ଭୂତ ଖାଉଛି ଚାଷୀ ଧନ: ନିୟନ୍ତ୍ରିତ ବଜାର କମିଟିରେ ପଡ଼ିଛି ୧୩୦ କୋଟି ଟଙ୍କା

ବରଗଡ଼: ବରଗଡ଼ ଜିଲାରେ ସୋମବାରରୁ ଧାନ କିଣା ଆରମ୍ଭ ହୋଇଛି। ୧୮୨ ଟି କ୍ରୟକେନ୍ଦ୍ରରେ ଚାଷୀ ଆଜିଠାରୁ ଧାନ ବିକ୍ରି ଆରମ୍ଭ କରିଛନ୍ତି। ଜିଲାରେ ଚଳିତ ବର୍ଷ ୧୦ ମେଟ୍ରିକ ଟନ ‌ଧାନ ଅମଳ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଏସବୁ ଧାନ କିଣାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମଣ୍ଡିରେ ଧାନ କିଣିବାକୁ ପ୍ରଶାସନିକ ପ୍ରସ୍ତୁତି କରା ଯାଇଥିବା ବେଳେ ମଣ୍ଡିରେ କିନ୍ତୁ ଚାଷୀଙ୍କ ସୁବିଧା ପାଇଁ କୌଣସି ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ ହୋଇଛି। ଚାଷୀର ଧାନକୁ ବିକ୍ରି ଯୋଗ୍ୟ କରିବା ସହିତ ଧାନର ସୁରକ୍ଷା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ସକାଶେ ଆରଏମସି ଧାନ କ୍ରୟ ମୂଲ୍ୟର ଦୁଇ ପ୍ରତିଶତ କାଟି ରଖୁଛି। ମାତ୍ର ତାହା କେଉଁଠି ଖର୍ଚ୍ଚ ହେଉଛି ଜଣା ପଡ଼ୁନାହିଁ।

ଅନ୍ୟ ପକ୍ଷରେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ବରଗଡ଼ ଆରଏମସି ଗତ ୧୦ ବର୍ଷରେ ଚାଷୀଙ୍କଠାରୁ ୭୩ କୋଟି ୯୯ ଲକ୍ଷ ୩୧ ହଜାର ୨୫୫ ଟଙ୍କା ଆଦାୟ କରିଛି। ଅତାବିରା ଆରଏମସି ଗତ ୧୦ ବର୍ଷରେ ୯୦ କୋଟି ୫୫ ଲକ୍ଷ ୪୦ ହଜାର ୬୭୯ ଟଙ୍କା ଚାଷୀ ସଂଗ୍ରହ କରିଛି। ବରଗଡ଼ ଆରଏମସି ବିଭିନ୍ନ ୟାର୍ଡ ତଥା କର୍ମଚାରୀଙ୍କ ପିଛାରେ ୨୩ କୋଟି ୫୫ ଲକ୍ଷ ୮୭ ହଜାର ୭୧୮ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅତାବିରା ଆରଏମସି ମାତ୍ର ୬ କୋଟି ୮୩ ଲକ୍ଷ ୮୧ ହଜାର ୩୦୭ ଟଙ୍କା ଖର୍ଚ୍ଚ କରିଛି। ବରଗଡ଼ ଓ ଅତାବିରା ଆରଏମସି ପାଖରେ ଏବେ ସୁଦ୍ଧା ୧୩୦ କୋଟି ଟଙ୍କା ଗଚ୍ଛିତ ଅଛି। ଚାଷୀଙ୍କ ପାଖରୁ ସଂଗୃହିତ ରାଶି ଚାଷୀଙ୍କ ପାଇଁ ଖର୍ଚ୍ଚ ହେଉନାହିଁ। ଆରଏମସି ପାଖରେ ମଣ୍ଡି ଭିତ୍ତିଭୂମି ବିକାଶ ପାଇଁ ବିପୁଳ ରାଶି ଥିଲେ ମଧ୍ୟ ତାହା ନା ଚାଷୀ ହିତରେ ଖର୍ଚ୍ଚ ହେଉଛି ନା ମଣ୍ଡି ବିକାଶରେ।

ଏହି ଦୁଇ ଆରଏମସି ଅଧୀନରେ ଥିବା ୧୬୫ ମଣ୍ଡି ଓ କ୍ରୟକେନ୍ଦ୍ରର ଭିତ୍ତିଭୂମି ସଜାଡ଼ିବା ଦିଗରେ କୌଣସି ପ୍ରୟାସ କରାଯାଉ ନାହିଁ। ବରଗଡ଼ ଜିଲାରେ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବିଭିନ୍ନ ଚାଷୀ ସଂଗଠନ ବାରମ୍ବାର ଦାବି କରୁଥିଲେ ମଧ୍ୟ ସୁଫଳ ମିଳୁନାହିଁ। ବରଂ ମଣ୍ଡି ବ୍ୟବସ୍ଥାକୁ ଅଧିକ ଅବ୍ୟବସ୍ଥିତ କରିବାକୁ ଚକ୍ରାନ୍ତ କରାଯାଉଛି ବୋଲି ଚାଷୀ ଅଭିଯୋଗ କରୁଛନ୍ତି। ମଣ୍ଡି ବ୍ୟବସ୍ଥା ଦୁର୍ବଳ ହେଲେ ଦଲାଲରାଜ ବଢ଼ିବ ଓ ଚାଷୀ ମଣ୍ଡିକୁ ନ ଆସି ବାଧ୍ୟ ହୋଇ କମ ଦରରେ ଦଲାଲ ହାତରେ ଧାନ ଟେକିଦେବେ। ବେପାରୀ ଓ ଦଲାଲଙ୍କୁ ସୁହାଇବା ପାଇଁ ଦୁର୍ବଳ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରାଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲାରେ ସୋମବାରରୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ବିଜେପୁର ଶୁଖା ଅଞ୍ଚଳରୁ ୧୫ରୁ ୨୦ ପ୍ରତିଶତ ଧାନ ଦଲାଲମାନଙ୍କ ଦ୍ୱାରା ବିକ୍ରି ହୋଇ ସାରିଲାଣି। ମଣ୍ଡି ବ୍ୟବସ୍ଥାରେ ଯେଉଁ ଧାନ ଏଫଏକ୍ୟୁ ମାନର ନୁହେଁ ତାକୁ ଏଫଏକ୍ୟୁ ମାନ କଲା ପରେ (ଗୋଡ଼ି ମାଟି ମିଶା ଧାନକୁ ଶୁଖାଇ ସଫା) ବିକ୍ରି କରାଯିବା ଦାୟିତ୍ୱ ହେଉଛି ନିୟନ୍ତ୍ରିତ ବଜାର କମିଟିର। ଚାଷୀ ଯେଉଁ ମାନର ଧାନ ଆଣିଥିଲେ ମଧ୍ୟ ତାକୁ ନିୟନ୍ତ୍ରୀତ ବଜାର କମିଟି ଏଫଏକ୍ୟୁ ମାନର କଲା ପରେ ତାହା ବିକ୍ରିଯୋଗ୍ୟ ହେବା କଥା। କିନ୍ତୁ ବାସ୍ତବରେ ସେଭଳି କିଛି ହେଉ ନାହିଁ। ବରଂ ଚାଷୀର ଧାନ ଏଫଏକ୍ୟୁ ନୁହେଁ କହି ସେହି ବାହାନାରେ କଟନିଛଟନି କରାଯାଇଛି। ତେଣୁ ମଣ୍ଡି ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବାକୁ ଚାଷୀ ଦାବି କରୁଛନ୍ତି।

Comments are closed.