ବରୀ ଥାନାରେ ଦଳିତ ଯୁବକଙ୍କୁ ନିର୍ଯାତନା

ବରୀ: କିଛିଦିନ ତଳେ ଜଣେ ଦଳିତ ଯୁବକକୁ ନ୍ୟାୟ ଦେବାରେ ବରୀ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରିଥିବାରୁ ହଜାର ହଜାର ଦଳିତ ଲୋକ ଥାନା ଘେରାଉ କରିଥିଲେ। ଆଜି ପୁଣି ଏହି ଥାନା ଭିତରେ ଜଣେ ଦଳିତ ଯୁବକକୁ ମାଡ଼ ମାରିଥିବା ଭଳି ସଙ୍ଗିନ ଅଭିଯୋଗ ଉଠିଛି। ଗତ ସେପ୍ଟେମ୍ବର ୨୪ ତାରିଖରେ ଏହି ଥାନା ଅନ୍ତର୍ଗତ ବରୀ ପଞ୍ଚାୟତର ଶରତ ମଳିକଙ୍କ ପୁଅ ବାଙ୍କୁ ମଳିକ ତାଙ୍କ ସାହିର ଏକ ଝିଅକୁ ନେଇ ଫେରାର ହୋଇଯାଇଥିଲା। ଏହି ଘଟଣାର ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରିବା ସହିତ ଖୋଜା ଖୋଜି ଆରମ୍ଭ କରିଛି। ଏହା ସହିତ ବାଙ୍କୁଙ୍କ ବଡ଼ବାପାଙ୍କ ପୁଅ ବାବୁନି ମଳିକଙ୍କୁ ଥାନାରେ ପ୍ରତିଦିନ ହାଜିରା ଦେବାକୁ ପୁଲିସ ନିର୍ଦେଶ ଦେଇଥିଲା। ପୁଲିସର ନିର୍ଦେଶ ଅନୁଯାୟୀ ବାବୁନି ପ୍ରତିଦିନ ଥାନାକୁ ଯାଇ ହାଜିରା ମଧ୍ୟ ଦେଉଛି।

 

ଆଜି ବାବୁନି ଥାନାକୁ ହାଜିରା ଦେବାକୁ ଯାଇଥିବା ସମୟରେ ଏଏସଆଇ ଏସ୍‍ ବକ୍ସ ତାଙ୍କୁ ଖୁବ୍‍ ଜୋରରେ ବାଡେଇଥିବାର ସେ ଅଭିଯୋଗ କରିଛନ୍ତି। ତାଙ୍କ ଦେହସାରା ବାଡେଇବା ଚିହ୍ନ ଦେଖିବାକୁ ମିଳିଛି। ଥାନାରେ ମାଡ଼ ଖାଇଲା ପରେ ସେ ଅସୁସ୍ଥ ହୋଇପଡିବାରୁ ପ୍ରଥମେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତୀ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ନିଆଯାଇଥିବାର ଜଣାପଡିଛି। ଘଟଣା ସମ୍ପର୍କରେ ସମ୍ପୃକ୍ତ ଉପଆରକ୍ଷୀ ନିରୀକ୍ଷକ ଶ୍ରୀ ବକ୍ସଙ୍କୁ ପଚାରିବାରେ କୌଣସି ଠିକ୍‍ ଉତ୍ତର ଦେଇନାହାନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱରେ ଥିବା ଡାକ୍ତର ସବ୍ୟସାଚୀ ଦାସଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ବାବୁନିର ଡାହାଣ ହାତ କହୁଣି, ପିଠିରେ ଆଘାତ ଲାଗିବା ସହିତ ଛାତିରେ ଆଘାତ ଲାଗିଛି ବୋଲି କହିଛନ୍ତି। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଛାତି ପରୀକ୍ଷା ତଥା ଅନ୍ୟାନ୍ୟ ଚିକିତ୍ସା ପାଇଁ ୧୦୮ ଯୋଗେ ପଠାଇଥିବା କଥା ଡାକ୍ତର ଶ୍ରୀ ଦାସ କହିଛନ୍ତି।

Comments are closed.