କୋଭିଡ୍‌ ପରୀକ୍ଷାରେ ବିଳମ୍ବ: ଅଟୋ ରିକ୍ସା ଓ ହସ୍‌ପିଟାଲ୍‌ ବାରଣ୍ଡାରେ ୨ ପ୍ରସୂତିଙ୍କ ପ୍ରସବ, ମାଁ ଓ ଶିଶୁ ସୁସ୍ଥ

ବରଗଡ଼: ବରଗଡ ଜିଲାରେ ଚିକିତ୍ସା ସୁବିଧା ଦିନକୁ ଦିନ ଭୁଷୁଡିବାରେ ଲାଗିଛି। ସ୍ବାସ୍ଥ୍ୟସେବାକୁ ନେଇ ସବୁବେଳେ ଲୋକଙ୍କ ଅଶାନ୍ତି ଦେଖା ଦେଉଛି। ଗତଦୁଇ ଦିନ ତଳେ ବରଗଡରେ ୩୦ ରୁ ଊର୍ଦ୍ଧ ସାମାଜିକ ସଂଗଠନ ବରଗଡରେ କ୍ୟାନସର ହସପିଟାଲ ସ୍ଥାପନ କରିବା ପାଇଁ ଏକ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଶନିବାର ପୁରୁଣା ଡାକ୍ତରଖାନାରେ ଦୁଇଟି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇଜଣ ଆସନ୍ନ ପ୍ରସବା ମା’ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅତି ବିପଜ୍ଜନକ ଭାବେ ଜଣେ ଅଟୋ ରିକ୍ସାରେ ଓ ଆଉଜଣେ ଡାକ୍ତରଖାନା ପରିସରରେ ଥିବା ମାତୃମଙ୍ଗଳ କେନ୍ଦ୍ରର ବାରଣ୍ଡାରେ ପ୍ରସବ କରିଥିଲେ । ବରଗଡ ପୁରୁଣା ଡାକ୍ତରଖାନା ଯାହାକି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ଭାବେ କାମ କରୁଛି ସେଠାରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ କାମ କରୁଛି। ମାଁ ମାନଙ୍କ ଚିକିତ୍ସା ପାଇଁ ଏଠାରେ ସୁବିଧା କରାଯାଇଛି। ଶନିବାର ସକାଳୁ ତୋରାର ନେତ୍ରାନନ୍ଦ ମହାପାତ୍ରଙ୍କ ସ୍ତ୍ରୀ ଗର୍ଭଯନ୍ତ୍ରଣା ପାଇବାରୁ ଡାକ୍ତରଖାନାକୁ ଆସିଥିଲେ। ପ୍ରସବ କରିବା ପୂର୍ବରୁ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ ଥିବା ଯୋଗୁଁ ନେତ୍ରାନନ୍ଦଙ୍କ ସ୍ତ୍ରୀଙ୍କ କରୋନା ପରୀକ୍ଷା କରିବା ପାଇଁ ସେ କୋଭିଡ୍ ସେଣ୍ଟରକୁ ଯାଇଥିଲେ। ମାତ୍ର ସେଠାରେ କେହି ନଥିବାବେଳେ ତାଙ୍କର ପରୀକ୍ଷା ହେବା ବିଳମ୍ବ ହୋଇଥିଲା। ଏପରି ସମୟରେ ବିନା କୋଭିଡ ପରୀକ୍ଷାରେ କୌଣସି ରୋଗୀ ଏପରିକି ଆସନ୍ନ ପ୍ରସବାଙ୍କୁ ମଧ୍ୟ ଡାକ୍ତରଖାନା ଭିତରକୁ ପ୍ରବେଶ ଅନୁମତି ମିଳୁ ନଥିବାରୁ ସଂପୃକ୍ତ ମା’ ଜଣକ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଅଟୋ ରିକ୍ସାରେ ବସି ରହିଥିଲେ ଓ ସେଠରେ ହିଁ ତାଙ୍କର ପ୍ରସବ ହୋଇଯାଇଥିଲା।
ସେହିପରି ନୂଆ ଗୁଡେଶିରା ଗ୍ରାମର ଭାବିନ୍ଦ୍ର ମୀନାଙ୍କ ପତ୍ନୀ ଗର୍ଭ ଯନ୍ତ୍ରଣା ପାଇ ଡକ୍ତାରଖାନା ଆସିଥିଲେ ତାଙ୍କୁ ମଧ୍ୟ କୋଭିଡ୍ ପରୀକ୍ଷା କରିବା ପାଇଁ କେହି ନଥିବାରୁ ସେ ଡାକ୍ତରଖାର ପରିସରରେ ବାରଣ୍ଡାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଡାକ୍ତରଖାନା ପରିସରରେ ପହଞ୍ଚିବା ପରେ ମଧ୍ୟ ଉପଯୁକ୍ତ ସୁବିଧା ନପାଇ ଦୁଇଜଣ ମାଁ ଆଜି ବଡ଼ ବିପଜ୍ଜନକ ଅବସ୍ଥାରେ ନିଜର ଭବିଷ୍ୟତ ପୀଢ଼ିକୁ ଜନ୍ମ ଦେଇଥିଲେ।
ଡାକ୍ତରଖାନାରେ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ ହୋଇଥିବା ସ୍ବାଗତଯୋଗ୍ୟ ହୋଇଥିବା ବେଳେ ଗର୍ଭବତୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ନିହାତି ଜରୁରୀ। ଏକ ସମୟରେ ଦୁଇଜଣ ମା’ ଅସହାୟ ଭାବେ ପ୍ରସବ କରିବା ପରେ ଉଭୟ ମା ଓ ଶିଶୁଙ୍କୁ ଲେବର ରୁମ୍‌କୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିଲା। ଉଭୟ ମା’ ଓ ଶିଶୁ ସୁସ୍ଥ ରହିଥିବା ଜଣାପଡିଛି। ଏ ବିଷୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, କୋଭିଡ୍ ପରୀକ୍ଷା ପାଇଁ କିଛି ସମୟ ଲାଗିଥିଲା। ଏହି ସମୟ ଭିତରେ ପ୍ରସବ ହୋଇଯାଇଥିଲା। ମାତ୍ର ସଙ୍ଗେ ସଙ୍ଗେ ସ୍ତ୍ରୀ ଓ ପ୍ରସୂତୀ ଡାକ୍ତର ଉଭୟ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲେ ସମସ୍ତେ ସୁସ୍ଥ ରହିଥିବା ସିଡିଏମଓ କହିଥିଲେ ।

Comments are closed.