ଯୁବକଙ୍କ ଜୀବନ ନେଲା ୧୧ହଜାର କେଭି ବିଦ୍ୟୁତ୍‌ ତାର

ବରପାଲି଼: ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଭୁଲ ଯୋଗୁ ବିନା କାରଣରେ ଜଣେ ଯୁବକଙ୍କ ଜୀବନ ଯାଇଛି। ୧୧ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରବିବାର ବରପାଲି ବ୍ଲକ ବିଶିପାଲି ଗାଁର ଜୈନେକ ୩୭ବର୍ଷିୟ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଯୁବକଙ୍କ ପରିବାରବର୍ଗଙ୍କୁ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।
ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ନରେ ଶିବଶଙ୍କର ରଣା ନିଜ ସହଧର୍ମଣୀଙ୍କ ସହ ସମ୍ପର୍କିୟଙ୍କ ଘର ନିକଟସ୍ଥ ସୋନପୁର ଜିଲ୍ଲା ଲିଙ୍ଗମାର୍ଣ୍ଣି ଗାଁକୁ ବ୍ୟକ୍ତିଗତ କାମରେ ଯାଇଥିଲେ। ଲିଙ୍ଗମାର୍ଣ୍ଣି ଗାଁରେ ବୁଲାବୁଲି କରୁଥିବା ବେଳେ ନିର୍ମାଣଧିନ ରହିଥିବା ସମ୍ପର୍କିୟଙ୍କ ନୂତନ ବାସଗୃହ ଦେଖିବା ପାଇଁ ଘରଛାତ ଉପରକୁ ଉଠିଥିଲେ। ଛାତର ସର୍ବେକ୍ଷଣ କରୁଥିବା ସମୟରେ ଉପରେ ମୁକୁଳା ଭାବରେ ଝୁଲୁଥିବା ୧୧ହଜାର କେଭି କେବୁଲ ତାର ଶିବଶଙ୍କରଙ୍କ ମୁହଁରେ ଲାଗିଥିଲା। ସେ ଛାତ ତଳକୁ ଛିଟିକି ପଡ଼ିଥିଲେ ଓ ସଂଜ୍ଞାହିନ ହୋଇଯାଇଥିଲେ। ସମ୍ପର୍କିୟମାନେ ଶିବଙ୍କୁ ଉଦ୍ଧାର ପରେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡାକ୍ତର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପରେ ଶିବଙ୍କୁ ମୃତ ଘୋଷଣା କରିଥିଲେ। ଏ ଘଟଣା ସମ୍ପର୍କରେ ଖବରପାଇ ଡୁଙ୍ଗୁରିପାଲି ପୁଲିସ ଡ଼ାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଶିବଙ୍କ ମୃତ ଶରୀରକୁ ଜବତ କରି ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲେ। ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ସମ୍ପର୍କିୟଙ୍କ ସହାୟତାରେ ବିନକା ଡାକ୍ତରଖାନାକୁ ଶବବ୍ୟବଚ୍ଛ୍ୟଦ ନିମନ୍ତେ ପଠାଇଥିଲା। ଶିବଶଙ୍କର ଜଣେ ରାଜମିସ୍ତ୍ରୀ ଭାବରେ ବରପାଲି ଅଞ୍ଚଳରେ ବେଶ ଜଣାଶୁଣା। ତା’ର ମୃତ୍ୟୁ ଖବର ପ୍ରସାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବର୍ତ୍ତମାନ ଶିବଙ୍କର ପତ୍ନୀ ସହିତ ଦୁଇଟି କୁନିକୁନି ପୁଅ ଓ ଝିଅ ରହିଛନ୍ତି। ଏହିପରି ଏକ ସମ୍ବେଦନଶିଳ ଘଟଣା ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଭୁଲ ଯୋଗୁ ବିନା କାରଣରେ ଶିବଙ୍କ ମୃତ୍ୟୁ ହୋଇଯାଇଛିି। ପରିବାର ଲୋକଙ୍କୁ ଉଚିତ ସହାୟତା ଯୋଗାଇ ଦିଆଯାଉ ବୋଲି ବିଶିପାଲି ଗ୍ରାମବାସୀ ଦାବୀ ଜଣାଇଛନ୍ତି।

Comments are closed.