ରେଳମନ୍ତ୍ରଣାଳୟର ଅନୁମୋଦନ : ନିର୍ମାଣ ହେବ ବରଗଡ଼-ନୂଆପଡ଼ା ରୋଡ଼ ରେଳପଥ

ନୂଆଦିିଲ୍ଲୀ : ବରଗଡ଼଼ ରୋଡ଼-ନୂଆପଡ଼ା ରୋଡ଼ ୧୪୨ କିଲୋମିଟର ଲମ୍ବ ନୂତନ ରେଳପଥ ନିର୍ମାଣ ପାଇଁ ପ୍ରିଇନଭେଷ୍ଟମେଣ୍ଟ ଆକ୍ଟିଭିଟି ପ୍ରସ୍ତାବ ରେଳମନ୍ତ୍ରାଳୟର ଅନୁମୋଦନ ଲାଭ କରିଛି। ପ୍ରସ୍ତାବିତ ନୂତନ ରେଳପଥ ପଶ୍ଚିମ ଓଡ଼ିଶାର ବରଗଡ଼ ଓ ନୂଆପଡ଼ା ଜିଲା ମଧ୍ୟ ଦେଇ ଗତି କରିବ। ସମୁଦାୟ ୧୪୨ କିଲୋମିଟର ରେଳପଥ ମଧ୍ୟରୁ ୧୦୨ କିଲୋମିଟର ରେଳପଥ ବରଗଡ଼଼ ଜିଲାରେ ନିର୍ମିତ ହେବ। ବରଗଡ଼଼ ରୋଡ଼ ଠାରୁ ପଦମପୁର, ପାଇକମାଳ ମଧ୍ୟ ଦେଇ ନୂଆପଡ଼ା ରୋଡ଼ ଠାରେ ଟିଟଲାଗଡ଼଼-ରାୟପୁର ରେଳପଥକୁ ନୂତନ ରେଳପଥ ସଂଯୋଗ କରିବ। ପ୍ରିଇନଭେଷ୍ଟମେଣ୍ଟ ଆକ୍ଟିଭିଟି ଅନୁମୋଦନ ବିଷୟରେ ରେଳ ବୋର୍ଡ଼ ନିର୍ଦେଶକ (ଏମଟିଆର) ଡି କେ ମିଶ୍ର ଚିଠି ମାଧ୍ୟମରେ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ନିଗମର ପରିଚାଳନା ନିର୍ଦେଶକଙ୍କୁ ଅବଗତ କରାଇଛନ୍ତି। ରେଳମନ୍ତ୍ରଳୟର ଅନୁମୋଦନ ପରେ ଆଗାମୀ ରେଳ ବଜେଟ ୨୦୨୨-୨୩ରେ ଏହି ନୂତନ ରେଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ ସାମିଲ ନେଇ ବାଟ ଫିଟିଛି। ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ନିଗମ ଦ୍ୱାରା ବରଗଡ଼଼ ରୋଡ଼-ନୂଆପଡ଼ା ରୋଡ଼ ନୂତନ ରେଳପଥ ନିର୍ମାଣ ପାଇଁ ରେଳମନ୍ତ୍ରାଳୟକୁ ପଠାଇଯାଇଥିବା ପ୍ରସ୍ତାବର ତର୍ଜମା ପରେ ରେଳ ବୋର୍ଡ଼ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ନୂତନ ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଜମି ରାଜ୍ୟ ସରକାର ମାଗଣାରେ ପ୍ରଦାନ କରିବେ।
ଜମିହରାଙ୍କ ଥଇଥାନ ଓ ପୁର୍ନବାସ ଦାୟିତ୍ୱ ମଧ୍ୟ ରାଜ୍ୟ ସରକାରଙ୍କ ରହିବ। ପ୍ରିଇନଭେଷ୍ଟମେଣ୍ଟ ଆକ୍ଟିଭିଟି ଅନୁମୋଦନ ପରେ ନୂତନ ରେଳପଥ ନିର୍ମାଣ ବାବଦରେ ଓଡ଼ିଶା ସରକାର, ରେଳମନ୍ତ୍ରାଳୟ ଏବଂ ଅନ୍ୟାନ୍ୟ ସଂସ୍ଥାର ଭାଗିଦାରୀ ଅଂଶ କେତେ ରହିବ ତାହା ସ୍ଥିର ହେବ। ଏହି ନୂତନ ରେଳପଥ ହାଓଡ଼ା-ମୁମ୍ବାଇ ରେଳରୁଟର ଝାରସୁଗୁଡ଼ା-ରାୟପୁର ମଧ୍ୟରେ ଏକ ବିକଳ୍ପ ରେଳପଥ ଭାବେ କାର୍ଯ୍ୟ କରିବ। ବିଶେଷ କରି ସମ୍ବଲପୁର-ରାୟପୁର ମଧ୍ୟରେ ରେଳରୁଟରେ ଦୂରତା ହ୍ରାସ ପାଇବ। ଓଡ଼ିଶା ଓ ଝାଡ଼ଖଣ୍ଡର କୋଇଲା ଖଣିରୁ ଦକ୍ଷିଣ ଭାରତର ବିଭିନ୍ନ ତାପଜ କେନ୍ଦ୍ରକୁ କୋଇଲା ପରିବହନ ବାବଦରେ ସମୟ ଓ ଖର୍ଚ୍ଚ କମିବ।
ସେହିପରି ଜୁନାଗଡ଼଼ ଠାରୁ ନବରଙ୍ଗପୁର ମଧ୍ୟରେ ୧୧୮ କିଲେମିଟର ନୂତନ ରେଳପଥ ନିର୍ମାଣ ସର୍ଭେ ପାଇଁ ରେଳମନ୍ତ୍ରାଳୟ ୨.୯୫ କୋଟି ରାଶି ମଞ୍ଜୁର କରିଛି। ଏହି ରେଳପଥ ଆକାଂକ୍ଷା ଜିଲା କଳାହାଣ୍ଡି ଓ ନବରଙ୍ଗପୁର ଜିଲାରେ ନିର୍ମିତ ହେବ। ଲାଞ୍ଜିଗଡ଼଼ ରୋଡ଼-ଜୁନାଗଡ଼଼ ରେଳପଥ ଏବଂ ଜୟପୁର-ନବରଙ୍ଗପୁର ନୂତନ ରେଳପଥକୁ ଜୁନାଗଡ଼଼-ନବରଙ୍ଗପୁର ନୂତନ ରେଳପଥ ଦ୍ୱାରା ସଂଯୋଗ କରାଯିବ। ଲାଞ୍ଜିଗଡ଼଼ ରୋଡ଼ ଠାରୁ ଜୁନାଗଡ଼଼ ମଧ୍ୟରେ ନୂତନ ରେଳପଥ ନିର୍ମାଣ ସରି ରେଳ ଚଳାଚଳ ଆରମ୍ଭ ହୋଇସାରିଥିବା ବେଳେ ଜୟପୁର ଠାରୁ ନବରଙ୍ଗପୁର ମଧ୍ୟରେ ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ଚାଲିଛି। ଉଭୟ ଗୁରୁତ୍ୱପୂର୍ଣ୍ଣ ରେଳପ୍ରକଳ୍ପ ପ୍ରସଙ୍ଗରେ ରେଳମନ୍ତ୍ରଳୟର ସକାରତ୍ମକ ପଦକ୍ଷେପକୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସ୍ୱାଗତ କରିଛନ୍ତି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ପଛୁଆ ଜିଲାର ବିକାଶରେ ଉଭୟ ପ୍ରକଳ୍ପ ବେଶ ସହାୟକ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସେହିପରି ବରଗଡ଼଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି ଯେ ଏହି ବରଗଡ଼଼ ରୋଡ଼-ନୂଆପଡ଼ା ରୋଡ଼ ନୂତନ ରେଳ ପ୍ରକଳ୍ପ ନିର୍ମାଣ ଆଉପାଦେ ଆଗେଇଛି। ରାଜ୍ୟ ସରକାର ଯୁଦ୍ଧକାଳିନ ଭିତ୍ତିରେ ପ୍ରକଳ୍ପ ର୍ନିମାଣ ପାଇଁ ଜମି ଅଧିଗ୍ରହଣ, ଥଇଥାନ ଓ ପୁର୍ନବାସ କରନ୍ତୁ।

Comments are closed.