଇସି ସୁଦର୍ଶନ ଗାଙ୍ଗୋଇଙ୍କୁ ଝାରପୋଖରିଆ ଥାନାର ନୂତନ ଆଇଆଇସି ଭାବେ ଅବସ୍ଥାପିତ କରାଯିବା ସହ ଝାରପୋଖରିଆ ଥାନାରେ ଅକ୍ଟୋବର ୩୦ ତାରିଖରେ ରୁଜୁ ହୋଇଥିବା ୧୨୫/୧୯ ନମ୍ବର ମାମଲାର ତଦନ୍ତ ଭାର ଦିଆଯାଇଛି।

ଘର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ଗତ ତା୨୭ା୧୦ା୨୦୧୯ରିଖ କାଳୀପୂଜା ସମୟରେ ମୃତା ଅଧ୍ୟାପିକା ଋକ୍ମିଣୀ ମଣ୍ଡଳ ତାଙ୍କ ଭାଉଜ ମୀନମୟୀ ସାହୁଙ୍କ ଅନୁରୋଧ କ୍ରମେ ଓ ତାଙ୍କ ପ୍ରିୟ ପୁତୁରାକୁ ଦେଖିବା ପାଇଁ ସେ କେନ୍ଦୁଝର ଯାଇଥିଲେ। ଉକ୍ତଦିନ ସନ୍ଧ୍ୟାରେ ତାଙ୍କ ବଡଭାଉଜଙ୍କ ଭାଇ ସୌମ୍ୟରଞ୍ଜନ ସାହୁ କେନ୍ଦୁଝରରେ ବଳପୂର୍ବକ ତାଙ୍କୁ ଧର୍ଷଣ କରିଥିଲେ ଓ କଥା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଚେତାବନୀ ଦେଇଥିବା ନେଇ ପୀଡିତା ଅଧ୍ୟାପିକାଙ୍କ ପାନ୍ଧଡା ଗ୍ରାମ ଯାହାକି ଝାଡପୋଖରିଆ ଥାନା ଅଧୀନରେ ସେଠାରେ ପରିବାରବର୍ଗଙ୍କ ପରାମର୍ଶ କ୍ରମେ ଏତଲା ଦାଏର କରିଥିଲେ। ଏ ନେଇ ଝାରପୋଖରିଆ ଥାନାରେ ଅକ୍ଟୋବର ୩୦ରେ ୧୨୫/୨୦୧୯ରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା। ପୀଡ଼ିତାଙ୍କ ପରିବାର ତରଫରୁ ବାରମ୍ବାର କାର୍ଯ୍ୟାନୁଷ୍ଠାନ ନେଇ ଆବେଦନ କରାଯାଇ ଆସୁଥିଲା। ଦୀର୍ଘ ମାସେ କାଳ ପୁଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନ ନେବା କାରଣରୁ ଆଜି ପୀଡ଼ିତା ଅଧ୍ୟାପିକାଙ୍କୁ ଜୀବନ ଦେବାକୁ ପଡ଼ିଲା ବୋଲି ଅଭିଯୋଗ ହୋଇଛି।

Comments are closed.