ହେଲା ନାହିଁ କରୋନା ଆକ୍ରାନ୍ତଙ୍କ ଶବଦାହ: ଏଭଳି କାମକୁ ବିରୋଧ କରି ବରଗଡ଼ରେ ରାସ୍ତାରୋକ

ବରଗଡ଼ : କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ ହେଲେ ମୃତଦେହକୁ ଦାହ କରିବା ପାଇଁ ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ବରଗଡ଼ କୋଭିଡ ହସ୍ପିଟାଲରେ ଜଣେ ରୋଗୀଙ୍କ ଦେହାନ୍ତ ହେବା ପରେ ଶ୍ମଶାନରେ ତାଙ୍କ ଶବ ସତ୍କାର ହୋଇପାରି ନଥିଲା। ଜଣେ ବ୍ୟକ୍ତି ମୃତ୍ୟୁବରଣ କଲାପରେ ତାକୁ ସମ୍ମାନ ମଧ୍ୟ ଦିଆଯାଇ ପାରୁନାହିଁ । ଏଥିରେ ମଧ୍ୟ ଜିଲା ପ୍ରଶାସନ ବିଫଳ ହେଉଛି ବୋଲି କହି ଆଜି ବରଗଡ଼ ସହରର ଅନେକ ବୁଦ୍ଧିଜୀବୀ ସ୍ଥାନୀୟ ଗାନ୍ଧୀଛକରେ ରାସ୍ତାରୋକ କରିଥିଲେ । ପରେ ବରଗଡ଼ ବିଧାୟକ ଏବଂ ଉପ ଜିଲ୍ଲାପାଳ ଆସି ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା ।
ସୂଚନା ଯୋଗ୍ୟ, ଗତକାଲି ବରଗଡ଼ କୋଭିଡ ହସ୍ପିଟାଲରେ ଜଣେ ରୋଗୀଙ୍କ ଦେହାନ୍ତ ହୋଇଥିଲା । କୋଭିଡ ନିୟମ ଅନୁସାରେ ପ୍ରଶାସନ ତରଫରୁ ଦାହ କରିବା ପାଇଁ ମୃତଦେହକୁ ନିକଟରେ ଥିବା ଏକ ଶ୍ମଶାନକୁ ନିଆ ଯାଇଥିଲା । ଏହି ସମୟରେ ଶ୍ମଶାନ ନିକଟରେ ଥିବା ଗ୍ରାମବାସୀ ମାନେ ଆସି ବିରୋଧ କରିବା ସହିତ କାଠ ନିଆଯାଇଥିବା ଅଟୋ ଚାଳକକୁ ମାଡ଼ ମାରିଥିଲେ । ଯାହା ଫଳରେ ଶବଦାହ ହୋଇ ନ ପାରି ପୁଣି ଡାକ୍ତରଖାନାକୁ ଫେରାଇ ନିଆଯାଇଥିଲା।

Comments are closed.