କାନ୍ଦୁଛି ଚାଷୀ: ଦୟାର ଭିକ୍ଷା ମାଗୁଛି ଅନ୍ନଦାତା

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୃଷି ସମୃଦ୍ଧ ଅଞ୍ଚଳ । ଏଠିକାର ମୁଖ୍ୟ କୃଷି ଧାନ। ଶତକଡା ୯୮ ପ୍ରତିଶତ ଲୋକ ଧାନ ଚାଷ କରନ୍ତି। ଏହି ଚାଷ ହେଉଛି ତାଙ୍କର ମୁଖ୍ୟ ଜୀବିକା । ଅନୁଧ୍ୟାନ କଲେ ଜଣାପଡ଼ିବ ଯେ ୫୦ ପ୍ରତିଶତ ଚାଷୀ ଭାଗ ଚାଷୀ । ଧାନ ବିକ୍ରୟ କରି ଫସଲରେ ଖର୍ଚ୍ଚ କରିଥିବା ଋଣ ପରିଶୋଧ କରି ଜମି ମାଲିକକୁ ଧାର୍ୟ୍ୟ ମୁତାବକ କର ଦେଲାପରେ ଯାହା ବଳେ ସାଧାରଣତଃ ସେଥିରେ ନିଜର ଓ ନିଜ ପରିବାରର ଭବିଷ୍ୟତ ଗଢନ୍ତି। ଏବେ ସରକାରଙ୍କ ଟୋକନ ବ୍ୟବସ୍ଥା ସାଙ୍ଗକୁ ପ୍ରକୃତିର କ୍ରୁର ଚକ୍ଷୁ ଚାଷୀଙ୍କ ଭାଗ୍ୟ ସହିତ ଖେଳ ଖେଳୁଛି। ମଣିଷ ମୁହଁରେ ଅନ୍ନ ଦେଉଥିବା ଅନ୍ନଦାତା ଆଜି ରାସ୍ତାର ଭିକାରୀ ସାଜିଛି। କେତେବେଳେ ପ୍ରଶାସନର ଦ୍ଵାର ତ ଆଉ କେତେବେଳେ ଋଣ ଦାତାଙ୍କ ଦ୍ଵାରକୁ ଯାଇ ତାର ଧାନ ଗଣ୍ଡାକ ବିକ୍ରି କରିବା ପାଇଁ ଟିକେ ଦୟାର ଭିକ୍ଷା ମାଗୁଛି। ତଥାପି ପ୍ରଶାସନ ଏହି ଚାଷୀଙ୍କ ପାଇଁ ଦ୍ଵାର ଖୋଲିନି। ଆଜି ରାଜରାସ୍ତାରେ, ବିଲରେ, ଖଳାରେ, ପୋଲ ଉପରେ ପଡ଼ିଛି ରହିଛି ହଜାର ହଜାର କୁଇଣ୍ଟାଲ୍ ଧାନ। ବର୍ଷା ପାଣିରେ ଗଜା ମାରି ଆଉ ତାହା ବିକ୍ରୟ ଯୋଗ୍ୟ କି ଆଉ କୌଣସି ବ୍ୟବହାର ଯୋଗ୍ୟ ହୋଇନାହିଁ। ଅନେକ ଚାଷୀ ବିଳରୁ ଧାନ ଆଉ କାଟି ବି ନାହାନ୍ତି। ବିଲରେ ସବୁ ଗଜା ହେଇଛି। ଏମିତି ପରିସ୍ଥିତି ହୋଇଛି ଯାହା ଚାଷୀ ନା କହିପାରୁଛି ନା ସହିପାରୁଛି।

କିଛି ଚାଷୀ ଧାନ ଅମଳ କରି ମଧ୍ୟ ବିକ୍ରୟ କରି ନ ପାରି ଧାନ ଗଜକ୍ଷହେଇଛି ।ଆଉ ବିକ୍ରୟ ବି ହେବନି ତାହା।କିନ୍ତୁ ସେଇ ଧାନ ଅମଳ ପାଇଁ ଶ୍ରମିକ ମାନଙ୍କୁ ତାଙ୍କର ମଜୁରୀ ଖର୍ଚ୍ଚ ନଦେଲେ ନ ଚଳେ।ଆଉ ତା ସହ ଜମି ମାଲିକକୁ କର।ତେବେ ଚାଷୀର ପରିସ୍ଥିତି କେତେ ଭୟଙ୍କର ତାହା ବେଶ୍ ଅନୁମେୟ।ସରକାର ପ୍ରତିଶ୍ରୁତି ଦେଉଛନ୍ତି ଯେ ଯେଉଁମାନଙ୍କର ଟୋକନ ବାତିଲ ହେଇଛି ସେମାନେ ପୁଣି ଧାନ ବିକ୍ରି କରି ପାରିବେ। “ଛାମୁ ଯାହା ଦେଲେ ହରଷେ,ପାଇଁ ପାଇଁ ଗଲା ବରଷେ” ପରି ଟୋକନ ଫେରିବା ବେଳକୁ ଚାଷୀର ଧାନ ଆଉ ବିକ୍ରୟ ଯୋଗ୍ୟ ହୋଇ ନ ଥିବ। ତେବେ ଟୋକନ ଆଉ ଫେରିବାର ମୂଲ୍ୟ କିଛି ନାହିଁ।ଚାଷୀଙ୍କୁ ବାରମ୍ବାର ଧୈର୍ୟ୍ୟ ହରା ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି କିନ୍ତୁ ଏଠି ଚିନ୍ତା କରିବାର କଥା ଯେ, ଜଣେ ଚାଷୀର ସର୍ବସ୍ବ ପରିଶ୍ରମର ଫଳ, ତାର ପରିବାର ର ଭବିଷ୍ୟତ ଆଜି ବର୍ଷାରେ ସଢ଼ୁଛି, ପଡ଼ିଛି , ତେବେ ସେ ଧୈର୍ୟ୍ୟ ଧରିବ କେମିତି ଆଉ କେଉଁ ଆଶା ନେଇ। ଆଜିଯାଏଁ କୌଣସି ବୀମା ରାଶି କିମ୍ବା କ୍ଷୟକ୍ଷତିର ଭରିପୁରଣ ଦେବାପାଇଁ କୌଣସି ସ୍ତରରେ ପ୍ରତିଶ୍ରୁତିଟିଏ ବି ପାଉନି। ଶହ ଶହ ଚାଷୀଙ୍କ ଧାନ ପାଣିରେ ବୁଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ କେତେକଙ୍କ ମାର୍କେଟ ରେ ଓ ରାସ୍ତାରେ ଧାନ ପଡ଼ି ଗଜା ହୋଇଛି।

ଧାନ ବିଲରୁ ଆଣିପାରି ନ ଥିବା ଚାଷୀମାନେ ହେଲେ ଲସ୍ତଲାର ଅରୁଣ ପ୍ରଧାନଙ୍କ ଏକ ଏକର, ଟୋପର ଦେବାନନ୍ଦଙ୍କ ଏକ ଏକର, ପାହାର୍ଶ୍ରିଗୀଡାର ରଞ୍ଜନଙ୍କ ଦୁଇ ଏକର, ଗୁତି ପାଲିର ଦୁର୍ଗା ଚରଣ ପ୍ରଧାନଙ୍କ ୫ଏକର, ଜାଙ୍ଗେଡ଼ର ଜଗନ୍ନାଥ ପ୍ରଧାନଙ୍କ ୧ଏକର, ରାମଶଙ୍କର ପ୍ରଧାନଙ୍କ ୫ଏକର, ସିଂହାପାଲିର ଅମିନ ଷଣ୍ଢଙ୍କ ୩ଏକର, ହରିବୋଲ ମହାନନ୍ଦଙ୍କ ୩ଏକର, ଖଲିଆପାଲିର ଲକ୍ଷପତି ପାଣ୍ଡେଙ୍କ ୨ଏକର, ଝାଙ୍କୁରୁ ବଢ଼ିଆଙ୍କ ୧ଏକର, ଭଗବତୀଆ ଭୋଇଙ୍କ ୩ଏକର, ଠିକ୍ ସେହିପରି ଧାନ ଅମଳ ପରେ ଗଜା ହୋଇଥିବା ଚାଷୀମାନେ ହେଲେ ଖଲିଆପାଲିର ଲଳିତ ମୋହନ ଦେବତାଙ୍କ ୨ଏକର, ବରହା ମୁଣ୍ଡାର ଜଗନ୍ନାଥ ସାହୁଙ୍କ ଦେଢ଼ ଏକର, ଜହ୍ନାପଡ଼ାର ପଲଉ ମାଝୀଙ୍କ ୨ଏକର, ପାଦ ରାଜୁଙ୍କ ୭୦ ଡିସିମିଲ, ଦାମୋଦରଙ୍କ ୨ଏକର, ଦେବାରଚନଙ୍କ ଦେଢ଼ ଏକର, କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ଅଢେଇ ଏକର, ଲାସ୍ତଲାର ନରେନ୍ଦ୍ର ବାରିକଙ୍କ ୧ ଏକର, ଭାଲୁପତ୍ରାର ବୁଧୁ ଭୁଏଙ୍କ ୩ ଏକର, ବାସୁ ଉର୍ମାଙ୍କ ଦେଢ଼ ଏକର ଓ ଖାରମୁଣ୍ଡାର ବୁଟୁ ପୋଡ଼ଙ୍କ ଏକ ଏକର ମୋଟ ୧୭ ଏକର ୯୦୦ ଡିସିମିଲିର ଧାନ ସମ୍ପୂର୍ଣ ଗଜା ହୋଇ ଯାଇଛି । ତେବେ ପ୍ରଶାସନ ପ୍ରତିଶୃତି ନ ଦେଇ ସ୍ଵତନ୍ତ୍ର ଭାବରେ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ଧାନର ବିକ୍ରି କରିବା ବ୍ୟବସ୍ଥା ଓ ତାଙ୍କର କ୍ଷତି ପୂରଣ କରିବା ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ସଭାପତି ହାରାଧନ ପ୍ରଧାନ, ବରିଷ୍ଠ ଚାଷୀ ନେତା ବସନ୍ତ ବାରିକ୍, ବୃଶଭାନୁ ସାହୁ, ଭିକାରୀ ବାରିକ୍, ଗଣେଶ ମହାକୁର, ପଲଉ ମାଝୀ ପ୍ରମୁଖ ଦାବି କରିଛନ୍ତି। ଦଳୀୟ ପ୍ରତିନିଧି, କର୍ମକର୍ତ୍ତା , ପ୍ରଶାସନ କେବଳ ଭୋଟ ସମୟରେ ନୁହେଁ, ଏବେ ଚାଷୀଙ୍କ ପାଖକୁ ଯାଇ ତାଙ୍କର ଦୁଃଖ ବୁଝନ୍ତୁ, ତାଙ୍କ ପ୍ରତି ସହାୟତାର ର ହାତ ବଢ଼ାନ୍ତୁ, ଚାଷୀଙ୍କ ପାଇଁ ଦରଦୀ ବନ୍ଧୁ ଟିଏ ହୁଅନ୍ତୁ ଯାହା ଆଜିର ପରିସ୍ଥିତିରେ ପ୍ରକୃତ ସହାୟତା ହୋଇପାରିବ । ଚାଷୀଙ୍କ ପାଇଁ କେବଳ ଦରଦୀ ଭାଷଣ ସୁଣାଇଲେ ତାଙ୍କର ସମସ୍ୟା ସମାଧାନ ହେବନି, ତାଙ୍କ ପାଇଁ ଉପଯୁକ୍ତ ପଦକ୍ଷେପ ନେଇ ତାଙ୍କୁ ଏହି ବିଷମ ସଙ୍କଟରୁ ରକ୍ଷା କରିବା ପ୍ରକୃତ ମାନବିକତା ହୋଇପାରିବ ବୋଲି ସଂଗଠନ ପକ୍ଷରୁ ଆହ୍ବାନ ଦେଇଛନ୍ତି ।

Comments are closed.